ଉତ୍କଳର ସର୍ବପ୍ରଧାନ ଓକିଲବାବୁ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସ କେବଳ ଓଡ଼ିଶା ପ୍ରଦେଶର ଜନକ ଥିଲେ ତା’ ନୁହେଁ ସେ ଯଥାର୍ଥରେ ଥିଲେ ଓଡ଼ିଆଜାତିର ମନ୍ତ୍ରଦାତା। ବହୁକ୍ଷେତ୍ରରେ ପ୍ରଥମ ଓଡ଼ିଆ ଭାବେ ତାଙ୍କର ସ୍ବୀକୃତି ଓ ସମ୍ମାନ ଥିଲା ସ୍ବତନ୍ତ୍ର। ପ୍ରଥମ ଓଡ଼ିଆ ଓକିଲ ଭାବେ ମଧୁବାବୁଙ୍କ ଓକିଲାତି ଜୀବନ ଥିଲା ଯେତିକି ସଂଘର୍ଷମୟ ତା’ଠାରୁ ଅଧିକ ଥିଲା କୌତୂହଳପୂର୍ଣ୍ଣ। ୧୮୭୮ ମସିହାରେ ମଧୁସୂଦନ ଆଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ‌ହେବା ପରେ କୋଲ୍‌କାତାରେ ଓକିଲାତି ଆରମ୍ଭ କରିଥିଲେ। ଓଡ଼ିଶାରେ ବଙ୍ଗୀୟ ଓକିଲଙ୍କ ଖୁବ୍ ପ୍ରଭାବ ଥିଲା। ନରସିଂହପୁର ରାଜାଙ୍କ ଦେୱାନ ଜଗମୋହନ ବିଦ୍ୟାଧର ଭୂୟାଁ ମହାପାତ୍ର ଯିଏକି ମଧୁବାବୁଙ୍କ ସଙ୍ଗାତ ହୋଇଥିଲେ, ମଧୁବାବୁଙ୍କୁ ଓଡ଼ିଶା ଆସି ଓକିଲାତି କରିବାକୁ ପ୍ରବର୍ତ୍ତାଇଥିଲେ।

୧୮୮୧ରେ ମଧୁବାବୁ କଲିକତା ସହିତ ତାଙ୍କର ଦୀର୍ଘଦିନର ସଂପର୍କ ତୁଟାଇ କଟକ ଆସି ନିଜ ଓକିଲାତି ଆରମ୍ଭ କରିଥିଲେ। ମଧୁବାବୁ ଓକିଲାତି ଜୀବନରେ ପୁରୀ ରାଜାଙ୍କ ମୋକଦ୍ଦମା, ମାନସିଂହପାଟଣା ଡକାୟତି ମୋକଦ୍ଦମା, ଖଣ୍ଡପଡ଼ା ରାଜାଙ୍କ ମୋକଦ୍ଦମା, କେନ୍ଦୁଝର ରାଜାଙ୍କ ମୋକଦ୍ଦମା ପ୍ରଭୃତି ଗୁରୁତ୍ବପୂର୍ଣ୍ଣ। କେନ୍ଦୁଝର ରାଜ୍ୟର ତତ୍କାଳୀନ ଦେୱାନ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, ‘‘ଉତ୍କଳର ସର୍ବପ୍ରଧାନ ଓକିଲବାବୁ ମଧୁସୂଦନ ଦାସ କେନ୍ଦୁଝର ମହାରାଜାଙ୍କ ତରଫରୁ କଲିକତା ଯାଇ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଦରବାରରେ ମହାରାଜାଙ୍କ ବିପକ୍ଷରେ ଟୟନବୀ ସାହେବଙ୍କ ଦ୍ବାରା ଆନୀତ ବିଦ୍ରୋହ ସମ୍ବନ୍ଧରେ ଦୋଷମାନ ଖଣ୍ଡନ କରି ମହାରାଜାଙ୍କୁ ନିର୍ଦ୍ଦୋଷ ପ୍ରମାଣ କଲେ।’’ ମଧୁସୂଦନ ୧୮୮୭ ଜାନୁଆରି ୨୫ରେ କଲିକତା ହାଇକୋର୍ଟର ଓକିଲ ଓ ୧୯୧୬ରେ ପାଟନା‌ ହାଇକୋର୍ଟର ଓକିଲ ଭାବେ ବିଧିବଦ୍ଧ ସ୍ବୀକୃତି ପାଇଥିଲେ। ଖଣ୍ଡପଡ଼ା ରାଜା ନଟବର ପ୍ରତାପ ସିଂହଙ୍କ ବିରୋଧରେ ନୂଆପଡ଼ା ମେଳିରେ ୭ଜଣ ଲୋକଙ୍କୁ ମାରିପକାଇବା ଅଭିଯୋଗ ହୋଇଥିଲା। ତାଙ୍କୁ ଦ୍ବୀପାନ୍ତର ଆଦେଶ ହୋଇଥିଲା। ମଧୁବାବୁ ତାଙ୍କ ପକ୍ଷରୁ ଓକିଲାତି କରି ହାଇକୋର୍ଟରେ ରାଜାଙ୍କୁ ଖଲାସ କରିଥିଲେ। କୁହାଯାଏ ଏହି ମୋକଦ୍ଦମାରେ ମଧୁସୂଦନ ବେଶି ଅର୍ଥ ତାଙ୍କ ଫିସ୍ ବାବଦରେ ପାଇଥିଲେ।

