କନ୍ୟା ସଞ୍ଜନାଙ୍କ କେଉଁ ଅନୁରୋଧ ଯୋଗୁଁ ବିଶ୍ୱକର୍ମା ସୁଦର୍ଶନ ଚକ୍ର ଗଢ଼ିଥିଲେ…

ଭଗବାନ ଶ୍ରୀକୃଷ୍ଣ ଧରିଥିବା ସୁଦର୍ଶନ ଚକ୍ର ସଂପର୍କରେ ଅନେକ କାହାଣୀ ରହିଛି। ଆସନ୍ତୁ ଏହାର ସୃଷ୍ଟି ସଂପର୍କରେ କ’ଣ କହେ କିମ୍ବଦନ୍ତୀ।

ସାଧାରଣ ଭାବେ ଆମେ, ସମସ୍ତ ପ୍ରକାରର ଅଶୁଭ ବା ନକାରାତ୍ମକ ଶକ୍ତି ଠାରୁ ଆମକୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଭଗବାନ ସୁଦର୍ଶନଙ୍କୁ ଫାଲଗୁନ ମାସର ବସନ୍ତ ଋତୁରେ ହୋଲି ଉତ୍ସବରେ ପୂଜା କରିଥାଉ। ଭଗବାନ ସୁଦର୍ଶନ ସବୁବେଳେ ଚକ୍ର ରୂପରେ ଶ୍ରୀକୃଷ୍ଣଙ୍କ ଅଙ୍ଗୁଳି ମଧ୍ୟରେ ଶୋଭା ପାଉଥାନ୍ତି। ତେବେ, ଏହି ସୁଦର୍ଶନ ଚକ୍ରକୁ କେନ୍ଦ୍ରକରି ରହିଛି ଅନେକ ପୌରାଣିକ ଆଖ୍ୟାନ।

ଏଥିମଧ୍ୟରୁ ଗୋଟିଏ ପୌରାଣିକ ଆଖ୍ୟାନ କହେ, ସୁଦର୍ଶନ ଚକ୍ରର ନିର୍ମାଣ କରିଥିଲେ ନିର୍ମାଣର ଦେବତା ବିଶ୍ୱକର୍ମା। ବିଶ୍ୱକର୍ମାଙ୍କ କନ୍ୟା ସଞ୍ଜନା ବିବାହ କରିଥିଲେ ଆଲୋକର ଦେବତା ସୂର୍ଯ୍ୟଙ୍କୁ। ହେଲେ, ସୂର୍ଯ୍ୟଙ୍କର ପ୍ରବଳ ତେଜ ଓ ଉତ୍ତାପକୁ ଅତିକ୍ରାନ୍ତ କରି ସେ ତାଙ୍କ ନିକଟକୁ ଯାଇପାରୁ ନଥିଲେ। ଏ ସଂପର୍କରେ ସଞନା ପିତା ବିଶ୍ୱକର୍ମାଙ୍କୁ ଅଭିଯୋଗ କଲେ। ନିଜ ଝିଅର ଏ ସମସ୍ୟାକୁ ଦୂର କରିବାକୁ ଯାଇ ବିଶ୍ୱକର୍ମା କିଛି ଧୂଳି (କଣିକା) ସାହାଯ୍ୟରେ ଏକ ଚାଦର ନିର୍ମାଣ କରି ସୂର୍ଯ୍ୟଙ୍କୁ ଢ଼ାଙ୍କି ଦେଲେ। ଫଳରେ ସୂର୍ଯ୍ୟ ଦେବାତାଙ୍କ ଉତ୍ତାପ କମିଗଲା ଏବଂ ସଞ୍ଜନା ସୂର୍ଯ୍ୟଙ୍କ ନିକଟତର ହୋଇପାରିଲେ। ଏବଂ ଏକ ସ୍ୱାଭାବିକ ବୈବାହିକ ଜୀବନ ନିର୍ବାହ କରିବାରେ ସମର୍ଥ ହେଲେ। ହେଲେ, ଏହାପରେ ବି ଆଉ କିଛି ଧୂଳି ବା କଣିକା ବଳି ପଡ଼ିଥିଲା ବିଶ୍ୱକର୍ମାଙ୍କ ନିକଟରେ। ଏଥିରେ ସେ ନିର୍ମାଣ କରିଥିଲେ ତିନିଟି ଜିନିଷ। ପ୍ରଥମଟି ହେଲା, ପୁଷ୍ପକ ବିମାନ। ଦ୍ୱିତୀୟଟି ହେଲା ତ୍ରିଶୂଳ; ଆଉ ତୃତୀୟଟି ହେଉଛି ସୁଦର୍ଶନ ଚକ୍ର।

ସମ୍ବନ୍ଧିତ ଖବର