ଶ୍ରୀଜଗନ୍ନାଥଙ୍କ ଛ’ରଥ : ମାଳିନୀ ନଦୀ ଏପଟେ ୩, ସେପଟେ ୩

ଷୋଡ଼ଶ ଶତାଦ୍ଦୀରେ ରଚିତ ମାଦଳା ପାଞ୍ଜିରେ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳେ। ଏଥିରେ ଉଲ୍ଲେଖ ଅଛି ଯେ ‘‘ବୀର ନରସିଂହ ଦେବ ରାଜା ରାଜ୍ୟ କଲେ। ଏ ରାଜା ବାଙ୍କୀ ମୁହାଣ ପୋତାଇଲେ। ଛଅ ରଥ ହେଉଥିଲା, ରାଜା ତାହା ପୋତାଇ ତିନି ରଥ କରାଇଲେ। ଗୁଣ୍ଡିଚା ଘର ଦେଉଳ କାଠ ମଣ୍ଡପ ହୋଇଥିଲା, ତାହା ପଥର ମଣ୍ଡପ କଲେ। ଏ ଦୁଇ ପାଖେ ବଳଗଣ୍ଡି କଲେ।’’ ଅନ୍ୟ ମତରେ ଲାଙ୍ଗୁଳା ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ଭାନୁଦେବଙ୍କ (ଖ୍ରୀ.ଅ ୧୨୬୪-୧୨୭୮)ଙ୍କ ସମୟରେ ଛଅ ରଥ ପରିବର୍ତ୍ତେ ତିନି ରଥ ହେବାର ବ୍ୟବସ୍ଥା ହୋଇଥିଲା। ଏହି ଛଅ ରଥ କେବେ ଠାରୁ ଶ୍ରୀକ୍ଷେତ୍ରରେ ପ୍ରଚଳିତ ହେଲା, ସେ ସମ୍ପର୍କରେ ମାଦଳା ପାଞ୍ଜିରୁ କୈଣସି ତଥ୍ୟ ମିଳୁନାହିଁ। କିନ୍ତୁ ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ପୁରୀରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଛି। ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ରଚିତ ସ୍କନ୍ଧ ପୁରାଣ ଉତ୍କଳ ଖଣ୍ଡର ପୁରୁଷୋତ୍ତମ ମାହାତ୍ମ୍ୟରେ ରଥଯାତ୍ରାର ସବିଶେଷ ବିବରଣୀ ବର୍ଣ୍ଣନା ରହିଛି।

ଅଷ୍ଟମ ବା ନବମ ଶତାଦ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଷୟ ଭିକାରୀ ପଟ୍ଟନାୟକଙ୍କ ୧୮୫୯ ସାଲରେ ରଚିତ ରଥ ଚକଡା ପୋଥିରୁ ଉଦ୍ଧାର କରି ଗବେଷକ ସଦାଶିବ ରଥଶର୍ମା ପ୍ରକାଶ କରିଛନ୍ତି। ଯଯାତିଙ୍କ ବେଳେ ଜଗନ୍ନାଥ ମନ୍ଦିରର ଉଚ୍ଚତା ମାତ୍ର ୪୮ ହାତ ଥିଲା। ଠାକୁରେ ୨ହାତ ୧୦ଆଙ୍ଗୁଳର ଥିଲେ ଓ ରଥମାନ ୧୮ ହାତ ଉଚ୍ଚ ଥିଲା। ତିନି ରଥ ବୋଧେ ସମାନ ଥିଲା। ରଥ ଛଅ ଗୋଟି ହେଉଥିଲା। ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥ ଯାଉଥିଲା। ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନିରଥ ନିର୍ମାଣ କରାଯାଉଥିଲା। ଏହା ଚାରି ଚକିଆ ଶଗଡି ସଦୃଶ୍ୟ ହେଉଥିଲା। ଏହି ତିନିଗୋଟି ରଥ ମାଳିନୀ ବା ବଡ଼ ନଈର ଉତ୍ତର ଭୂମିରେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ଘରକୁ ଯାଉଥିଲା। ସିଂହଦ୍ୱାର ଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ ଷୋହଳ ଚକିଆ , ଚଉଦ ଚକିଆ ଓ ବାର ଚକିଆ। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା। କନକ ମୁଣ୍ଡାଇରେ ରତ୍ନ ଚାନ୍ଦୁଆ ଟଣା ହେଉଥିଲା। ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରି, ରଥ ଘଣ୍ଟୁଆ, ବାଦ୍ୟକାରମାନେ ଯାଉଥିଲେ ଆଗେ ଆଗେ। ପଛରେ ତିନି ରଥକୁ ଟାଣୁଥିଲେ ଭକତମାନେ। ରଥରେ ଚାଉଳ, ନଡିଆ ଖଣ୍ଡ ପଡି ଭୋଗ ଲାଗୁଥିଲା। ତାହା ଅଳ୍ପ ସଂଖ୍ୟକ ସମବେତ ଭକ୍ତଗଣଙ୍କୁ ବଣ୍ଟନ କରାଯାଉଥିଲା। ବଳଗଣ୍ଡିଠାରେ ରଥ ପହଞ୍ଚିଲେ ଦୋଳଚାପରେ ନଈ ପାରି ହୋଇ ଅର ପଟକୁ ଠାକୁରମାନେ ବିଜେ କରି ଚାରି ଚକିଆ ଶଗଡି ରଥରେ ବସି ଗୁଣ୍ଡିଚା ମନ୍ଦିର ବେଢାକୁ ଯାଆନ୍ତି। ସାତ ଦିନ ପରେ ନବଦିନ ଯାତ୍ରା ସମାପ୍ତ କରି ବାହୁଡା ଯାତ୍ରା ହେଉଥିଲା।

ଯଯାତିଙ୍କ ସମୟରେ ବଡ଼ ଦାଣ୍ଡର ବଳଗଣ୍ଡିଠାରେ ମାଳିନୀ ନଦୀ ପ୍ରବାହିତ ହେଉଥିବାରୁ ଛଅ ରଥ ନିର୍ମାଣ କରାଯାଉଥିଲା ଏବଂ ବୀର ନରସିଂହ ଦେବ ଓରଫ ପ୍ରଥମ ଭାନୁଦେବ (ଖ୍ରୀ.ଅ.୧୨୬୪-୧୨୭୮) କିମ୍ବା ଦ୍ୱିତୀୟ ନରସିଂହ ଦେବ (ଖ୍ରୀ.ଅ ୧୨୭୮-୧୩୦୭)ଙ୍କ ସମୟରେ ଏହି ମାଳିନୀ ନଦୀ (ଶରଧାବାଲି)କୁ ପୋତି ଦେବା ଫଳରେ ଛଅ ରଥ ପରିବର୍ତ୍ତେ ତିନି ରଥ ତିନି ରଥ ନିର୍ମିତ ହୋଇ ଆସୁଅଛି। ମାଳିନୀ ବା ଶରଧା ନଦୀ ପୋତା ହେଲା ପରେ ଏହା ବଡ଼ ଦାଣ୍ଡରେ ପରିଣତ ହେଲା। ବିଭିନ୍ନ ପୁରାଣରେ ଘୋଷଯାତ୍ରା ସମ୍ପର୍କରେ ଉଲ୍ଲେଖ ରହିଛି। ଶ୍ରୀକ୍ଷେତ୍ର ଧାମରେ ପାଳିତ ହେଉଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ତଥା ପାଳନ ବିଧିର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ପୁରାଣ ଓ ଉପପୁରାଣମାନଙ୍କରେ ଉଲ୍ଲେଖ ହୋଇଛି। ବିଶେଷ ଭାବେ ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମ ପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା, ଶାରଦା ପୁରାଣ ପ୍ରଭୃତି ଉଲ୍ଲେଖଯୋଗ୍ୟ। ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟ ଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣୀ ରହିଅଛି।

ହାତୀ ଦ୍ବାରା ଦକ୍ଷିଣ ମୋଡ଼
ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହଳି ସହ ତିନି ରଥକୁ ଉକ୍ତ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ଏହା ପରେ ତିନି ରଥର ଦକ୍ଷିଣ ମୋଡ଼ ହୋଇଥାଏ। ପୂର୍ବେ କଳା ବେଠିଆ (ଶ୍ରମିକ) ଓ ହସ୍ତୀମାନଙ୍କ ସାହାଯ୍ୟରେ ରଥର ଦକ୍ଷିଣ ମୋଡ଼ ହେଉଥିଲା। ସାଧରଣତଃ ରଥର ଦକ୍ଷିଣ ମୋଡ଼ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିଥାଏ। କିନ୍ତୁ କେତେ ବର୍ଷ ଏକ ଦିନରେ ଦକ୍ଷିଣ ମୋଡ଼ ହୋଇଥିବାର ପ୍ରମାଣ ରହିଛି। ସୂଚନାଯୋଗ୍ୟ ଯେ, ଦକ୍ଷିଣ ମୋଡ଼ ସମୟରେ ରଥ ଉପରେ ଘଣ୍ଟୁଆ ଘଣ୍ଟ ବଜାଇବା ସହିତ ଡାକୁଆ ରଥ ଉପରେ ଠିଆ ହୋଇ ରଥ ଗୀତ ବୋଲିଥାନ୍ତି। ଭୋଇ ଓ ମହାରଣାମାନେ ରଥଟଣାରେ ସାହାଯ୍ୟ କରିଥାନ୍ତି। ୧୯୮୫-୮୬ ମସିହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ବଡ଼ଶଙ୍ଖପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ଅଞ୍ଚଳ ନିମ୍ନ ଥିଲା। ପ୍ରାୟ ୨-୩ ଫୁଟ୍ ପର୍ଯ୍ୟନ୍ତ ଜଳ ଉଭୟ ପାର୍ଶ୍ୱରେ ଜମି ରହୁଥିଲା। ସେତେବେଳେ ରଥର ଦକ୍ଷିଣ ମୋଡ଼ ବହୁ କଷ୍ଟରେ କରାଯାଉଥିଲା।

ସମ୍ବନ୍ଧିତ ଖବର