ରାସ୍ତାରେ ଭିକ ମାଗୁଥିବା ୪୫୦ଜଣ ପିଲାଙ୍କ ପାଇଁ ସ୍କୁଲ ନିର୍ମାଣ କଲେ ରାଜସ୍ଥାନର ଏହି ପୁଲିସକର୍ମୀ

ଜୟପୁର : ରାଜସ୍ଥାନର ଚୁରୁ ଜିଲ୍ଲାରେ ନିଯୁକ୍ତି ପାଇଥିବା ଜଣେ ପୁଲିସକର୍ମୀ ଏବେ ଚର୍ଚ୍ଚାରେ । ସେ ନିର୍ମାଣ କରିଥିବା ଅପ୍‌ନି ପାଠ୍‌ଶାଲା ପାଇଁ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ବାସହୀନ ହୋଇ ରାସ୍ତାରେ ଭିକ ମାଗୁଥିବା ପିଲାଙ୍କ ପାଇଁ ପୁଲିସକର୍ମୀଜଣଙ୍କ ଅପ୍‌ନି ପାଠ୍‌ଶାଲା ନାମକ ସ୍କୁଲ ତିଆରି କରିଛନ୍ତି, ଯାହା ଜିଲ୍ଲା ମୁଖ୍ୟାଳୟରେ ଥିବା ମହିଳା ଥାନା ପାଖରେ ନିର୍ମାଣ କରାଯାଇଛି ।

୨୦୧୬ରେ ଏହି ସ୍କୁଲ ଆରମ୍ଭ କରାଯାଇଥିବା ବେଳେ ଏବେ ପ୍ରାୟ ୪୫୦ଜଣ ପିଲା ଏହାଦ୍ୱାରା ଉପକୃତ ହୋଇ ସାରିଛନ୍ତି । ଭିକ ମାଗିବା ପାଇଁ ତାଟିଆ ଛାଡ଼ି ପିଲାମାନେ କଲମ ଧରନ୍ତୁ, ଏହି ଲକ୍ଷ ନେଇ ଧରମବୀର ଜାଖର ଜାନୁଆରୀ ୧, ୨୦୧୬ରେ ଏହି ସ୍କୁଲ ଆରମ୍ଭ କରିଥିଲେ । ମୁଖ୍ୟସ୍ରୋତରେ ସାମିଲ ହୋଇ ଦେଶକୁ କେମିତି ଏମାନେ ଆଗକୁ ନେବେ, ସେହି ଲକ୍ଷ୍ୟ ଧରମବୀରଙ୍କୁ ଏଭଳି ପ୍ରଶଂସନୀୟ କାମ କରିବାକୁ ପ୍ରେରଣା ଦେଇଥିଲା ।

newindianexpress.com

ଧରମବୀରଙ୍କ କହିବା ଅନୁଯାୟୀ, ଡିୟୁଟି ସମୟରେ ସେ ରାସ୍ତା କଡ଼ରେ ଏହି ପିଲାମାନଙ୍କୁ ଭିକ ମାଗୁଥିବାର ଦେଖିଥିଲେ । ସେମାନଙ୍କ ସହ କଥା ହେବା ପରେ ତାଙ୍କର କେହି ମାତା-ପିତା ବା ସଂପର୍କୀୟ ନ ଥିବା କଥା ଜାଣିବାକୁ ପାଇଥିଲେ । ପ୍ରଥମେ ସେମାନେ ମିଛ କହୁଥିବା ଧମରବୀର ଭାବିଥିଲେ ମଧ୍ୟ ସେମାନେ ରହୁଥିବା ବସ୍ତିକୁ ଯିବା ପରେ ତାଙ୍କର ସମସ୍ତ ଦ୍ୱଦ୍ୱ ଦୂର ହୋଇଥିଲା । ଯଦି ମୁଁ ଏମାନଙ୍କୁ ସାହାଯ୍ୟ ନ କରେ, ଏମାନେ ଭିକ ମାଗିବାରେ ପୂରା ଜୀବନ ଶେଷ କରିଦେବେ ବୋଲି ଭାବି ଧରମବୀର ତାଙ୍କୁ ଦିନକୁ ଘଣ୍ଟାଏ ଲେଖାଏଁ ପଢ଼ାଇବା ଆରମ୍ଭ କରିଥିଲେ । ଯାହା ପରେ ଧିରେ ଧିରେ ସେ ଅପନି ପାଠ୍‌ଶାଲା ଖୋଲିବା ସହ ଦୁଇ ମହିଳା କନେଷ୍ଟବଳଙ୍କ ସହ ପଢ଼ାଇବା ଆରମ୍ଭ କରିଥିଲେ । ଏବେ ୪ବର୍ଷ ମଧ୍ୟରେ ସ୍କୁଲରେ ୪୫୦ଜଣ ପିଲା ପଢ଼ୁଥିବା ବେଳେ କିଛି ‌ସ୍ବେଚ୍ଛା‌ସେବୀ ମଧ୍ୟ ପିଲାଙ୍କୁ ପଢ଼ାଉଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର