ଗୋପୀନାଥଙ୍କୁ ଶ୍ରଦ୍ଧାଞ୍ଜଳି

ପୂର୍ବତନ ସାଂସଦ ତଥା ମହାରାଜା ଗୋପୀନାଥ ଗଜପତିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ଶୋକାକୁଳ ପରିବାରକୁ ସମବେଦନା ଜଣାଉଛି।
– ପ୍ରଫେସର ଗଣେଶୀ ଲାଲ୍‌ (ରାଜ୍ୟପାଳ)

ସମଗ୍ର ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି
ଲୋକସଭାର ପୂର୍ବତନ ସାଂସଦ ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଦେହାନ୍ତ ବିଷୟ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ସମଗ୍ର ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି। ଏଇ ଦୁଃଖଦ ସମୟରେ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
– ନବୀନ ପଟ୍ଟନାୟକ (ମୁଖ୍ୟମନ୍ତ୍ରୀ)

ଉତ୍କଳ ପ୍ରଦେଶ ଗଠନରେ ତାଙ୍କ ପରିବାରର ଯୋଗଦାନ ଅତୁଳନୀୟ
ପୂର୍ବତନ ସାଂସଦ ପାରଳା ଗଜପତି ନାରାୟଣ ଦେବଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନଠାରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ତାଙ୍କ ପରିବାରର ଯୋଗଦାନ ଅତୁଳନୀୟ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।
– ଧର୍ମେନ୍ଦ୍ର ପ୍ରଧାନ (କେନ୍ଦ୍ରମନ୍ତ୍ରୀ)

ପ୍ରଜାବତ୍ସଳ ରାଜା ଥିଲେ
ଗୋପୀନାଥ ଗଜପତି ଜଣେ ପ୍ରଜାବତ୍ସଳ ରାଜା ଥିଲେ। ଜନପ୍ରିୟ ରାଜନେତା ଓ ସାଂସଦ ଭାବେ ତାଙ୍କର କାର୍ଯ୍ୟ ଗରିମାମୟ ଥିଲା। ଦୁଇଥର ବ୍ରହ୍ମପୁର ଲୋକସଭା ଆସନରୁ ଜିତି ସେ ନିଜ ଲୋକପ୍ରିୟତାର ପରିଚୟ ଦେଇଥିଲେ। ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ରହି ଜନସେବାରେ ବ୍ରତୀ ଥିଲେ। ତାଙ୍କ ଅମର ଆତ୍ମାର ସଦଗତି ସହ ତାଙ୍କ ପରିବାରକୁ ସମବେଦନା ଜଣାଉଛି।
– ସୂର୍ଯ୍ୟ ନାରାୟଣ ପାତ୍ର (ବାଚସ୍ପତି)

ଆମ ପରିବାରର ଜଣେ ଭାଇଙ୍କୁ ହରାଇଛୁ
ପାରଳାଖେମୁଣ୍ଡି ଗଜପତିଙ୍କ ପରିବାର ପୁରୀ ଗଜପତି ପରିବାରର ଅଂଶବିଶେଷ। ତେଣୁ ତାଙ୍କ ଦେହାନ୍ତରେ ଆମେ ଆମ ପରିବାରର ଜଣେ ଭାଇଙ୍କୁ ହରାଇଛୁ। ପାରଳାଖେମୁଣ୍ଡି ରାଜ ପରିବାରର ଅବଦାନରେ ଓଡ଼ିଶାର ବିଶେଷ ସ୍ଥାନ ଥିବାରୁ ପାରଳା‌ ଗଜପତି ଭାବେ ସେ ସଦା ମନେ ରହିବେ। ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରୁଛି। ଏଥିସହ ରାଜ୍ୟ ସରକାର ୩ ବର୍ଷ ଧରି ଅତି ଉତ୍ତମ ଚିକିତ୍ସା ସେବାର ବ୍ୟବସ୍ଥା କରିଥିବାରୁ ଧନ୍ୟବାଦ ଜଣାଉଛି।
– ଗଜପତି ମହାରାଜ ଦିବ୍ୟସିଂହ ଦେବ (ପୁରୀ ରାଜା)

