କାଠରେ କାଠକୁ ଖଞ୍ଜି ମହାରଣାମାନେ ମନ୍ଦିରସ୍ବରୂପ ରଥ ଗଢ଼ନ୍ତି। ତେବେ ରୂପକାର ଓ ଚିତ୍ରକରଙ୍କ ଶେଷସ୍ପର୍ଶ ହିଁ ରଥକୁ ସୌନ୍ଦର୍ଯ୍ୟ ମଣ୍ଡିତ କରେ। ମହାରଣାମାନେ ଅକ୍ଷୟ ତୃତୀୟାଠାରୁ ରଥ କାଠ ଅନୁକୂଳ ସହ ରଥ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ରଥ ନିର୍ମାଣର ମଧ୍ୟଭାଗରେ ରୂପକାରମାନେ ନିହଣ ମୁନରେ ଖୋଦେଇ କରି, ସେଥିରେ କଳାର ସ୍ପର୍ଶ ଦିଅନ୍ତି। ଉତ୍କଳୀୟ କାରିଗରୀର ଏହି ଅନନ୍ୟ ଖୋଦେଇ କଳାର ନିଦର୍ଶନ ରଥରେ ପ୍ରସ୍ଫୁଟିତ ହୁଏ। ଏହାପରେ ଖୋଦେଇ କଳାକୁ ରଙ୍ଗତୁଳୀରେ ସ୍ପର୍ଶ ଦେଇ ଜୀବନ୍ତ କରନ୍ତି ଚିତ୍ରକର ସେବକ।
Sambad is now on WhatsApp
Join and get latest news updates delivered to you via WhatsApp
ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଚିତ୍ରକରଙ୍କ କାର୍ଯ୍ୟର ଶୁଭାରମ୍ଭ କରାଯାଏ। ପ୍ରଥମେ ପାର୍ଶ୍ବ ଦେବାଦେବୀଙ୍କୁ ଯତ୍ନର ସହ ଚିତ୍ରକର ସେବକମାନେ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ କରିଥାଆନ୍ତି। କଥିତ ଅଛି, ରାବଣଙ୍କ ସହ ଯୁଦ୍ଧ ବେଳେ ଦେବରାଜ ଇନ୍ଦ୍ର ରାମଚନ୍ଦ୍ରଙ୍କୁ ନନ୍ଦିଘୋଷ ରଥ ଭେଟି ଦେଇଥିଲେ। ଏହି ରଥରେ ଚଢ଼ି ଶ୍ରୀରାମ ରାବଣ ସହ ଯୁଦ୍ଧ କରିଥିଲେ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୯ଜଣ ପାର୍ଶ୍ବ ଦେବତା ହେଉଛନ୍ତି- ହନୁମାନ, ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ, ଗୋବର୍ଦ୍ଧନଧାରୀ, ଚିନ୍ତାମଣି, ରାଘବ ଓ ନୃସିଂହ। ଏହିସବୁ କାଠ ମୂର୍ତ୍ତିଙ୍କର ରଙ୍ଗ-ରୂପ କରି ଥାଆନ୍ତି ଚିତ୍ରକର। ନନ୍ଦିଘୋଷର ରଥ ପାଇଁ ୧୪ ଜଣ ଚିତ୍ରକର ନିୟୋଜିତ ହୋଇଥାଆନ୍ତି। ସେହିପରି କିଂବଦନ୍ତି ଅନୁସାରେ ଇନ୍ଦ୍ରଜିତଙ୍କ ପୁଅ ମହୀରାବଣକୁ ବଧ କରିବା