କରୋନା ସହ ଲଢ଼ୁଥିବା ବିଶ୍ବବାସୀଙ୍କ ପାଇଁ ଆଶାର ଆଲୋକ ଆଣିଲା ନବଜାତ

ନୂଆଦିଲ୍ଲୀ: ଚୀନ୍ ପରେ କରୋନାଭାଇରସ୍ ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ହେଉଛି ଇଟାଲୀ। ଏଠାରେ ବର୍ତ୍ତମାନ କରୋନାଭାଇରସ ଦ୍ବାରା ସଂକ୍ରମିତ ହୋଇ ୩୪୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସର୍ବମୋଟ ମୃତ୍ୟୁସଂଖ୍ୟା ୨,୫୦୩ରେ ପହଞ୍ଚିଛି। ୟୁରୋପୀୟ ଦେଶ ସମୁଦାୟ ୩୧,୫୦୬ କୋଭିଡ୍-୧୯ ମାମଲା ରିପୋର୍ଟ କରିଛି। ଗତ ସପ୍ତାହରେ ସରକାର ମାରାତ୍ମକ ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଦେଶରେ କେବଳ ଔଷଧ ଦୋକାନ, ବ୍ୟାଙ୍କ ଏବଂ ଗ୍ରୋସରୀ ଦୋକାନ ଖୋଲା ରଖି ବାକି ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏ ମଧ୍ୟରେ ଇଟାଲୀରେ ଜନ୍ମ ନେଇଥିବା ଏକ ନବଜାତ ଶିଶୁର ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହା ଦେଶର ଲୋକଙ୍କୁ ଆଶା ଦେଉଥିବା ଦେଖାଯାଇଛି। ଭାଇରାଲ ହେଉଥିବା ଏହି ଫଟୋରେ ନବଜାତ ଶିଶୁଟି ପିନ୍ଧିଥିବ‌ା ଡାଏପରରେ ଲେଖାଯାଇଛି କି “ସବୁକିଛି ଠିକ୍ ହେବାକୁ ଯାଉଛି”। ନବଜାତର ଏଭଳି ଫଟୋ ଭାଇରସକୁ ନେଇ ଚିନ୍ତିତ ଥିବା ଲୋକଙ୍କ ମୁହଁରେ ଟିକେ ହସ ଆଣି ଦେଇଛି। ଏହା ସହ ଆଶା ହରାଇ ବସିଥିବା ଲୋକଙ୍କ ମନରେ ନୂଆ ଆଶା ଆଣି ଦେଇଛି।

ସୂଚନା ମୁତାବକ, ଏହି ଫଟୋ ମାର୍ଚ୍ଚ ୧୬ରେ ମିଲାନାର ନିଗୁଆର୍ଡ ହସ୍ପିଟାଲ ଦ୍ୱାରା ସେୟାର କରାଯାଇଥିଲା। “ଜୀବନ ସବୁଠାରୁ ଅଧିକ ଶକ୍ତିଶାଳୀ! ବିଶ୍ବ ଏବେ ବଡ଼ ବିପଦ ସହ ଲଢ଼ୁଥିବା ବେଳେ ଏହି ଦିନମାନଙ୍କରେ ଜନ୍ମ ହେଉଥିବା ସମସ୍ତ ଶିଶୁଙ୍କୁ ସ୍ୱାଗତ। ଜୀବନ ବନ୍ଦ ହୁଏ ନାହିଁ, ତାହା ତୁମେ ମାନେ ପ୍ରମାଣ କରୁଛ’ ବୋଲି କ୍ୟାପସନରେ ଲେଖାଯାଇଛି। ଫେସବୁକରେ ଭାଇରାଲ ହେଉଥିବା ଏହି ଫଟୋ ଏପର୍ଯ୍ୟନ୍ତ ୫,୮୦୦ରୁ ଅଧିକ ସେୟାର ଏବଂ ୩,୭୦୦ରୁ ଅଧିକ ଲାଇକ୍ ପାଇ ସାରିଛି। ଏଭଳି ସମୟରେ ଶିଶୁଟି ଇଟାଲୀୟମାନଙ୍କ ପାଇଁ ଆଶାର ପ୍ରତୀକ ପାଲଟିଛି।

ସମ୍ବନ୍ଧିତ ଖବର