ଜନହିତକର କାର୍ଯ୍ୟ ପାଇଁ ଗଜପତିବାସୀ ତାଙ୍କୁ ମନେ ରଖିବ
ଗୋପୀନାଥ ଗଜପତି ମୋ’ଠୁ ସାନ ହୋଇ ଇହଧାମରୁ ଚାଲିଯିବା ମତେ ମର୍ମାହତ କରିଛି। ସଂସଦ ନିର୍ବାଚନର ବର୍ଷେ ପୂର୍ବରୁ ମୋ ତାଙ୍କ ସହ ପରିଚୟ ହୋଇଥିଲା। ଗଜପତିର ନାନାବିଧ ଜନହିତକର କାର୍ଯ୍ୟ ତାଙ୍କୁ ଲୋକପ୍ରିୟ କରାଇଥିଲା। ଏଥିପାଇଁ ଗଜପତିବାସୀଙ୍କ ନିକଟରେ ସେ ଚିର ସ୍ମରଣୀୟ ହୋଇ ରହିବେ। ବର୍‌ହମପୁରରେ ଶିଳ୍ପ ପ୍ରତିଷ୍ଠା, ଟାଟା କମ୍ପାନି ପ୍ରତିଷ୍ଠ ଓ ବଡ଼ବଡ଼ ଶିଳ୍ପ ପ୍ରତିଷ୍ଠା ସହ ଯୁବକମାନଙ୍କ ନିଯୁକ୍ତି ଦିଗରେ ‌ମଧ୍ୟ ତାଙ୍କର ଅନେକ ଭୂମିକା ଥିଲା।
– ପୂର୍ବତନ କେନ୍ଦ୍ରମନ୍ତ୍ରୀ (ବ୍ରିଗେଡିୟର ରାଜା କେ.ପି ସିଂହଦେଓ)

ପୁରୀର ଗଜପତି ରାଜବଂଶ ପରି ଆମ ରାଜପରିବାରର ପାରଳା ରାଜ ପରିବାରର ବଂଶଗତ ଭ୍ରାତୃସମ୍ପର୍କ ରହିଛି। ପାଠ ପଢ଼ା ସାରି ସାମାଜିକ ଜୀବନରେ ପ୍ରବେଶ କରିବା ପରେ ମୁଁ ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଚନ୍ଦ୍ର ଦେବଙ୍କୁ ଗତ ୩୦ ବର୍ଷ ମଧ୍ୟରେ ପ୍ରାୟ ୭/୮ ଥର ଭେଟିଛି। ସେ ରାଜା ହେଲେ ମଧ୍ୟ ତାଙ୍କର ବ୍ୟବହାର, ଆଚରଣ, ଉଚ୍ଚାରଣ ଅତ୍ୟନ୍ତ ସାଧାରଣ ଥିଲା। ତାଙ୍କ ବିୟୋଗରେ ଓଡିଶାର ରାଜପରିବାର ଜଣେ ଆଦର୍ଶ ରାଜାଙ୍କୁ ହରାଇଲେ ଓ ସମଗ୍ର ଓଡିଶା ଜଣେ ମାନବବାଦୀ ରାଜନେତାଙ୍କୁ ହରାଇଲା
– ବ୍ରଜ କେଶରୀ ଦେବ (ଆଳି ରାଜା)

କ୍ରିୟାଶୀଳ ସାଂସଦ ଥିଲେ
ଗୋପୀନାଥ ଗଜପତି ବ୍ରହ୍ମପୁରରୁ ଦୁଇଥର ସାଂସଦ ହୋଇ ଲୋକପ୍ରିୟ ରାଜନେତାର ପରିଚୟ ଦେଇଥିଲେ। ଜଣେ କ୍ରିୟାଶୀଳ ସାଂସଦ ‌ଭାବେ ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ନିମନ୍ତେ ତତ୍ପରତା ପ୍ରକାଶ କରି ଆସୁଥିଲେ।
ବିକ୍ରମ କେଶରୀ ଆରୁଖ୍‌ (ମନ୍ତ୍ରୀ)

ସମ୍ବନ୍ଧିତ ଖବର