ପାଇଁ ବ୍ରହ୍ମାଙ୍କ ଦ୍ବାରା ଅଭିଶପ୍ତ ସୁଦେବୀଙ୍କ ଅନୁରୋଧ କ୍ରମେ ଲକ୍ଷ୍ମଣଙ୍କୁ ଇନ୍ଦ୍ରଦେବ ତାଳଧ୍ବଜ ରଥ ଦେଇଥିଲେ। ବଳଭଦ୍ରଙ୍କ ରଥରେ ପ୍ରଳମ୍ବାରୀ, ନୃତ୍ୟଗଣେଶ, ନାଟାମ୍ବର, ସ୍କନ୍ଦ, ଅନନ୍ତ ବାସୁଦେବ, ଗଜାନ୍ତକ, ତ୍ରିପୁରାରି, ହରିହର ଓ ବାଇଶଭୂଜ ନୃସିଂହଙ୍କ ମୂର୍ତ୍ତିରେ ରଙ୍ଗର ସ୍ପର୍ଶ ଦେଇଥାଆନ୍ତି ଚିତ୍ରକର। ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନକୁ ଦେବୀ ଦଳନ କୁହାଯାଉଥିବା ବେଳେ ଦେବୀଙ୍କ ରଥ ହୋଇଥିବାରୁ ଏଥିରେ ୯ଜଣ ପାର୍ଶ୍ବଦେବୀ ଅବସ୍ଥାନ କରିଥାଆନ୍ତି। ବାରାହୀ, କାଳୀ, ମଙ୍ଗଳା, କାତ୍ୟାୟିନୀ, ଚାମୁଣ୍ଡା, ଭଦ୍ରକାଳୀ, ବିମଳା, ହରଚଣ୍ଡୀ ଓ ଜୟଦୁର୍ଗା ଦେବୀଙ୍କୁ ରଙ୍ଗତୂଳୀରେ ସ୍ପର୍ଶରେ ଜୀବନ୍ତ କରାଯାଏ।
ସଂପ୍ରତି ନନ୍ଦିଘୋଷ ରଥର ମୁଖ୍ୟ ଚିତ୍ରକର ଭାବେ ଦେବଦତ୍ତ ମହାରଣା ଦାୟିତ୍ବ ତୁଲାଉଥିବା ବେଳେ ତାଳଧ୍ବଜ ଓ ଦର୍ପଦଳନ ରଥର ମୁଖ୍ୟ ଚିତ୍ରକର ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ରବିଶଙ୍କର ମହାରଣା। ‘‘ଓଡ଼ିଆ ଚଳଚ୍ଚିତ୍ରରେ କଳା ନିର୍ଦ୍ଦେଶକ ଭାବେ ସୁନାମ ଅର୍ଜନ କରିଥିବା ବୁଢ଼ା ମହାରଣାଙ୍କ ଅନ୍ତେ, ତାଙ୍କ ପୁତ୍ର ଭାବେ ମୁଁ (ରବିଶଙ୍କର ମହାରଣା) ଏହି ଦାୟିତ୍ବ ତୁଲାଇ ଆସୁଛି।’’ ବୋଲି ସେ କହିଛନ୍ତି। ବଳଭଦ୍ରଙ୍କ ରଥ ତାଳଧ୍ବଜରେ ୧୦ ଜଣ ଚିତ୍ରକର, ସୁଭଦ୍ରାଙ୍କ ରଥରେ ୧୦ ଜଣ ଚିତ୍ରକର ରଙ୍ଗତୂଳୀର ସ୍ପର୍ଶ ଦେଉଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୪ ଜର ଚିତ୍ରକର ନିୟୋଜିତ ହୋଇଛନ୍ତି।
ରଥର ପାର୍ଶ୍ବ ଦେବଦେବୀଙ୍କ ବ୍ୟତୀତ ଜୟବିଜୟ, ଗଙ୍ଗା ଯମୁନା, ସଖୀ, ହଂସପଟା, କନ୍ୟା ପଟା, ନାଟଗୋଡ଼, ଦୁଆରବେଢ଼ା, ପାରାଭାଡ଼ି, ଋଷିପଟା, କଳସ, ଶୁଆ, ଅଁଳା, କଣଗୁଜ, ପଟାଗୁଜ, ଚକ, ମୁହାଁଟ, ସିଂହାସନ, ପ୍ରଭା ଓ ସାରଥୀଙ୍କୁ ଚିତ୍ରରେ ଜୀବନ୍ତ କରାଯାଏ।
ଅତୀତରେ ରଥରେ ଚିତ୍ର ଓ ରଙ୍ଗର ପ୍ରଲେପ ପାଇଁ ପ୍ରାକୃତିକ ରଙ୍ଗ ବ୍ୟବହାର ହେଉଥିଲା। କାଳକ୍ରମେ ଏହା ତୈଳ ରଙ୍ଗକୁ ରୂପାନ୍ତରିତ ହେଲା। ସଂପ୍ରତି ଏନାମେଲ୍ ରଙ୍ଗ ବ୍ୟବହୃତ ହେଉଥିବା ବେଳେ ଧଳା, କଳା, ହଳଦିଆ, ନାଲି, ନୀଳ ଓ କମଳା ରଙ୍ଗ ବ୍ୟବହାର କରାଯାଉଛି। ୩ ରଥରେ ମୋଟ ୩୪ ଜଣ ଚିତ୍ରକର କାମ କରୁଥିବା ବେଳେ ମହାପ୍ରଭୁଙ୍କ ରଥଯାତ୍ରାରେ ନିଜର ସ୍ପର୍ଶ ଦେବାଲାଗି ଚାହିଁ ବସିଥାଆନ୍ତି। ପୁରୀର ଚିତ୍ରକର ସାହି ବ୍ୟତୀତ, ଚନ୍ଦନପୁରର ରଘୁରାଜପୁର ଓ ଭୁବନେଶ୍ବରରୁ କିଛି ଚିତ୍ରକର ମଧ୍ୟ ଏହି ଚିତ୍ର କାମ କରନ୍ତି। ପାରିତୋଷିକ ଯଦିଓ ମିଳେ, କିନ୍ତୁ ଏହା ନାମକୁ ମାତ୍ର। କିନ୍ତୁ ମହାପ୍ରଭୁଙ୍କ ରଥରେ ନିଜ କଳା ଓ କାରିଗରୀର ସ୍ପର୍ଶ ଦେବାର ଅଭୀପ୍ସା ଓ ଆଗ୍ରହ ହିଁ ଚିତ୍ରକରମାନଙ୍କୁ ରଥ ନିର୍ମାଣ ବେଳେ ଶ୍ରୀକ୍ଷେତ୍ରକୁ ଟାଣି ଆଣେ। ସ୍ନାନପୂର୍ଣ୍ଣିମା ପରଦିନଠୁ କାମ ଆରମ୍ଭ ହୋଇ ଏହା ସିଂହଦ୍ବାରକୁ ରଥଟଣା ହେବା ଦିନ ପୂର୍ବରୁ କାର୍ଯ୍ୟ ଶେଷ ହୁଏ। ଏଥିପାଇଁ ଅନ୍ୟୁନ ୧୫ ଦିନ ସମୟ ଲାଗେ।
ଏହାବ୍ୟତୀତ ଅଣସର ପଟି ମଧ୍ୟ ଚିତ୍ରକର ସେବକଙ୍କ ଘରେ ପ୍ରସ୍ତୁତ କରାଯାଏ। ସାବିତ୍ରୀ ଅମାବାସ୍ୟା ପରଠାରୁ ୧୫ଦିନ ମଧ୍ୟରେ ହବିଷ୍ୟାନ୍ନ ଖାଇ ସେମାନେ ପଟି ଦିଅଁଙ୍କୁ ପ୍ରସ୍ତୁତ କରନ୍ତି। ଶ୍ରୀଜିଉମାନେ ସ୍ନାନପୂର୍ଣ୍ଣିମା ପରଠୁ ଜ୍ବରରେ ପୀଡ଼ିତ ହୋଇ ଅଣସର ଘରେ ପୂଜା ପାଉଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜା ପାଇଁ ପଟିଦିଅଁ ଭାବେ ଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କ ପୂଜା ପାଇଁ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରା ମା’ ଭୁବନେଶ୍ବରୀ ପଟିଦିଅଁ ରୂପେ ପୂଜା ପାଇଥାଆନ୍ତି।