ଏହି ଗାଁର ଘରେ ଘରେ ଯମଜ ସନ୍ତାନ

କାଁ ଭାଁ କେଉଁଠି ଯମଜ ସନ୍ତାନ ଜନ୍ମ ହେବାର ଖବର ଆମକୁ ମିଳିଥାଏ। ଏପରିକି ଆମ ଜାଣିବାରେ ଆଖପାଖ କୌଣସି ଗାଁରେ ଜାଆଁଳ ସନ୍ତାନ ଜନ୍ମିବାର ଖବର ବିରଳ। ଅର୍ଥାତ୍‌ ଅନେକ ବର୍ଷ ହେଲା ଆମେ ଜାଣିଥିବା ଗାଁରେ ଜାଁଳା ଶିଶୁ ଜନ୍ମ ନେଇନାହାନ୍ତି। ମାତ୍ର କେରଳରେ ଏମିତି ଏକ ଗାଁ ରହିଛି ଯେଉଁଠି ପ୍ରତିବର୍ଷ ଯାଁଳା ଶିଶୁ ଜନ୍ମ ନେଇ ଚାଲିଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ଏବଂ ଏପରି ରହସ୍ୟମୟ ଘଟଣା ପଛରେ ସେପରି କିଛି ବିଜ୍ଞାନ ସମ୍ମତ କାରଣ ମିଳିପାରିନାହିଁ। ସୂଚନାଯୋଗ୍ୟ, କେରଳର କାଲିକଟ୍‌ ସହର ଠାରୁ ୩୫ କି.ମି. ଦୂର କୋଡ଼ିହ୍ନି ଗାଁରେ ୧୯୪୯ ମସିହା ପରଠାରୁ ପ୍ରତିବର୍ଷ ଯମଜ ସନ୍ତାନ ଜନ୍ମ ନେଉଛନ୍ତି। ଏପରିକି ସମସ୍ତ ଯମଜ ସନ୍ତାନ ସୁସ୍ଥ ସବଳ ହୋଇ ଜନ୍ମ ନେଉଥିବା ଏବଂ କାଳାତିପାତ କରୁଥିବା ଜଣାଯାଇଛି। ଦୁଇ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ଗାଁରେ ବର୍ତ୍ତମାନ ୨୦୦ରୁ ଅଧିକ ଯମଜ ସନ୍ତାନ ରହିଥିବା ଜଣାଯାଇଛି। ଗ୍ରାମର ପ୍ରାୟ ପ୍ରତ୍ୟେକ ପରିବାରରେ ଯମଜ ସନ୍ତାନ ରହିଥିବା ଅନ୍ୟତମ ରହସ୍ୟମୟ ଘଟଣା। ସାଧାରଣତଃ ଜନନୀର ଗର୍ଭାଶୟରେ କିଭଳି ଏକାଧିକ ଯାଆଁଳା ଶିଶୁଙ୍କ ଉତ୍ପତ୍ତି ସମ୍ଭବ, ସେ ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ ବ୍ୟାଖ୍ୟା କରି ବୁଝାଇପାରୁଥିବା ବେଳେ କେବଳ ଏହି କୋଡ଼ିହ୍ନି ଗ୍ରାମର ଘରେ ଘରେ କାହିଁକି ଏପରି ଘଟୁଛି ତାହାର ଉତ୍ତର କାହା ପାଖରେ ନାହିଁ। ଅନେକ ସ୍ଥାନରେ ଯମଜ ସନ୍ତାନମାନେ ଅପପୁଷ୍ଟିର ଶିକାର ହେଉଥିବା ବେଳେ କୋଡ଼ିହ୍ନି ଗ୍ରାମବାସୀ ଏହାକୁ ଏକ ଈଶ୍ବର ଦତ୍ତ ଆଶୀର୍ବାଦ ଭାବେ ଗ୍ରହଣ କରି ଯମଜ ଶିଶୁଙ୍କ ପାଇଁ ଅଧିକ ଯତ୍ନଶୀଳ ହୋଇଥାନ୍ତି।

ସମ୍ବନ୍ଧିତ ଖବର