୬୦ ବର୍ଷରେ ୬୦ ପ୍ରତିଶତ ଚନ୍ଦ୍ର ଅଭିଯାନ ବିଫଳ

ନୂଆଦିଲ୍ଲୀ : ଭାରତର ଦ୍ବିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ର ଅବତରଣ କରିବାରେ ବିଫଳ ହେଲା। ଅବତରଣର ମାତ୍ର କିଛି ସମୟ ପୂର୍ବରୁ ଏହା ସହ ‌ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତ ପ୍ରଥମ ଥର ପାଇଁ ପହଞ୍ଚିବ ବୋଲି ଲକ୍ଷ୍ୟ ରଖିଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ ଏହି ଆଶା ଚୁରମାର୍‌ ହୋଇଗଊର। ତେବେ ଭାରତର ଏହି ବିଫଳତା ପ୍ରଥମ ନୁହେଁ ପୂର୍ବରୁ ଗତ ୬୦ ବର୍ଷ ମଧ୍ୟରେ ହୋଇଥିବା ଚନ୍ଦ୍ର ଅଭିଯାନ ଗୁଡ଼ିକରୁ ୬୦ ପ୍ରତିଶତ ସଫଳ ହୋଇଛି। ୬୦ ବର୍ଷ ସମୟ ମଧ୍ୟରେ ହୋଇଥିବା ୧୦୯ଟି ଚନ୍ଦ୍ର ଅଭିଯାନରୁ ୬୧ଟି ସଫଳ ହୋଇଥିବାବେଳେ ୪୮ଟି ବିଫଳ ହୋଇଛି। ଆମେରିକା ମହାକାଶ ଅନୁଷ୍ଠାନ ନାସାର ଚନ୍ଦ୍ର ତଥ୍ୟ ତାଲିକାରୁ ଏହା ଜଣାପଡ଼ିଛି।

୨୦୧୮ ଫେବ୍ରୁଆରିରେ ଇସ୍ରାଏଲ ମଧ୍ୟ ଏହାର ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା କିନ୍ତୁ ଏହା ଏପ୍ରିଲ ମାସରେ କ୍ରାସ୍‌ ଲ୍ୟାଣ୍ଡିଂ କରିଥିଲା। ୧୯୫୮ରୁ ୨୦୧୯ ମଧ୍ୟରେ ଭାରତ , ଆମେରିକା, ରୁଷ୍‌, ଜାପାନ , ୟୁରୋପୀୟ ସଂଘ, ଚୀନ୍‌ ଏବଂ ଇସ୍ରାଏଲ ଭିନ୍ନ ଭିନ୍ନ ଚନ୍ଦ୍ର ଅଭିଯାନ ତଥା ଅର୍ବିଟର, ଲ୍ୟାଣ୍ଡର ଏବଂ ଫ୍ଲାଏବାଏ ଲଞ୍ଚ୍‌ କରିଛନ୍ତି। ପ୍ରଥମ ଚନ୍ଦ୍ର ଅଭିଯାନ ଆମେରିକା ଦ୍ବାରା ୧୯୫୮, ଅଗଷ୍ଟ ୧୭ ତାରିଖରେ କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ ଏହା ବିଫଳ ହୋଇଥିଲା। ଚନ୍ଦ୍ରକୁ ପ୍ରଥମ ସଫଳ ମିସନ୍‌ ଥିଲା ଲୁନା- ୧। ରୁଷ୍‌ ଦ୍ବାରା ଦ୍ବାରା ଜାନୁଆରି ୪, ୧୯୫୯ରେ ଲୁନା-୧ ଅଭିଯାନ ସଫଳ ହୋଇଥିଲା। ଏହା ମଧ୍ୟ ପ୍ରଥମ ‘ମୁନ୍‌ ଫ୍ଲାଏବାଏ’ ମିସନ୍‌ ଥିଲା। ଅଗଷ୍ଟ ୧୯୫୮ରୁ ନଭେମ୍ବର ୧୯୫୯ ମଧ୍ୟ‌ରେ ଆମେରିକା‌ ଏବଂ ରୁଷିଆ ୧୪ ଟି ମିସନ୍‌ ଲଞ୍ଚ୍‌ କରିଥିଲେ। ଏଥି ମଧ୍ୟରୁ କେବଳ ୩ଟି ମିସନ୍‌ ଲୁନା ୧, ଲୁନା ୨ ଏବଂ ଲୁନା ୩ ସଫଳ ହୋଇଥିଲା। ଏହି ୩ଟି ମିସନ୍‌ ରୁଷ୍‌ ଦ୍ବାରା ଲଞ୍ଚ୍‌ କରାଯାଇଥିଲା। ଏହାପରେ ୧୯୬୪ରେ ଆମେରିକା ଦ୍ବାରା ଉତ୍‌କ୍ଷେପଣ ହୋଇଥିଲା ରେଂଜର-୭। ଚନ୍ଦ୍ରର ଅତି ନିକଟରୁ ଫଟୋ ଉତ୍ତୋଳନ କରିବାରେ ଏହା ପ୍ରଥମ ଥିଲା। ତେବେ ଚନ୍ଦ୍ରରେ ପ୍ରଥମ ସୂକ୍ଷ୍ମ ଅବତରଣ ଏବଂ ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ ଲୁନା -୯ ଦ୍ବାରା ପଠାଯାଇଥିଲା। ଜାନୁଆରି ୧୯୬୬ରେ ରୁଷ୍‌ ଦ୍ବାରା ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା। ଏହାର ୫ ମାସ ପରେ ୧୯୬୬ ମେ’ରେ ଆମେରିକା ସଫଳତାର ସହ ମିସନ୍‌ ‘ସର୍ଭେୟସ-୧’ ଉତ୍‌କ୍ଷେପଣ କରିଥିଲା। ତେବେ ଆପୋଲୋ ୧୧ ଅଭିଯାନ ଏକ କିମ୍ବଦନ୍ତୀ ମିସନ୍‌ ଥିଲା। ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ମଣିଷ ପାଦ ଥାପିଥିଲା। ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ନେତୃତ୍ବରେ ଏକ ୩ ଜଣିଆ‌ ଦଳ ଚନ୍ଦ୍ରରେ ପହଞ୍ଚିଥିଲେ। ୧୯୫୮ରୁ ୧୯୭୯ ମଧ୍ୟରେ କେବଳ ଆାମେରିକା ଏବଂ ରୁଷ୍‌ ମୁନ୍‌ ମିସନ୍‌ ଲଞ୍ଚ୍‌ କରିଥିଲେ। ଏହି ୨୧ ବର୍ଷ ମଧ୍ୟରେ ୨ ଦେଶ ୯୦ଟି ମିସନ୍‌ ଲଞ୍ଚ୍‌ କରିଛନ୍ତି।

୧୯୮୦ରୁ ୮୯ ମଧ୍ୟରେ କୌଣସି ଚନ୍ଦ୍ର ଅଭିଯାନ ଲଞ୍ଚ୍‌ ହୋଇନଥିଲା। ଜାପାନ୍‌, ୟୁରୋପିୟ ସଂଘ, ଚୀନ୍‌, ଭାରତ ଏବଂ ଇସ୍ରାଏଲ ବିଳମ୍ବରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିବା ନାସାର ଚନ୍ଦ୍ର ତଥ୍ୟ ତାଲିକାରୁ ଜଣାପଡ଼ିଛି। ୨୦୦୯ରୁ ୨୦୧୯ ମଧ୍ୟରେ ୧୦ଟି ମିସନ୍‌ ଲଞ୍ଚ୍‌ ହୋଇଥିଲା। ଏଥି ମଧ୍ୟରେ ଭାରତର ୫ଟି ଏବଂ ଆମେରିକାର ୩ଟି ମିସନ୍‌ ରହିଥିଲା ।

ସମ୍ବନ୍ଧିତ ଖବର