ଏମ୍‌ସରେ ଏକ୍‌ମୋକୁ ଅପେକ୍ଷା

ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର

ସେଣ୍ଟର କରିବାକୁ କେତେ ଦିନ?
ଭୁବନେଶ୍ବର : କୋଭିଡ୍‌ ଚିକିତ୍ସାରେ ସବୁଠି ଚାଲିଛି ଏକ୍‌ମୋ ବା କୁତ୍ରିମ ଫୁସଫୁସର ଚର୍ଚ୍ଚା। କେଉଁଠି ଏହାର ଅଭାବରେ ଅନେକ ମୂଲ୍ୟବାନ ଜୀବନ ଯାଇଛି। ତ ଆଉ କେଉଁଠି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏୟାର ଆମ୍ବୁଲାନ୍ସ ଜରିଆରେ ଅନ୍ୟ ରାଜ୍ୟକୁ ପଠାଯାଉଛି। ଏଥିପାଇଁ ସବୁଠି ଆକ୍ରାନ୍ତଙ୍କ ପରିବାର ଜନସାଧାରଣଙ୍କ ସହଯୋଗ(କ୍ରାଉଡ ଫଣ୍ଡିଂ)ର କାମନା କରୁଛନ୍ତି। ସରକାର ଆରମ୍ଭରୁ ଏଥିପ୍ରତି ଦୃଷ୍ଟି ଦେଇଥିଲେ ଏହିଭଳି ସ୍ଥିତି ସୃଷ୍ଟି ହୋଇନଥାଆନ୍ତା ବୋଲି ଅଭିଯୋଗ କରିଛନ୍ତି ଅନେକ। ମାତ୍ର ୪୬ ଲକ୍ଷରୁ ୧ କୋଟି ମୂଲ୍ୟର ଏହି ମେସିନଟି ରାଜ୍ୟର ଏସସିବି, ଏମକେସିଜି, ଭିମସାରରେ ତ ନାହିଁ। ଏମ୍‌ସ ଭୁବନେଶ୍ବରରେ ଏକମୋ ପରିଚାଳନା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଡାକ୍ତର ଥିଲେ ମଧ୍ୟ ମେସିନ ନଥିବା ଅଧିକାଂଶଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଳମ୍ବରେ ହେଲେ ସୁଦ୍ଧା ଜୁନ୍‌ ଶେଷ ସପ୍ତାହରେ ଗୋଟିଏ ମେସିନ ଏବଂ ପରବର୍ତ୍ତୀ ସମୟରେ ଆଉ ଏକ ଏକ୍‌ମୋ ମେସିନ ଏମ୍‌ସକୁ ଆସିବ ବୋଲି କିଛି ଦିନ ପୂର୍ବରୁ ଅଧୀକ୍ଷକ କହିଥିଲେ। କେବଳ ଏକ୍‌ମୋ ମେସିନ ନୁହେଁ ଓଡ଼ିଶାର କୌଣସି ସ୍ଥାନରେ ଏକ୍‌ମୋ ସେଣ୍ଟର କଲେ ବଡ଼ ବିପର୍ଯ୍ୟୟର ମୁକାବିଲା ହେବ ବୋଲି ଏମ୍‌ସ ହୃଦ୍‌ଶଲ୍ୟ ବିଭାଗ ବିଶେଷଜ୍ଞ ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର କହିଛନ୍ତି। ତାଙ୍କ ସହିତ ଆଲୋଚନାର କିଛି ଅଂଶକୁ ନେଇ ଏହି ପ୍ରସ୍ତୁତି।

ଏକ୍‌ମୋ ସେଣ୍ଟର
