ମା’ ଭଲ ଭାବରେ ନୋଟ୍‌ ପ୍ରସ୍ତୁତ କରି ପାରନ୍ତୁ ବୋଲି ତାଙ୍କ ଶିଶୁକୁ ୩ଘଣ୍ଟା କାଳ ନିଜ ପିଠିରେ ଝୁଲାଇ ପଢ଼ାଇଲେ ପ୍ରଫେସର

ନୂଆଦିଲ୍ଲୀ : ଜଣେ କଲେଜ ପ୍ରଫେସର କରିଥିବା କାମ ଏବେ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି । ତାଙ୍କ କାମ ଏବେ ସମସ୍ତଙ୍କ ହୃଦୟ ଜିିତିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରଫେସରଙ୍କ ନାଁ ଡକ୍ଟର ରମତା ସିଶୋକୋ ସିସେ ବୋଲି ଜଣା ପଡ଼ିଥିବା ବେଳେ ସେ ଜର୍ଜିଆ କଲେଜରେ ଜୀବ ବିଜ୍ଞାନ ପଢ଼ାଉଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ରମତା ଶ୍ରେଣୀଗୃହକୁ ଆସୁଥିବା ସମୟରେ ଜଣେ ଛାତ୍ରୀ ନିଜ ଶିଶୁକୁ ଧରି ଆସୁଥିବା ଦେଖିଲେ । ଛାତ୍ରୀଜଣଙ୍କ ଶିଶୁକୁ ରଖିବା ପାଇଁ କୌଣସି ସ୍ଥାନ ନଥିବା କଥା କହିବା ସହ ଶ୍ରେଣୀଗୃହକୁ ନେଇ ପାରିବି କି ବୋଲି ରମତାଙ୍କୁ ପ୍ରଶ୍ନ କରିଥିଲେ । ରମତା ଅନୁମତି ଦେବା ପରେ ଛାତ୍ରୀଜଣଙ୍କ ନିଜ ଶିଶୁକୁ ଧରି ଶ୍ରେଣୀଗୃହକୁ ପ୍ରବେଶ କରିଥିଲେ । କିନ୍ତୁ ପାଠ ପଢ଼ା ସମୟରେ ଛାତ୍ରୀଙ୍କୁ ଲେଖିବାରେ ଅସୁବିଧା ହେଉଥିବା ଦେଖି ରମତା ଶିଶୁକୁ ନିଜ ପିଠିରେ ଝୁଲାଇ ପଢ଼ାଇବା ଆରମ୍ଭ କରିଥିଲେ । ଯାହାଦ୍ୱାରା ଶିଶୁର ମା’ ଠିକ୍‌ ଭାବରେ ଲେଖି ପାରିଥିଲେ। ୩ଘଣ୍ଟା କାଳ ରମତା ଶିଶୁକୁ ନିଜ ପିଠିରେ ଝୁଲାଇ ଛାତ୍ର-ଛାତ୍ରୀଙ୍କୁ ପଢ଼ାଇଥିଲେ ବୋଲି ଜଣା ପଡ଼ିଛି । ତାଙ୍କର ଏଭଳି କାମ ଏବେ ଅନେକଙ୍କୁ ବହୁତ କିଛି ଶିଖାଇଛି । ଏ ନେଇ ପ୍ରଥମେ ରମତାଙ୍କ ଝିଅ ଟୁଇଟ୍‌ କରିବା ପରେ ଖବରଟି ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର