ବକୁଳବନରେ ଓଡ଼ିଆ ବିଶ୍ବବିଦ୍ୟାଳୟ

ଶିକ୍ଷା ମହଙ୍ଗା, ମୁଣ୍ଡ ବିନ୍ଧାଇଲା ରୢାଗିଂ, ‘ମୋମୋ’ ଭୟ, ପୂର୍ଣ୍ଣାଙ୍ଗ ଆଇଆଇଟି, ଦୁଇ ମେଡିକାଲ କଲେଜ

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ବହୁ କଳ୍ପନାଜଳ୍ପନା ପରେ ପୁରୀ ଜିଲ୍ଲା ସତ୍ୟବାଦୀର ବକୁଳବନରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମାଟ୍ରିକ୍‌ ସମେତ ଉଚ୍ଚଶିକ୍ଷାରେ ଓଡ଼ିଆ ଭାଷାରେ ଉନ୍ନତ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବୃତ୍ତି ଯୋଜନା ଆରମ୍ଭ କରାଯାଇଛି।

ଶିକ୍ଷା ମହଙ୍ଗା

ଇଞ୍ଜିନିୟରି˚ ସମେତ ଏମ୍‌ବିଏ, ଏମ୍‌ସିଏ, ଏମ୍‌ବିବିଏସ୍‌, ବିଡିଏସ୍‌, ଆର୍ୟୁର୍ବେଦିକ, ‌ଏମ୍‌.ଟେକ୍‌, ବି.ଆର୍କ, ଏମ୍‌.ଆର୍କ ଆଦି ପାଠ୍ୟକ୍ରମର କୋର୍ସ ଫି’ ବୃଦ୍ଧି ହୋଇଛି। ପ୍ରାୟ ୧୦ଟି ଇଞ୍ଜିନିୟରି˚, ଏମ୍‌ବିଏ, ଏମ୍‌ସିଏ କ‌ଲେଜ ୫ରୁ ୩୦ ପ୍ରତିଶତ ଫି’ ବଢ଼ାଇଛନ୍ତି। ଏମ୍‌ବିବିଏସ୍‌ରେ ସର୍ବାଧିକ ୧ ଲକ୍ଷ ୨୫ ହଜାର ଟଙ୍କା ବଢ଼ିଛି।

ମୁଣ୍ଡ ବିନ୍ଧାଇଲା ରୢାଗିଂ

ଓଡ଼ିଶା ରୢାଗିଂରେ ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିଲା। ୫ ବର୍ଷରେ ୩ ହଜାର ୨୨ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ଏକ ହଜାର ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଶତାଧିକ ଛାତ୍ରଛାତ୍ରୀ ସୋସିଆଲ୍‌ ନେଟଵାର୍କି˚ର ଶିକାର ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ଼ ସାଇବର‌୍ ସମ୍ପର୍କରେ ଶିକ୍ଷା ଦେବାକୁ ସିବିଏସ୍‌ଇ ଓ ଗଣଶିକ୍ଷା‌ ବିିଭାଗ ନିଷ୍ପତ୍ତି ନେଇଛି।

‘ମୋମୋ’ ଭୟ

‘ମୋମୋ’ ଗେମ୍‌କୁ ନେଇ ଏବର୍ଷ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଦେଶରେ ଅନେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଓଡ଼ିଶାରେ ଦୁଇ ଜଣ ଆତ୍ମହତ୍ୟା ଅଭିଯୋଗ ପରେ ‘ମୋମୋ’ ଖେଳଠାରୁ ଛାତ୍ରଛାତ୍ରୀଙ୍କୁ ଦୂରେଇ ରଖିବାକୁ ଅଭିଭାବକ, ସ୍କୁଲ କର୍ତୃପକ୍ଷଙ୍କୁ କ୍ରାଇମ୍‌ ବ୍ରାଞ୍ଚ, ସିବିଏସ୍‌ଇ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

ପୂର୍ଣ୍ଣାଙ୍ଗ ଆଇଆଇଟି

ପୂର୍ଣ୍ଣାଙ୍ଗ ରୂପ ନେଇଛି ଭୁବନେଶ୍ବର ଆଇଆଇଟି। ଜୁନ୍‌ରେ ଅଧା ଆଇଆଇଟି ସ୍ଥାନାନ୍ତର ହୋଇଥିବା ବେଳେ ଏବେ ସମ୍ପୂର୍ଣ୍ଣ କ୍ୟାମ୍ପସ ଅରୁଗୁଳକୁ ଉଠିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଉପସ୍ଥିତିରେ ଡିସେମ୍ବର ୨୪ରେ ପୂର୍ଣ୍ଣାଙ୍ଗ କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଫେବ୍ରୁଆରି ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଇଆଇଟି ସମାବର୍ତନ ଉତ୍ସବରେ ଯୋଗଦେଇଥିଲେ।

ଦୁଇ ମେଡିକାଲ କଲେଜ

ବାଲେଶ୍ୱର ଓ ବଲାଙ୍ଗୀରରେ ଦୁଇଟି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଯଥାକ୍ରମେ ଫକୀର ମୋହନ ସେନାପତି ଓ ସନ୍ଥକବି ଭୀମଭୋଇଙ୍କ ନାଁରେ ନାମିତ ହୋଇଛି। ଦୁଇ କଲେଜ‌ର ଶହେ ଲେଖାଏ ସିଟ୍‌ରେ ଚଳିତ ଶିକ୍ଷାବର୍ଷରେ ନାମଲେଖା ହୋଇଛି। ଏବେ ଓଡ଼ିଶାରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୭‌ରେ ପହଞ୍ଚିଛି। ଆଉ ୫ଟି କଲେଜ ପାଇଁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି।

ସମ୍ବନ୍ଧିତ ଖବର