ଏମ୍‌ସ ଦିଲ୍ଲୀ, ଆପୋଲୋ ଚେନ୍ନାଇ ସମେତ ଦେଶର ୧୦ରୁ ୧୨ଟି ସ୍ଥାନରେ ଏକ୍‌ମୋ ସେଣ୍ଟର ରହିଛି। ଯେଉଁଠାରେ ୨୦ରୁ ଅଧିକ ଏକ୍‌ମୋ ମାମଲା ପରିଚାଳିତ ହୁଏ। ଏଠାରେ ନିଯୁକ୍ତିପ୍ରାପ୍ତ ବିଶେଷଜ୍ଞ ନିଜ କାର୍ଯ୍ୟରେ ଅଭ୍ୟସ୍ତ ହୋଇଥିବାରୁ ଜଟିଳ ରୋଗୀ ଏକ୍‌ମୋ ସେଣ୍ଟରକୁ ଆସିଲେ ସେମାନଙ୍କ ଚିକିତ୍ସା ସମ୍ଭବ ହୁଏ। ଛୋଟ ଡାକ୍ତରଖାନା ଅପେକ୍ଷା ଏକ୍‌ମୋ ସେଣ୍ଟରକୁ ରୋଗୀଙ୍କୁ ଆସିବା ପାଇଁ ପରାମର୍ଶ ଦିଆଯାଏ। ଓଡ଼ିଶାରେ ଏମ୍‌ସ, ଏସସିବି ଭଳି ଜାତୀୟସ୍ତରୀୟ ଡାକ୍ତରଖାନା ଥାଇ ମଧ୍ୟ ଏକ୍‌ମୋ ସେଣ୍ଟର ପ୍ରତିଷ୍ଠା ହୋଇ ନାହିଁ। ଏଥିଯୋଗୁଁ ରୋଗୀଙ୍କୁ ଚେନ୍ନାଇ, ଦିଲ୍ଲୀକୁ ଯିବାକୁ ପଡ଼ୁଛି। ପ୍ରତ୍ୟେକ ଏକ୍‌ମୋ ମେସିନ ପରିଚାଳନା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ ବିଶେଷଜ୍ଞଙ୍କ ଆବଶ୍ୟକତା ଥାଏ। ଯଥା: ଏକ୍‌ମୋ ସର୍ଜନ(କାଡିଓଥୋରାସିକ ଭାସକୁଲାର ସର୍ଜନ), ଏକ୍‌ମୋ ଇଣ୍ଟେନସେଲିଷ୍ଟ(ନିଶ୍ଚେତକ ଡାକ୍ତର), ଏକ୍‌ମୋ ପରଫ୍ୟୁଜେନିଷ୍ଟ(ଏକ୍‌ମୋ ମେସିନ ସଂଯୋଗ କରୁଥିବା ବିଶେଷଜ୍ଞ), ଏକ୍‌ମୋ ସିଷ୍ଟର୍ସ, ବ୍ରଦର୍ସ(ଏକ୍‌ମୋ ପ୍ରଶିକ୍ଷଣପ୍ରାପ୍ତ ନର୍ସିଂ ଅଫିସର)। ପ୍ରତ୍ୟେକ ଡାକ୍ତରଖାନାରେ ୪ ପ୍ରକାର ବିଶେଷଜ୍ଞ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ଏକ୍‌ମୋ ପରିଚାଳନା ପାଇଁ ସ୍ବତନ୍ତ୍ର ଏକ୍‌ମୋ ପାଠ୍ୟକ୍ରମ ନାହିଁ। ଫେଲୋସିପ କୋର୍ସ ରହିଛି। ଏମ୍‌ସ ଭୁବନେଶ୍ବରରେ ହୃଦରୋଗ ବିଶେଷଜ୍ଞ ଡାକ୍ତର ରୁଦ୍ରପ୍ରତାପ ମହାପାତ୍ର, ଡାକ୍ତର ସିଦ୍ଧାର୍ଥ ସାଠିଆ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କ୍ରିଷ୍ଣା, ନିଶ୍ଚେତକ ବିଭାଗ ଏଚଓଡି ଡା. ସତ୍ୟଜିତ ମିଶ୍ର ଏକ୍‌ମୋ ପ୍ରଶିକ୍ଷଣ ନେଇଛନ୍ତି। ପରଫ୍ୟୁଜେନିଷ୍ଟ କେବଳ ଜଣେ ଅଛନ୍ତି। ଏମ୍‌ସରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନର୍ସିଂ ଅଧିକାରୀଙ୍କୁ ଏକ୍‌ମୋ ପ୍ରଶିକ୍ଷଣ ଦିଆଯାଇ ନାହିଁ। କେବଳ ଏକ୍‌ମୋ ମେସିନ ଯଥେଷ୍ଟ ନୁହେଁ ସେହିଭଳି ସ୍ବତନ୍ତ୍ର ଆଇସିୟୁର ମଧ୍ୟ ଆବଶ୍ୟକତା ରହିଛି। ଏଥିପାଇଁ ପ୍ରଶିକ୍ଷଣ ନିହାତି ଆବଶ୍ୟକ। ପ୍ରଶିକ୍ଷଣପ୍ରାପ୍ତ ମାନବସମ୍ବଳ ଅଭାବ ଯୋଗୁଁ ଏକ୍‌ମୋ ମେସିନର ଉପଯୁକ୍ତ ପରିଚାଳନା ସମ୍ଭବ ହୋଇପାରେ ନାହିଁ।

