ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଓ ମଧୁସୂଦନ

କଲିକତାରେ ଦୀର୍ଘ ଷୋହଳ ବର୍ଷ କାଳ ଅତିବାହିତ କରିବା ପରେ ଓଡ଼ିଶାର ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍‌, ପ୍ରଥମ ଓକିଲ ଓ ପ୍ରଥମ ଏମ୍‌.ଏ. ଡିଗ୍ରୀଧାରୀ ମଧୁସୂଦନ ନିଜ ଜନ୍ମ ମାଟି କଟକକୁ ଫେରି ଆସିଥିଲେ। କଲିକତାରେ ରହିବା ସମୟରେ ସେ ତାଙ୍କ ତପସ୍ୟାରେ ସିଦ୍ଧି ଲାଭ କରି ଜଣେ ନାମକରା ଓକିଲ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ସେହି ସମୟ ମଧୢରେ ମଧୁସୂଦନଙ୍କର କଲିକତା ହାଇକୋର୍ଟ‌୍‌ର ବହୁ ଅଭିଜ୍ଞ ଓକିଲମାନଙ୍କ ସହିତ ସମ୍ପର୍କ ସ୍ଥାପିତ ହୋଇଥିଲା। ସେମାନେ ମଧୁସୂଦନଙ୍କର ତୀକ୍ଷ୍ଣ ବୁଦ୍ଧି, ଗଭୀର ଆଇନ ଜ୍ଞାନ ଓ ଜବାବସୁଆଲ କୌଶଳରେ ବିମୁଗ୍ଧ ହୋଇଯାଉଥିଲେ। କଲିକତାରେ ମଧୁସୂଦନ ଯଥେଷ୍ଟ ଅର୍ଥ ଓ ଯଶର ଅଧିକାରୀ ହୋଇପାରିଥିଲେ। ମାତ୍ର ଜନ୍ମମାଟିର ମୋହ ତାଙ୍କୁ ଆକର୍ଷିତ କଲା ଓ ଶେଷରେ ସେ କଟକ ଫେରିଆସିଥିଲେ।

ମଧୁସୂଦନଙ୍କ କଲିକତାରେ ଅବସ୍ଥାନ କାଳରେ ଓଡ଼ିଶାରେ ‘ନଅଙ୍କ ଦୁର୍ଭିକ୍ଷ’ ପଡ଼ିଥିଲା। ୧୮୬୬ ମସିହାରେ ଘଟିଥିବା ଏହି ଦୁର୍ଭିକ୍ଷରେ ପ୍ରାୟ ଦଶ ଲକ୍ଷ ଲୋକ ପ୍ରାଣ ହରାଇଥିବା କଥା ଏକ ଆକଳନରୁ ଜଣାପଡିଥିଲା। ସେ ଦୁର୍ଭିକ୍ଷ ଓଡ଼ିଶାର ମେରୁଦଣ୍ତକୁ ଦୋହଲାଇ ଦେଇଥିଲା। ଦୁର୍ଭିକ୍ଷ ପରେ ତା’ର କାରଣ ଅନୁସନ୍ଧାନ କରିବା ପାଇଁ ଇ˚ରେଜ ସରକାର ଯେଉଁ ତଦନ୍ତ କରାଇଥିଲେ ସେଥିରୁ ଜଣାପଡ଼ିଥିଲା ଯେ, ‘‘ପ୍ରଶାସନର ଅନାସକ୍ତ ଭାବ ସାଙ୍ଗକୁ ଖାଦ୍ୟାଭାବ ଓ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଲୋକଙ୍କ ପାଇଁ ପ୍ରଶାସନିକ ବ୍ୟବସ୍ଥାରେ ଅସୁବିଧା ଯୋଗୁଁ ଏହି ମନୁଷ୍ୟକୃତ ଅଘଟଣ ଘଟିଥିଲା।’’ ଦୁର୍ଭିକ୍ଷ ପରେ ଭାରତବର୍ଷ ପାଇଁ ନିଯୁକ୍ତ ଇ˚ରେଜ୍‌ ସରକାରଙ୍କ ଷ୍ଟେଟ୍‌ ସେକ୍ରେଟାରୀ ସାର‌୍‌ ଷ୍ଟାପୋଡର୍ ନର୍ଥକୋଟ, ଏପରି ଘଟଣାର ପୁନରାବୃତ୍ତି ନ ଘଟିବା ପାଇଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ପୁନର୍ଗଠନ କରି ଗୋଟିଏ ଅଞ୍ଚଳରେ ରଖିବା ପାଇଁ ସୁପାରିସ କରିଥିଲେ। ତଦ୍ଦ୍ବାରା ପ୍ରଶାସନିକ କ୍ଷେତ୍ରରେ ଯେଉଁସବୁ ବିପଦ ସୃଷ୍ଟି ହେଉଛି, ତାକୁ ଦୂର କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ। ଅନେକ ଐତିହାସିକଙ୍କ ମତରେ ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ ସ˚ଖ୍ୟାନ୍ୟୂନ ଭାବରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀମାନେ ଏକାଠି ହୋଇ ଗୋଟିଏ ନୂଆ ପ୍ରଦେଶ ଗଠନ କରିବା ପାଇଁ ଏହି ସୁପାରିସ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ସ˚ଗଠିତ ଜନମତର ଅଭାବ ସାଙ୍ଗକୁ କୌଣସି ଦୃଢ଼ ସ˚ଗଠନ ନ ଥିବାରୁ ଓଡ଼ିଶାବାସୀ ସେ ସୁପାରିସରୁ କୌଣସି ସୁବିଧା ହାସଲ କରିପାରି ନ ଥିଲେ। ସେ ସମୟରେ ଓଡ଼ିଶା କହିଲେ ପୁରୀ, କଟକ, ବାଲେଶ୍ବରକୁ ନେଇ ଗଠିତ ‘ଓଡ଼ିଶା ଡିଭିଜନ’କୁ ବୁଝାଉଥିଲା। ଅନ୍ୟ ଓଡ଼ିଆ ଭାଷାଭାଷୀମାନେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ମଧୢପ୍ରଦେଶ, ମାନ୍ଦ୍ରାଜ ଓ ଅନ୍ୟାନ୍ୟ ଅଞ୍ଚଳରେ ସ˚ଖ୍ୟାନ୍ୟୂନ ଭାବରେ ବସବାସ କରୁଥିଲେ।

ମଧୁସୂଦନ କଟକ ଫେରିବା ସମୟରେ ତାଙ୍କ ମନରେ ଅସୁମାରି ସ୍ବପ୍ନ ଉଙ୍କି ମାରିଥିଲା। ସେ ଭାବିଥିଲେ ତାଙ୍କ ଫେରିବା ବାଟକୁ କଟକ ସହରବାସୀ ଚାହିଁ ବସିଥିବେ। ତାଙ୍କୁ ସ୍ବାଗତ ଜଣାଇବା ପାଇଁ ବିଭିନ୍ନ ସ୍ଥାନରେ ତୋରଣମାନ ନିର୍ମିତ ହୋଇଥିବ। ମାତ୍ର କଲିକତାରୁ ଷ୍ଟିମର‌୍‌ ଯୋଗେ ଆସି କଟକ ସହରର ଜୋବ୍ରା ଘାଟରେ ପହଞ୍ଚିବା ପରେ ମଧୁସୂଦନ ଯାହା ଦେଖିଲେ, ସେଥିରେ ତାଙ୍କ ସ୍ବପ୍ନରେ ଭଟ୍ଟା ପଡ଼ିଯାଇଥିଲା। ସ୍ବତନ୍ତ୍ର ତୋରଣ ନିର୍ମାଣ କିମ୍ବା ସମ୍ବର୍ଦ୍ଧନା ସଭା ଦୂରର କଥା, ସେଠାରେ ତାଙ୍କୁ ଅଭ୍ୟର୍ଥନା ଜଣାଇବା ପାଇଁ ମାତ୍ର ତିନିଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ସେଦିନର ଦୃଶ୍ୟ ସମ୍ପର୍କରେ ମହାନ କଥାକାର ସୁରେନ୍ଦ୍ର ମହାନ୍ତି ତାଙ୍କ ପୁସ୍ତକ ‘ଶତାବ୍ଦୀର ସୂର୍ଯ୍ୟ’ (ପୃ. ୧୮୨)ରେ ଲେଖିଛନ୍ତି, ‘‘କଲିକତା ଫେରନ୍ତା ଷ୍ଟିମର‌୍‌ କଟକର ଜୋବ୍ରା ଘାଟରେ ଲାଗିଲାବେଳେ ମଧୁସୂଦନଙ୍କୁ ପାଛୋଟି ନେବା ପାଇଁ ସେଠାରେ କେହି ନ ଥିଲେ। ଘାଟରେ ଅପେକ୍ଷା କରିଥିବା ଗହଳି ମଧୢରୁ ଚିହ୍ନା ମୁହଁ କିମ୍ବା ସମ୍ବର୍ଦ୍ଧନାର ସଙ୍କେତ ନ ଦେଖି ମଧୁସୂଦନଙ୍କ ମନଟା ଊଣା ପଡ଼ିଯାଇଥିଲା। ଜୋବ୍ରାର ଷ୍ଟିମର‌୍‌ ଘାଟରୁ ଓଡ଼ିଶାର କୃତୀ ସନ୍ତାନଙ୍କୁ ପାଛୋଟି ନେବା ପାଇଁ ମାତ୍ର ତିନିଜଣ ବ୍ୟକ୍ତି ଅପେକ୍ଷା କରିଥିଲେ। ସେଇ ତିନିଜଣଙ୍କ ଭିତରେ ଥିଲେ ମଧୁସୂଦନଙ୍କ ସହୋଦର ଭାଇ ଗୋପାଳ ବଲ୍ଲଭ, ନନ୍ଦ କିଶୋର ବଳ ଓ ଗୌରୀଶଙ୍କରଙ୍କ ସାନଭାଇ ରାମଶଙ୍କର ରାୟ।’’

ମଧୁସୂଦନ କଟକ ଫେରିଲା ବେଳକୁ ଓଡ଼ିଆମାନଙ୍କ ଭିତରେ ସେପରି କୌଣସି ଦୃଢ଼ ସ˚ଗଠନ ନ ଥିଲା, କିମ୍ବା ଦୃଢ଼ ନେତୃତ୍ବ ସୃଷ୍ଟି ହୋଇ ନଥିଲା। ‘ଉତ୍କଳ ସଭା’ ଏବ˚ ‘ଓଡ଼ିଆ ପିପୁଲ୍‌ସ ଆସୋସିଏସନ୍‌’ ନାମରେ ଯେଉଁ ଦୁଇଟି ସ˚ଗଠନ ଥିଲା, ତା’ର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ଥିଲା। ଦୀନନାଥ ବାନାର୍ଜୀଙ୍କ ମୃତ୍ୟୁ ପରେ ଓଡ଼ିଆ ପିପୁଲ୍‌ସ ଆସୋସିଏସନ୍‌ ଏକ ପ୍ରକାର ମୃତ ପ୍ରାୟ ଅବସ୍ଥାକୁ ଚାଲିଆସିଥିଲା ଏବ˚ ‘ଉତ୍କଳ ସଭା’ର ପ୍ରଭାବ କେବଳ କଟକ ସହର ଭିତରେ ସୀମିତ ଥିଲା। ଓଡ଼ିଆମାନଙ୍କର ଗୋଟିଏ ଦୃଢ଼ ସ˚ଗଠନ ଗଢ଼ିବାକୁ ମଧୁସୂଦନଙ୍କ ମନ ବ୍ୟାକୁଳ ହୋଇଉଠିଲା। ସେହି ସମୟରେ ତାଙ୍କ ପାଇଁ ଗୋଟିଏ ନୂତନ ସୁଯୋଗ ସୃଷ୍ଟି ହୋଇଥିଲା। ଇ˚ଲଣ୍ତର ସମ୍ରାଟ୍‌ ସପ୍ତମ ଏଡ୍ଵାର୍ଡଙ୍କ ଅଭିଷେକ ଉତ୍ସବ ପାଳନ କରିବା ଉଦ୍ଦେଶ୍ୟରେ ୧୯୦୭ ମସିହା