ଅଲୋଡ଼ା ମା’ଙ୍କ ଶେଷ ସାହାରା ଜରାଶ୍ରମ, ତଥାପି ତୁଟୁନି ପୁତ୍ରମୋହ

କେନ୍ଦୁଝର : ବର୍ଷ ବର୍ଷ ଧରି ଏମାନେ ପରିତ୍ୟକ୍ତା। ଘରେ ଥିବାବେଳେ ବି ଭୋଗିବାକୁ ପଡ଼ୁଥିଲା ଅକଥନୀୟ ନିର୍ଯାତନା। ବାଧ୍ୟ ହୋଇ ଘର ଛାଡ଼ିଥିଲେ। ଜରାଶ୍ରମରେ କଟୁଛି ଏମାନଙ୍କ ଜୀବନ। କିନ୍ତୁ ଜରାଶ୍ରମରେ ରହିବାର ଦୀର୍ଘ ବର୍ଷ ପରେ ବି ଏମାନେ ପରିବାର ଓ ପୁତ୍ର ମୋହ ଛାଡ଼ିପାରି ନାହାନ୍ତି। ପିଲା ଓ ପରିବାର କଥା ମନେପଡ଼ିଲେ ଗୁମୁରି ଗୁମୁରି କାନ୍ଦୁଛନ୍ତି। କେନ୍ଦୁଝର ସଦର ବ୍ଲକ୍‌ରେ ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ଏହି ଆନନ୍ଦାଶ୍ରମରେ ଥିବା ସବୁ ମା’ମାନଙ୍କ କାହାଣୀ ପାଖାପାଖି ସମାନ। ଏହି ଅସହାୟ ମା’ଙ୍କ ଭିତରେ ଯତନୀ ପାତ୍ର ଅନ୍ୟତମ।

କେନ୍ଦୁଝର ସହରରୁ ମାତ୍ର କିଛି କିଲୋମିଟର ଦୂର ନଈଗାଁରେ ଯତନୀଙ୍କ ଘର। ସ୍ବାମୀ, ପୁଅ, ବୋହୂ, ନାତିଙ୍କୁ ନେଇ ଥିଲା ତାଙ୍କର ପରିବାର। ସ୍ବାମୀଙ୍କର ମଦ୍ୟପ ପ୍ରକୃତି ଯୋଗୁଁ ସେ ସବୁବେଳେ ନିର୍ଯାତିତ ହେଉଥିଲେ। ବର୍ଷ ବର୍ଷ ଧରି ନିର୍ଯାତିତ ହେବା ପରେ ପୁଅକୁ ଆଶ୍ରା କରି ରହିଯିବେ ବୋଲି ଭାବିଥିଲେ ଯତନୀ। ମାତ୍ର ପୁଅବୋହୂଙ୍କ ପାଖରୁ ଯେଉଁ ଶ୍ରଦ୍ଧା ଟିକେ ପାଇବାକୁ ଆଶା କରିଥିଲେ ତାହା ମିଳିଲା ନାହିଁ। ବରଂ ପୁଅ ଶ୍ବଶୁର ଘରେ ରହିବାକୁ ଆରମ୍ଭ କଲା। ଏଭଳି ପରିସ୍ଥିତିରେ ବୟସାଧିକ୍ୟ କାରଣରୁ ରୋଗାକ୍ରାନ୍ତ ଯତନୀଙ୍କୁ କିନ୍ତୁ ମିଳିଗଲା ଜରାଶ୍ରମର ଠିକଣା। କାହାକୁ କିଛି ନ କହି ହଠାତ୍‌ ଦିନେ କେନ୍ଦୁଝର ସହର ପଦ୍ମପୁର ନିକଟରେ ବନାଯୋଡ଼ିଠାରେ ଥିବା ଆନନ୍ଦାଶ୍ରମରେ ପହଞ୍ଚିଗଲେ। ଯତନୀ ଆନନ୍ଦାଶ୍ରମରେ ପହଞ୍ଚିବାବେଳକୁ ଚାଲିପାରୁ ନ ଥିଲେ। ତାଙ୍କୁ କିଛିଦିନ ପାଇଁ ପ୍ରଥମେ ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରିବା ପରେ ସୁସ୍ଥ ହୋଇଥିଲେ ଯତନୀ। ସେବେଠୁ ଏହି ଜରାଶ୍ରମକୁ ହିଁ ନିଜର ଶେଷ ଠିକଣା ବୋଲି ଧରି ନେଇଛନ୍ତି ସେ। ଦୀର୍ଘ ୫ ବର୍ଷ ହେବ ଏହି ଆଶ୍ରମରେ ରହୁଥିବା ଯତନୀଙ୍କର ପରିବାର କଥା ମନେ ପଡ଼େ ନା ନାହିଁ? ଏଭଳି ପ୍ରଶ୍ନରେ କିଛି କ୍ଷଣ ଚୁପ୍‌ ହୋଇ ଯତନୀ କହିଥିଲେ, ପୁଅ ଓ ପରିବାର କଥା ମନେପଡ଼େ। ସେତେବେଳେ ଘରକୁ ଯାଏ। ଘରେ ରହୁନ କାହିଁକି ବୋଲି ପଚାରିବାରୁ କହିଥିଲେ, ମୋତେ ଏବେ ଏଇଠି ଭଲ ଲାଗୁଛି। ଆଉ ଘରକୁ ଫେରିବି ନାହିଁ।