୨ରୁ ୩ ସପ୍ତାହ ଶରୀରକୁ ଅକ୍ସିଜେନ ଯୋଗାଣ
ଆପଣମାନେ ସମସ୍ତେ ହୃଦ୍‌ରୋଗ ବିଭାଗ ପକ୍ଷରୁ କରାଯାଉଥିବା ବାଏପାସ ସର୍ଜରି ବିଷୟରେ ଅବଗତ ଥିବେ। ହାର୍ଟଲଙ୍ଗ ମେସିନ ଜରିଆରେ ଏହି ସର୍ଜରି ହୁଏ। ଏକମୋ ମେସିନ ଏହାର ସମ୍ପ୍ରସାରିତ ରୂପ। ବାଏପାସ ମେସିନରେ ଥିବା ଅକ୍ସିଜେନେଟରରେ ସର୍ବାଧିକ ୬ରୁ୮ ଘଣ୍ଟା ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଣ କରି ହେବ। ଆବଶ୍ୟକ ସ୍ଥଳରେ ଅକ୍ସିମିଟର ବଦଳାଇ ଅତିରିକ୍ତ ୬ରୁ୮ ଘଣ୍ଟା ରଖିହେବ। ଏକ୍‌ମୋ ମେସିନ ଜରିଆରେ ୧୪ରୁ ୨୦ ଦିନ (କମ୍ପାନି ଅନୁସାରେ ୧୪ ଦିନ)ପର୍ଯ୍ୟନ୍ତ ଶରୀରକୁ ଅମ୍ଳଜାନ ଯୋଗାଣ କରି ହୁଏ। ଏକ୍‌ମୋ ମେସିନ ଗୋଟିଏ କିନ୍ତୁ ହୃଦରୋଗ ଏବଂ ଫୁସଫୁସ ରୋଗ ପାଇଁ ଏହାର ଲଗାଇବା ପ୍ରକ୍ରିୟା ଦୁଇ ପ୍ରକାର ରହିଛି। ଫୁସଫୁସକୁ ସପୋର୍ଟ ପାଇଁ ଭିଭି ଏକ୍‌ମୋ ଏବଂ ହୃତପିଣ଼୍ଡକୁ ସପୋର୍ଟ ପାଇଁ ଭିଏ ଏକ୍‌ମୋ। ବର୍ତ୍ତମାନ କୋଭିଡ୍‌ ସ୍ଥିତି ପାଇଁ ଭିଭି ଏକ୍‌ମୋର ସର୍ବାଧିକ ବ୍ୟବହାର ହେଉଛି। କିନ୍ତୁ ଗୋଟିଏ କଥା ମନେରଖିବାକୁ ହେବ ଯେ ଏକ୍‌ମୋ ମେସିନ ଚିକିତ୍ସା ନୁହେଁ। ଧରାଯାଉ ଫୁସଫୁସ ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ରହିଛି। ଏଥିପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ସେହି ସମୟ ପର୍ଯ୍ୟନ୍ତ ଏକ୍‌ମୋ ସପୋର୍ଟ କରିବ। ଭିଭି ଏକ୍‌ମୋ ମଧ୍ୟ ଦୁଇ ପ୍ରକାର ବ୍ରିଜ ଟୁ ରିକଭରି ଅର୍ଥାତ ଔଷଧ ସମେତ ବିଭିନ୍ନ ପ୍ରକାର ଚିକିତ୍ସାରେ ଫୁସଫୁସ୍‌ ଭଲ ହୋଇଯିବାର ସମ୍ଭାବନା ଥିବ ତେବେ କିଛି ଦିନ ପାଇଁ ଏହା ଫୁସଫୁସ୍‌ର କାର୍ଯ୍ୟ କରିବ। ଅନ୍ୟଟି ବ୍ରିଜ ଟୁ ଟ୍ରାନ୍ସପ୍ଲାଣ୍ଟ। ଟ୍ରାନ୍ସପ୍ଲାଣ୍ଟ ବା ପ୍ରତିରୋପଣ ପର୍ଯ୍ୟନ୍ତ ଏହାର ବ୍ୟବହାର ହେବ। କେବଳ କୋଭିଡ୍‌ ନୁହେଁ ଅଣକୋଭିଡ୍‌ ରୋଗ ପାଇଁ ମଧ୍ୟ ଏହାର ବ୍ୟବହାର ହେଉଛି। ସ୍ବାଇନ ଫ୍ଲୁ ବେଳେ ମଧ୍ୟ ଏକ୍‌ମୋ ମେସିନର ଅନେକ ବ୍ୟବହାର ହୋଇଛି।