ଜାନୁଆରି ୨ ତାରିଖରେ କଟକ ସହରରେ ଥିବା ‘ଲାଲବାଗକୋଠି’ (ବର୍ତ୍ତମାନ ଚାଲୁଥିବା ଶିଶୁଭବନ ଡାକ୍ତରଖାନା)ରେ ଗୋଟିଏ ଦରବାର ସମାରୋହ ଅନୁଷ୍ଠିତ ହୋଇଥିଲା। ସେ ସମାରୋହରେ ଓଡ଼ିଶା ଡିଭିଜନ ଓ ଗଡ଼ଜାତର ବହୁ ରାଜା, ମହାରାଜା, ଜମିଦାର ଓ ନେତୃସ୍ଥାନୀୟ ବ୍ୟକ୍ତି ଯୋଗ ଦେଇଥିଲେ। ଏପରି ଏକ ସୁଯୋଗର ସଦ୍‌ବ୍ୟବହାର କରି ଗୋଟିଏ ନୂଆ ସ˚ଗଠନ ଗଢ଼ିବା ପାଇଁ ମଧୁସୂଦନ, ଗୋକୁଳାନନ୍ଦ ଚୌଧୁରୀ, ଭିକାରୀ ଚରଣ ପଟ୍ଟନାୟକ, ଗୌରୀଶଙ୍କର ରାୟ ଏବ˚ ଆଠଗଡ଼ ରାଜା ଶ୍ରୀକରଣ ବିଶ୍ବନାଥ ବେବର୍ତ୍ତା ପଟ୍ଟନାୟକ ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ। ଏହାର ପାଞ୍ଚ ଦିନ ପରେ ମଧୁସୂଦନଙ୍କ ବାସଭବନ (ବର୍ତ୍ତମାନ ଚାଲୁଥିବା ଶୈଳବାଳା ସ୍ବୟ˚ଶାସିତ ମହିଳା କଲେଜ୍‌)ରେ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କଟକ ସମ୍ମିଳନୀର ଦୁଇ ମାସ ପରେ ଏପ୍ରିଲ ୧୧ ଓ ୧୨ ତାରିଖରେ ‘ଗଞ୍ଜାମ ଜାତୀୟ ସମିତି’ ଜନ୍ମଲାଭ କରିଥିଲା। ସେଥିରେ ମଧୁସୂଦନ ନେତୃତ୍ବ ନେଇଥିଲେ। ସମ୍ମିଳନୀର ପରବର୍ତ୍ତୀ ବୈଠକ କଟକରେ ଡିସେମ୍ବର ମାସରେ ଅନୁଷ୍ଠିତ ହେବା ପାଇଁ ମଧୁସୂଦନଙ୍କ ପ୍ରସ୍ତାବକୁ ସମ୍ମିଳନୀରେ ଉପସ୍ଥିତ ନେତୃବୃନ୍ଦ ଅନୁମୋଦନ କରିଥିଲେ। ପୂର୍ବ ନିଷ୍ପତ୍ତି ଅନୁଯାୟୀ କଟକ ସହରରେ ଥିବା ଇଦ୍‌ଘା ପଡ଼ିଆରେ ୧୯୦୭ ମସିହା ଡିସେମ୍ବର ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ହୋଇଥିବା ସମ୍ମିଳନୀରେ ସୃଷ୍ଟି ହୋଇଥିଲା ‘ଉତ୍କଳ ସମ୍ମିଳନୀ’। ୧୯୦୭ରୁ ୧୯୨୦ ପର୍ଯ୍ୟନ୍ତ ମଧୁସୂଦନଙ୍କ ନେତୃତ୍ବରେ ‘ଉତ୍କଳ ସମ୍ମିଳନୀ’ ଓଡ଼ିଆ ଭାଷାଭାଷୀମାନଙ୍କ ସ୍ବାର୍ଥରକ୍ଷା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ମାତ୍ର ୧୯୨୦ରେ ଘଟିଥିବା ଘଟଣାବଳୀ ଓଡ଼ିଶାର ସାମାଜିକ ତଥା