ମଧୁସୂଦନ ଓଡ଼ିଶାରେ ଆଇନ ଶିକ୍ଷାର ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୮୮୩ରୁ ୧୮୯୦ ମସିହା ପର୍ଯ୍ୟନ୍ତ ସେ ରେଭେନ୍ସା କଲେଜରେ ଚାଲିଥିବା ଆଇନ ଶିକ୍ଷା ପ୍ରଦାନର ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ଆଇନ ଶିକ୍ଷା ପ୍ରଦାନ ବ୍ୟବସ୍ଥା ଯେତେବେଳେ ବନ୍ଦ ହେବାକୁ ଯାଉଥିଲା ମଧୁସୂଦନ ତାଙ୍କ ପ୍ରିୟ ଛାତ୍ର ତଥା କଲିକତା ବିଶ୍ବବିଦ୍ୟାଳୟର ତତ୍କାଳୀନ କୁଳପତି ସାର୍ ଅ‌ଶୁତୋଷ ମୁଖାର୍ଜୀଙ୍କୁ ପ୍ରଭାବିତ କରି ଏହି ବ୍ୟବସ୍ଥାକୁ ବଞ୍ଚାଇ ରଖିଥିଲେ। ଯାହାର ଫଳସ୍ବରୂପ ଓଡ଼ିଶାର ପ୍ରଥମ ଆଇନ ମହାବିଦ୍ୟାଳୟର ଜନ୍ମଜାତକ ଖୋଲି ଯାଇଥିଲା, ଯାହାକି ପରବର୍ତ୍ତୀ ସମୟରେ ମଧୁସୂଦନ ଆଇନ କଲେଜରେ ପରିଣତ ହୋଇଥିଲା। ମଧୁସୂଦନ ଆଇନବୃତ୍ତିକୁ ଦେଶସେବାର ସର୍ବଶ୍ରେଷ୍ଠ ମାଧ୍ୟମ ଭାବେ ବିଚାର କରୁଥିଲେ। ସେ ବିହାର ଓ ଓଡ଼ିଶା ପ୍ରଦେଶର ମନ୍ତ୍ରୀ ଥିବାବେଳେ ଅବୈତନିକ ଭାବେ ମନ୍ତ୍ରିପଦର କାର୍ଯ୍ୟ ସଂପାଦନ କରିବା ସହିତ ତାଙ୍କୁ ଓକିଲାତି କରିବାକୁ ଅନୁମତି ମିଳୁ ବୋଲି ସରକାରଙ୍କ ପାଖରେ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ସରକାର ଗ୍ରହଣ ନ କରିବାରୁ ସେ ସ୍ବଇଚ୍ଛାରେ ମନ୍ତ୍ରିପଦ ତ୍ୟାଗ କରିଥିଲେ। ବିହାର-ଓଡ଼ିଶା ବିଧାନସଭାରେ ବିଧାୟକ ଭାବେ ମଧୁସୂଦନ ପ୍ରଦେଶର ବିକାଶ ପାଇଁ ହାଇକୋର୍ଟର ଅାବଶ୍ୟକତା ରହିଛି ବୋଲି ଏକ ଯୁକ୍ତିପୂର୍ଣ୍ଣ ଭାଷଣ ଦେଇଥିଲେ।

ଓଡ଼ିଶା ହାଇକୋର୍ଟର ସର୍କିଟ ବେଞ୍ଚ ୧୯୧୬ ମସିହା ମେ ମାସ ୧୮ ତାରିଖରେ କଟକଠାରେ ବସିଥିଲା। ଏହି ଅବସରରେ ବାର୍ ଆସୋସିଏସନ୍ ସଭାପତି ମଧୁସୂଦନ ଦାସ କହିଥିଲେ, ଏହି ସର୍କିଟ କୋର୍ଟ ଭବିଷ୍ୟତରେ ସ୍ଥାୟୀ କୋର୍ଟରେ ପରିଣତ ହେବ। ଏହି କାରଣରୁ ଚିର ଆଶାବାଦୀ ଉତ୍କଳ ଗୌରବ ମଧୁସୂଦନ କେବଳ ଯେ ଓଡ଼ିଶା ପ୍ରଦେଶର ଜନକ ଥିଲେ ତା’ ନୁହେଁ ସେ ଯଥାର୍ଥରେ ଥଲେ ଓଡ଼ିଶା ଉଚ୍ଚନ୍ୟାୟାଳୟ ପ୍ରତିଷ୍ଠାର ପ୍ରଥମ ନାୟକ। ତାଙ୍କ ଜନ୍ମଦିବସକୁ ଆଇନଜୀବୀ ଦିବସ ଭାବେ ପାଳନ କରାଯାଉଛି।

ଦେବସ୍ନାନ ଦାସ, ଆଇନଜୀବୀ

ସମ୍ବନ୍ଧିତ ଖବର