‘ଜଳକନ୍ୟା’ ପରି ପହଁରୁଛି ଦୁଇ ବର୍ଷର ତାମିଲ ବାଳିକା ୟାଝିନୀ

ଭେଲୋର୍: ଭେଲୋର ଜିଲ୍ଲାର ମେଲମୋନାବୁର ଅଞ୍ଚଳର ଜଣେ ଦୁଇ ବର୍ଷୀୟ ବାଳିକା କମିକ୍ସ୍ ବହିର କାଳ୍ପନିକ ଚରିତ୍ର ‘ଆକ୍ବାଗାର୍ଲ’ ବା ଜଳକନ୍ୟା ପରି ପହଁରି ସ୍ଥାନୀୟ ଲୋକଙ୍କୁ ତାଜୁବ କରି ପକାଉଛି। ୟାଝିନୀ ନାମକ ଏଇ ବାଳିକାଟି ହେଉଛି କୃଷକ ଅଙ୍ଗମୁତୁଙ୍କ ଝିଅ। ଲକ୍‌ଡାଉନ୍ ଆରମ୍ଭ ହେବାର କିଛି ମାସ ଆଗରୁ ତା’ର  ପହଁରା ଶିକ୍ଷା ଆରମ୍ଭ ହୋଇଥିଲା।

Image Courtesy of The New Indian Express

ଝିଅ ଲମ୍ବାଚୌଡ଼ା ହୋଇ ବଢ଼ିବା ଉଦ୍ଦେଶ୍ୟରେ ୪୩ ବର୍ଷିୟ ଅଙ୍ଗମୁତୁ ଝିଅକୁ ପହଁରା ଶିଖାଇବାକୁ ମନ ବଳାଇଥିଲେ। ସେ କହନ୍ତି, ପ୍ରାୟ ଛଅ ମାସ ତଳେ ତାକୁ ଜଳସେଚନ ପାଇଁ ଉଦ୍ଦିଷ୍ଟ କୂଅ ପାଖକୁ ନେଇଥିଲି। ଭୟ ଦୂର କରାଇବାକୁ ତା’ର ହାତ ଧରି ମୁଁ ତାକୁ ପାଣି ଭିତରକୁ ନେଇଥିଲି। ଡର ଛାଡ଼ି ସେ ପହଁରିବା ନିମନ୍ତେ ଆଗ୍ରହ ଦେଖାଇଲା। ସେଇଠୁ ଆରମ୍ଭ ହେଲା ତା’ର ପହଁରା ତାଲିମ। ତା’ ଅଣ୍ଟାରେ ‘ଲାଇଫ୍‌ବୟ’ ଭାବେ ବାଲତିଟିଏ ବାନ୍ଧି ଦିନ ପରେ ଦିନ ୟାଝିନୀ ପାଣି ଭିତରକୁ ପ୍ରବେଶ କରି ଗୋଡ଼ହାତ ଛାଟି ଭାସି ରହିବାକୁ ଚେଷ୍ଟା ଚଳାଇଲା। ଏବେ ସେ ‘ଲାଇଫ୍‌ବୟ’ରେ ଆରାମରେ ପହଁରି ପାରୁଛି। ଆଠଫୁଟ୍ ଉଚ୍ଚରୁ ପାଣି ଭିତରକୁ ଲମ୍ଫ ବି ମାରୁଛି।

Image Courtesy of The New Indian Express

ୟାଝିନୀ ଉତ୍ତମ ସନ୍ତରଣ ଶିଖି ସାରିଥିଲେ ବି ବାପା ଅଙ୍ଗମୁତୁ ସର୍ବଦା ତା’ ପାଖେ ପାଖେ ପହଁରୁଛନ୍ତି। ବାପ ସାଥିରେ ରହୁଥିବାରୁ , ୟାଝିନୀ ପହଁରିବାକୁ ବାହାରି ଗଲେ ଘରେ ମାଆ ଧନଲକ୍ଷ୍ମୀ ନିଶ୍ଚିନ୍ତ ହୋଇ ରହିପାରୁଛନ୍ତି।

ଏଠାରେ ପ୍ରକାଶଯୋଗ୍ୟ କି, ଗତ ୨୦୧୮ ବର୍ଷରେ ପାଣିରେ ବୁଡ଼ି ମରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୧୩% ୧୪ ବର୍ଷରୁ କମ୍ ବୟସ୍କ ପିଲା।

ଏହାକୁ ଦୃଷ୍ଟିରେ ରଖି ଅଙ୍ଗମତୁ କେବେ ଝିଅର ପାଖଛଡ଼ା କରୁ ନାହାନ୍ତି। କେବଳ ୟାଝିନୀ ନୁହେଁ, ୟାଝିନୀର ବଡ଼ ଭଉଣୀ ୧୦ ବର୍ଷୀୟ ସୁସ୍ମିତା ଏବଂ ୭ ବର୍ଷିୟ ଭାଇ ଅଶ୍ବିନୀ ମଧ୍ୟ ଭଲ ପହଁରି ଶିଖିଛନ୍ତି। ଅଢ଼େଇ ବର୍ଷରେ ପହଁରା ଶିଖିଥିବା ଅଶ୍ବିନୀ ଏବେ କାଞ୍ଚିପୁରମ୍ ଠାରେ ଥିବା ସନ୍ତରଣ ଏକାଡେମିରେ ନାମ ଲେଖାଇଛି।

ସେମାନଙ୍କ ପାଇଁ ସନ୍ତରଣ ଘରୋଇ ଖେଳ ପରି। ଏହା ବ୍ୟତିରେକେ, ସନ୍ତରଣ ମଧ୍ୟ ପିଲାଙ୍କ ଭବିଷ୍ୟତ ପାଇଁ କିଛି ଉତ୍ତମ ପ୍ରତିଶ୍ରୁତି ରଖୁଛି ବୋଲି ବାପା ବିଶ୍ବାସ କରୁଛନ୍ତି। ହୁଏ ତ ପହଁରାରେ ପିଲାଏ ତାଙ୍କର ନାଁ କମାଇ ପାରନ୍ତି!

ସମ୍ବନ୍ଧିତ ଖବର