ରାଜନୈତିକ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ସେହି ବର୍ଷ ଗାନ୍ଧିଜୀଙ୍କ ନେତୃତ୍ବରେ ଇ˚ରେଜ୍‌ ସରକାରଙ୍କ ବିରୋଧରେ ‘ଅସହଯୋଗ ଆନ୍ଦୋଳନ’ ଆରମ୍ଭ ହୋଇଥିଲା। ସେହି ବର୍ଷ ଗୋପବନ୍ଧୁ ଦାସ ‘ଉତ୍କଳ ସମ୍ମିଳନୀ’ର ଏକ ଅଧିବେଶନ ଚକ୍ରଧରପୁର ଠାରେ ଡକାଇ ଉତ୍କଳ ସମ୍ମିଳନୀକୁ ଉତ୍କଳ ପ୍ରଦେଶ କ˚ଗ୍ରେସ କମିଟିରେ ରୂପାନ୍ତରିତ କରିଦେଇଥିଲେ। ସେହି ସମୟରେ ମଧୁସୂଦନ ଓ ଗୋପବନ୍ଧୁଙ୍କ ନେତୃତ୍ବରେ ଦୁଇଟି ସମାନ୍ତରାଳ ଆନ୍ଦୋଳନ ଚାଲିଥିଲା। ମଧୁସୂଦନ, ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ ବାସ କରୁଥିବା ଓଡ଼ିଆ ଭାଷାଭାଷୀମାନଙ୍କୁ ଏକତ୍ର କରି ଏକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସ˚ଗ୍ରାମ ଅବ୍ୟାହତ ରଖିଥିଲାବେଳେ ଗୋପବନ୍ଧୁ ସ୍ବରାଜ ପ୍ରାପ୍ତି ନିମନ୍ତେ ଗାନ୍ଧିଜୀଙ୍କ ଆନ୍ଦୋଳନରେ ମିଶିଯାଇଥିଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସାରାଜୀବନ ଉଦ୍ୟମ କରିଥିବା ମଧୁସୂଦନ କେବେହେଲେ ସ˚କୀର୍ଣ୍ଣ ପ୍ରାଦେଶିକତା ଗଣ୍ତି ଭିତରେ ଆବଦ୍ଧ ନ ଥିଲେ। ତାଙ୍କ ମତରେ ‘‘ଯଦି ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ ପରସ୍ପର ଠାରୁ ଅଲଗା ହୋଇ ରହୁଥିବା ଓଡ଼ିଆ ଭାଷାଭାଷୀମାନଙ୍କୁ ଗୋଟିଏ ପ୍ରଶାସନ ଅଧୀନରେ ରଖା ନ ଯାଏ, ତେବେ ଦେଶ ସ୍ବାଧୀନ ହେଲେ ମଧୢ ସେମାନେ ବିଭିନ୍ନ ପ୍ରଦେଶରେ ସ˚ଖ୍ୟାଲଘୁ ବାସିନ୍ଦା ଭାବରେ ସବୁଦିନ ପାଇଁ ରହିିଯିବେ।’’

ଏହିପରି ଏକ ପୃଷ୍ଠଭୂମିରେ ଯେଉଁ ଘଟଣାଟି ଘଟିଥିଲା, ତାହା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଏକ ନିର୍ଣ୍ଣାୟକ ମୋଡ଼ ନେଇଥିଲା। ଇ˚ରେଜ୍‌ ସରକାର ୧୯୧୯ ମସିହାରେ ‘ଭାରତ ଶାସନ ଆଇନ-୧୯୧୯’ ନାମରେ ଏକ ଆଇନ ପ୍ରଣୟନ କରି ସେହି ଆଇନ ଅନୁଯାୟୀ ଭାରତବର୍ଷରେ ‘ଦ୍ବୈତ ଶାସନ’ର ବ୍ୟବସ୍ଥା କରିଥିଲେ। ସେଥିରେ କେନ୍ଦ୍ର ସରକାର ଓ ପ୍ରାଦେଶିକ ସରକାର ମଧୢରେ ଶାସନ ଦାୟିତ୍ବ ବଣ୍ଟାଯାଇଥିଲା। ଦଶ ବର୍ଷ ପରେ ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ ଅନୁଧୢାନ କରି ତାକୁ କିପରି ଅଧିକ କ୍ରିୟାଶୀଳ କରାଯାଇପାରିବ ତାକୁ ସୁପାରିସ କରିବା ନିମନ୍ତେ ସାର ଜନ୍‌ ଆଲିସବ୍ରୁକ ସାଇମନଙ୍କ ଅଧୢକ୍ଷତାରେ ‘ଇଣ୍ତିଆନ ଷ୍ଟାଚ୍ୟୁଟାରି କମିସନ’ ନାମର ଗୋଟିଏ କମିସନ ଗଠନ କରାଯାଇଥିଲା। ସାତଜଣ ସଦସ୍ୟ ବିଶିଷ୍ଟ କମିସନରେ ବ୍ରିଟିସ୍‌ ପାର୍ଲାମେଣ୍ଟରେ ସଦସ୍ୟ ଥିବା ଦୁଇଜଣ ଭାରତୀୟଙ୍କୁ ସାମିଲ କରାଯାଇ ନ ଥିବାରୁୁ ଭାରତବର୍ଷରୁ କମିସନ ବିରୋଧରେ ସ୍ବର ଉଠିଥିଲା। ୨୦୧୯ ମସିହାରେ ସାଇମନ କମିସନ ଭାରତ ଆସିବା ପାଇଁ ସ୍ଥିର ହୋଇଥିଲେ ହେଁ କମିସନ ଅଧୢକ୍ଷ ସାଇମନ ୧୯୨୮ ମସିହାରେ କର୍ମକ୍ଷେତ୍ରରୁ ଅବସର ନେଉଥିବା ହେତୁ ବର୍ଷକ ଆଗରୁ ଭାରତ ଗସ୍ତରେ ଆସିଥିଲେ। ସାଇମନ କମିସନଙ୍କୁ ବାସନ୍ଦ କରିବାକୁ କ˚ଗ୍ରେସ ଦଳ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ତଦନୁଯାୟୀ ୧୯୨୮ ଫେବ୍ରୁଆରି ୭ ତାରିଖରେ ଦେଶବ୍ୟାପୀ ସର୍ବତ୍ର ହରତାଳ ପାଳନ କରାଯାଇଥିଲା। ସେଦିନ କଟକ ସହରର କମିସନର ସ୍କୁଲ ଠାରେ ଲକ୍ଷ୍ମୀନାରାୟଣ ସାହୁଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ସାଇମନ କମିସନଙ୍କ ସହିତ ସହଯୋଗ ନ କରିବା ପାଇଁ ଏକ ପ୍ରସ୍ତାବ ଗ୍ରହଣ କରାଯିବା ସହିତ କମିସନଙ୍କ ଗସ୍ତକୁ ଅସହଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଅହରହ ସ˚ଗ୍ରାମ କରୁଥିବା ଦେଶପ୍ରାଣ ମଧୁସୂଦନଙ୍କୁ ଏହି ଘଟଣା ଅତ୍ୟନ୍ତ ବ୍ୟଥିତ କରିଥିଲା। ସେ ମର୍ମେ ମର୍ମେ ଅନୁଭବ କରିଥିଲେ ଯେ, ସାଇମନ କମିସନଙ୍କୁ ସାକ୍ଷାତ କରି ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କିତ ଦାବିପତ୍ର ଉପସ୍ଥାପନ କରାଯାଇ ନ ପାରିଲେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆଉ ସମ୍ଭବ ହେବ ନାହିଁ। ବୃଦ୍ଧ ବୟସ, ଭଗ୍ନ ସ୍ବାସ୍ଥ୍ୟ ଓ ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁ ତାଙ୍କ ପକ୍ଷରେ ପାଟଣା ଯାଇ କମିସନଙ୍କୁ ସାକ୍ଷାତ କରିବା ସମ୍ଭବ ନ ଥିଲା। କମିସନଙ୍କୁ କଟକ ଡକାଇ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ମଧୢ ମଧୁସୂଦନ ଚାହୁଁ ନଥିଲେ। ହେଲେ ସେ ଆଶା ଛାଡ଼ି ନଥିଲେ। ତାଙ୍କର ଅନୁରକ୍ତ ଓ ସହକର୍ମୀ ଭାବେ ପରିଚିତ ବ୍ରଜସୁନ୍ଦର ଦାସ, ଲକ୍ଷ୍ମୀଧର ମହାନ୍ତି, ଭିକାରୀ ଚରଣ ପଟ୍ଟନାୟକ ଓ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ଡକାଇ କମିସନଙ୍କୁ କିପରି ଏକ ଦାବିପତ୍ର ପ୍ରଦାନ କରାଯାଇପାରିବ ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ଶେଷରେ ‘ଉତ୍କଳ ଲିବରାଲ୍‌ ଲିଗ୍‌’ ନାମରେ ଗୋଟିଏ ନୂତନ ସ˚ଗଠନ ତିଆର କରିଥିଲେ ଏବ˚ ଏହା ଜରିଆରେ ପାଟଣାଠାରେ କମିସନଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା।

ସାଇମନ କମିସନ ପାଟଣାରେ ପହଞ୍ଚିବା ପୂର୍ବରୁ ଓଡ଼ିଶାର ପ୍ରତିନିଧିମାନେ ସେଠାରେ ପହଞ୍ଚି ସାରିଥିଲେ। ଷ୍ଟେସନ୍‌ରେ କୁଲିମାନଙ୍କୁ ସ˚ଗଠିତ କରି କମିସନଙ୍କୁ ସ୍ବାଗତ କରିବା ପାଇଁ ସେମାନେ ଅପେକ୍ଷା କରିଥିଲେ। କ˚ଗ୍ରେସର ଆହ୍ବାନରେ ସେଦିନ ପାଟଣାରେ ହରତାଳ ପାଳନ କରାଯିବା ସହିତ କମିସନଙ୍କ ଗସ୍ତକୁ ବିରୋଧ କରି ସର୍ବତ୍ର ବ୍ୟାନର‌୍‌, ପୋଷ୍ଟର‌୍‌ ଲଗାଯାଇଥିଲା। ପାଟଣା ଷ୍ଟେସନ୍‌ଟି ସମ୍ପୂର୍ଣ୍ଣ ଅନ୍ଧକାର ଥିଲା। ‘ସାଇମନ ଫେରିଯାଅ’ ଧ୍ବନି ଶୁଣି ଶୁଣି କମିସନ ଅସ୍ଥିର ହୋଇପଡିଥିଲେ। ଅନ୍ଧକାର ମଧୢରେ କମିସନଙ୍କ କୋଚ୍‌ଟି ଯେତେବେଳେ ପାଟଣା ରେଳ ଷ୍ଟେସନ୍‌ ନିକଟରେ ପହଞ୍ଚିଲା ‘‘ସାଇମନ କମିସନ େଵଲ୍‌କମ୍‌’’ ପ୍ଲାକାର୍ଡ ଧରି କେତେକ ଲୋକ ପ୍ଲାଟ୍‌ଫର୍ମରେ ଛିଡ଼ା ହୋଇଥିବା କମିସନଙ୍କ ଦୃଷ୍ଟିଗୋଚର ହୋଇଥିଲା। ଏପରି ଏକ ଦୃଶ୍ୟ ପ୍ରଥମେ କମିସନଙ୍କ ବିଶ୍ବାସଯୋଗ୍ୟ ହୋଇ ନଥିଲା। ମାତ୍ର କୋଚ୍‌ରୁ ଓହ୍ଲାଇ ସେମାନେ ଯାହା ଦେଖିଲେ ସେଥିରେ ସେମାନଙ୍କର ସନ୍ଦେହ ଦୂର ହୋଇଯାଇଥିଲା। ଓଡ଼ିଆ ପ୍ରତିନିଧିଙ୍କ ସ୍ବାଗତ ସମ୍ବର୍ଦ୍ଧନାରେ ସାଇମନ କମିସନ ବିମୁଗ୍ଧ ହୋଇଯାଇଥିଲେ। ତା’ପର ଦିନ କମିସନ ଓଡ଼ିଶାର ପ୍ରତିନିଧିମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ। ସେଇ ଅବସରରେ ପ୍ରତିନିଧିମାନଙ୍କ ପକ୍ଷରୁ ଏକ କୋଡ଼ିଏ ଦଫା ସମ୍ବଳିତ ଏକ ଦାବିପତ୍ର କମିସନଙ୍କୁ ପ୍ରଦାନ କରାଯାଇଥିଲା। ସାଇମନ କମିସନ ସ୍ମାରକପତ୍ରରେ ଦର୍ଶାଯାଇଥିବା ଯୁକ୍ତିରେ ଗଭୀର ଭାବରେ ପ୍ରଭାବିତ ହୋଇ ସ୍ବତନ୍ତ୍ର ଓଡ଼ିଶା ଗଠନ କ୍ଷେତ୍ରରେ ସହାନୁଭୂତିର ଆବଶ୍ୟକତା ରହିଥିବା କଥାକୁ ଉପଲବ୍‌ଧି କରିଥିଲେ। ବାସ୍ତବରେ ସେ ଦିନର ଆଲୋଚନା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମୂଳଦୁଆ ପକାଇଥିଲା। ଅନେକ ଐତିହାସିକମାନଙ୍କ ମତରେ ଯଦି ମଧୁସୂଦନ ତାଙ୍କ ତୀକ୍ଷ୍ଣ ଦୃଷ୍ଟିକୁ ପ୍ରୟୋଗ କରି ସାଇମନ କମିସନଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇ ନ ଥାନ୍ତେ, ତେବେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରକ୍ରିୟା ଭିନ୍ନ ରୂପ ଧାରଣ କରିଥାନ୍ତା।

ସାଇମନ କମିସନଙ୍କ ସୁପାରିସ ଅନୁଯାୟୀ ‘ଅଟଲୀ କମିଟି’, ‘ଓଡୋନେଲ କମିଟି’ ଏବ˚ ଶେଷରେ ‘ସାର ଜନ୍‌ ଅଷ୍ଟିନ ହବାକ୍‌ କମିଟି’ ଗଠନ କରାଯାଇ ନୂତନ ଓଡ଼ିଶା ପ୍ରଦେଶ ଗଠନର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଏ ଦିଗରେ ମଧୁସୂଦନଙ୍କ ତ୍ୟାଗ, ନିଷ୍ଠା ଓ ନିରବଚ୍ଛିନ୍ନ ସାଧନା ଅତୁଳନୀୟ। ବାସ୍ତବରେ ସେ ଏ ଓଡ଼ିଆ ଜାତିର ନମସ୍ୟ।

ବସନ୍ତ ଦାସ
ମୋ-୯୪୩୭୩୮୬୮୭୦

ସମ୍ବନ୍ଧିତ ଖବର