କରୋନା: ସଫଳତା ହାର ୩୦%
ଏକ୍‌ମୋ ମେସିନ ଦୁଇଟି ଗୁରୁତ୍ବପୂର୍ଣ୍ଣ ଅଂଶ ହେଲା ସେଣ୍ଟ୍ରିକ ଫ୍ୟୁଗାଲ ପମ୍ପ ଓ ଅକ୍ସିଜେନେଟର। ଛୋଟ ଛୁଆ ଜନ୍ମ ହେଲେ ବେଳେବେଳେ ଗର୍ଭାଶୟରୁ ବାହାରୁ ଥିବା ଏକ ପ୍ରକାର ତରଳ ପଦାର୍ଥ ଗିଳି ଦେଲେ ଫୁସଫୁସକୁ ଚାଲିଗଲେ ଶିଶୁଟି ନିଶ୍ବାସ ନେଇପାରେ ନାହିଁ। ଏକ୍‌ମୋ ସପୋର୍ଟ ଦେଲେ ଶ୍ବାସକ୍ରିୟା ସମ୍ଭବ ହୁଏ। ସମୟ କ୍ରମରେ ଫୁସଫୁସ୍‌ ସ୍ବାଭାବିକ ହୋଇଯାଏ। କୌଣସି ବ୍ୟକ୍ତି କିରୋସିନ ପିଇ ଦେଲେ, ଫୁସଫୁସ୍‌ରେ ତାହା ଜମାଟ ବାନ୍ଧିଗଲେ ନିଶ୍ବାସରେ କଷ୍ଟ ହୁଏ। ଏହି ସମୟରେ ଏକ୍‌ମୋର ବ୍ୟବହାର ହୁଏ। କୋଭିଡ୍‌ରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ରୋଗୀଙ୍କ ଠାରେ ୧୨୦-୧୩୦ ଦିନ ହେଲା ଏକ୍‌ମୋ ଲାଗିଥିବା ମଧ୍ୟ ଶୁଣିବାକୁ ମିଳୁଛି। କୋଭିଡ୍‌ ରୋଗୀଙ୍କୁ ଏକ୍‌ମୋ ଲଗାଇଲେ ଏହାର ସଫଳତା ହାର ମାତ୍ର ୩୦ ପ୍ରତିଶତ। ଅଣକୋଭିଡ୍‌ ରୋଗୀଙ୍କ କ୍ଷେତ୍ରରେ ଏହାର ସଫଳତା ହାର ସାମାନ୍ୟ ଭଲ ହୋଇପାରେ। କମ୍‌ ବୟସ୍କଙ୍କ ଠାରେ ଏହା ଲଗାଯିବା ଉଚିତ। ୨୦-୩୦ ଦିନ ଆଇସିୟୁରେ ରଖିବା ପରେ ଶରୀରରେ ଏକ୍‌ମୋ ଲଗାଇଲେ ମଧ୍ୟ କୌଣସି ଲାଭ ମିଳେ ନାହିଁ। ୭ରୁ ୧୦ ଦିନ ମଧ୍ୟରେ ଭେଣ୍ଟିଲେଟରରେ ଥାଇ ଏକ୍‌ମୋ ମେସିନ ଲଗାଇଲେ ଏଥିରେ ସଫଳତା ମିଳିବ।

ତୃତୀୟ ଲହରକୁ ନେଇ କେତେ ପ୍ରସ୍ତୁତ
ତୃତୀୟ ଲହରରେ ଶିଶୁମାନେ ସର୍ବାଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ଶିଶୁଙ୍କ ମଧ୍ୟରେ ଏହି ସମସ୍ୟା ହେଲେ ଏକ୍‌ମୋ ମେସିନ ସେହି ସମାନ ଲାଗିବ ହେଲେ ଅନ୍ୟ ଉପକରଣ ଭିନ୍ନ ଥାଏ। ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆହୁରି ଅଧିକ ଏକ୍‌ମୋ ପ୍ରଶିକ୍ଷଣପ୍ରାପ୍ତ ବିଶେଷଜ୍ଞଙ୍କ ଆବଶ୍ୟକତା ରହିଛି। ବର୍ତ୍ତମାନ ସମୟରୁ ଏଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର