ବରପୁତ୍ରଙ୍କୁ ଶ୍ରଦ୍ଧା‌ଞ୍ଜଳି ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଅପରାହ୍‌ଣରେ ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ତଥା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅପରାହ୍‌ଣରେ ରାଷ୍ଟ୍ରପତି ପୁରୀରୁ ଫେରିବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଲୋକନୃତ୍ୟ ଓ ପାରମ୍ପରିକ ବାଦ୍ୟ ସାଙ୍ଗକୁ ଶଙ୍ଖଧ୍ବନିରେ ସେଠାକାର ପରିବେଶ ମୁଖରିତ ହୋଇଉଠିଥିଲା। ଏହାପରେ ରାଷ୍ଟ୍ରପତି ରାଜ୍ୟ ସଂଗ୍ରହାଳୟ ଛକଠାରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ପରେ ରାଜଭବନ ଛକରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଛକଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାଓ୍ୱାର ହାଉସ୍‌ ଛକଠାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କଳିଙ୍ଗ ହସ୍ପିଟାଲ ଛକରେ ସ୍ୱଭାବ କବି ଗଙ୍ଗାଧର ମେହେର ଓ ସହିଦ ଲକ୍ଷ୍ମଣ ନାଏକ, ମୈତ୍ରୀବିହାରଠାରେ ଭଗବାନ ବିର୍ସା ମୁଣ୍ଡା ଓ ଗୁରୁ ଗୋମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେଠାରେ ଜନଜାତିଙ୍କ ପୂଜ୍ୟଦେବତା ମାରାଂ ବୁରୁଙ୍କୁ ପ୍ରାର୍ଥନା ପୂର୍ବକ ପ୍ରଣିପାତ କରିଥିଲେ।

ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କେତେକ ସ୍ଥାନରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇ ଲୋକନୃତ୍ୟ ଓ ଜନଜାତି ନୃତ୍ୟ ପରିବେଷିତ ହୋଇଥିଲା। ସବୁଠାରେ ଜନସାଧାରଣ ହର୍ଷଧ୍ବନି, ହୁଳହୁଳି ସହିତ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଶୃଙ୍ଖଳିତ ଭାବେ ସମବେତ ହୋଇଥିଲେ।

ସମ୍ବନ୍ଧିତ ଖବର