ଯତନୀଙ୍କ ପରି ଯମୁନା ପାତ୍ରଙ୍କ କହାଣୀ ମଧ୍ୟ ସମାନ। ଯମୁନାଙ୍କ ଘର ଆନନ୍ଦପୁର ବ୍ଲକ୍‌ର ଖଡ଼ିବିଲ। ବୟସ ପାଖାପାଖି ୬୫ ବର୍ଷ। ପ୍ରାୟ ୧୦ ବର୍ଷ ପୂର୍ବରୁ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଛି। ଘରେ କିନ୍ତୁ ପୁଅବୋହୂ, ନାତିନାତୁଣୀ ଅଛନ୍ତି। ଏସବୁ ସତ୍ତ୍ବେ ଯମୁନାଙ୍କ ଦିନ କଟୁଛି ଜରାଶ୍ରମ ‘ଆନନ୍ଦାଶ୍ରମ’ରେ। ଯମୁନା କୁହନ୍ତି, ସ୍ବାମୀଙ୍କର ମୃତ୍ୟୁ ପରେ ପୁଅବୋହୂ ସହିତ ପଡ଼ିଲା ନାହିଁ। ସେଥିପାଇଁ ଏଇ ଆଶ୍ରମକୁ ପଳାଇ ଆସିଲି। ଇତିମଧ୍ୟରେ ପ୍ରାୟ ୭ ବର୍ଷ ହୋଇଗଲାଣି। ଏଠାରେ ମୋତେ ଭଲ ଲାଗୁଥିଲେ ବି ପୁଅ-ପରିବାର କଥା ଅନେକ ସମୟରେ ମନେପଡୁଛି।

ଯମୁନା, ଯତନୀଙ୍କଠାରୁ ଆଶା ପାତ୍ରଙ୍କ କାହାଣୀ ଟିକେ ଭିନ୍ନ। ଘସିପୁରା ବ୍ଲକ୍‌ର ଧକୋଠାର ବାସିନ୍ଦା ଆଶାଙ୍କର ବୟସ ୬୦ ବର୍ଷ। ନିଃସନ୍ତାନ ଥିବା ଆଶାଙ୍କର ଏକମାତ୍ର ସାହାଭରସା ଥିଲେ ସ୍ବାମୀ। ୧୫ ବର୍ଷ ପୂର୍ବେ ସ୍ବାମୀ ଆରପାରିକୁ ଚାଲିଗଲେ। ଗତ ୩ ବର୍ଷ ହେବ ଏହି ଆଶ୍ରମକୁ ଜୀବନର ଶେଷ ଠିକଣା ଭାବେ ବାଛି ନେଇଛନ୍ତି ଆଶା। ଆଶା କୁହନ୍ତି, ସ୍ବାମୀଙ୍କୁ ନେଇ ସଂସାର କରିଥିଲି। ପିଲାଛୁଆ ଥିଲେ ହୁଏତ ଜୀବନ ଅଲଗା ପ୍ରକାର ହୋଇଥାନ୍ତା। ସ୍ବାମୀଙ୍କ ପରଲୋକ ପରେ ଜୀବନ ବଦଳିଗଲା। ଚଳିବା କଷ୍ଟ ହେଲା। ସେଥିପାଇଁ ମୁଁ ଆଶ୍ରମକୁ ଆସିଛି।

ଯମୁନା, ଯତନୀ, ଆଶାଙ୍କ ପରି ଆନନ୍ଦାଶ୍ରମରେ ରହୁଥିବା ପ୍ରାୟ ୨୭ ଜଣ ମହିଳାଙ୍କର ଅବସ୍ଥା ସମାନ। ସମସ୍ତଙ୍କର ପୁଅ, ପରିବାର ରହିଛିା। କିନ୍ତୁ ସମସ୍ତେ ଅଲୋଡ଼ା। ହେଲେ ବି ଜୀବନର ସାୟାହ୍ନରେ ସେମାନଙ୍କର ତୁଟିନି ପୁଅ ଓ ପରିବାର ମୋହ। ଏ ସଂପର୍କରେ ଆନନ୍ଦାଶ୍ରମର ସଂପାଦିକା ତଥା ସମାଜସେବୀ ସେବତୀ ସିଂ କହନ୍ତି, ଯେତେବେଳେ ଜଣେ ଅସହାୟା ମହିଳା ଆମ ପାଖରେ ପହଞ୍ଚନ୍ତି, ଆମେ କୌଣସିମତେ ତାଙ୍କୁ ସହଯୋଗ କରିବାକୁ ଉଦ୍ୟମ କରିଥାଉ। ଆର୍ଥିକ ସ୍ଥିତି ଭଲ ଥାଉ କି ନଥାଉ, ଆମେ ନିଶ୍ଚିତ ଭାବେ ତାଙ୍କୁ ଏଠାରେ ରଖିବାର ବ୍ୟବସ୍ଥା କରିଥାଉ। ଏହା ଆମକୁ ଆତ୍ମସନ୍ତୋଷ ଦେଇଥାଏ। ସେହିପରି ଅନ୍ୟ ଜଣେ ପଶ୍ଚିମବଙ୍ଗର ଅନ୍ତେବାସୀ ପ୍ରଭା କାରାର(୬୫) କହିଛନ୍ତି, ଆମର ପରିବାର ନ ଥିଲେ ବି ଏଠାରେ ଆମେ ପରିବାରର ସ୍ନେହ ପାଉଛୁ। ଅନ୍ୟ ଅସହାୟା ମହିଳାଙ୍କ ସହିତ ମିଶି ଜୀବନଟା କଟିଯାଉଛି।

ସମ୍ବନ୍ଧିତ ଖବର