୩୬ ହଜାର ଫୁଟ ଉଚ୍ଚରେ ବିମାନ ଉଡ଼ୁଥିବା ବେଳେ ଏଭଳି ପରିସ୍ଥିତିରେ ମହିଳାଙ୍କର ହେଲା ପ୍ରସବ

ନୂଆଦିଲ୍ଲୀ: ଦୁଇଦେଶ ମଧ୍ୟରେ ଯାତ୍ରା କରୁଥିବା ଜଣେ ମହିଳା ୩୬,୦୦୦ଫୁଟ ଉଚ୍ଚରେ ଶିଶୁକୁ ଜନ୍ମ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ବିମାନ ଉଡ଼ିବାର ୩୦ମିନିଟ ପରେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ମହିଳାଙ୍କ ଏଭଳି ଅବସ୍ଥା ଦେଖି ଉକ୍ତ ବିମାନରେ ଥିବା ଯାତ୍ରୀ ଓ କ୍ରୁ ସଦସ୍ୟ ମହିଳାଙ୍କ ସାହାଯ୍ୟ ପାଇଁ ତାଙ୍କ ପାଖକୁ ଚାଲି ଆସିଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ୨୧ବର୍ଷର କେନଡ୍ରିଆ ରୋଡେନ ୩୨ ସପ୍ତାହର ଅନ୍ତସତ୍ତ୍ବା ଥିଲେ। ଏହା ସତ୍ତ୍ବେ ବି ଡାକ୍ତର ତାଙ୍କୁ ବିମାନରେ ଉଡ଼ିବାକୁ ପରାମର୍ଶ ଦେଇ ଦେଇଥିଲେ। କାରଣ ତାଙ୍କ ପ୍ରସବ ସମୟକୁ ଆହୁରି ଗୋଟିଏ ମାସ  ବାକି ଥିଲା।

ତେବେ କେନଡ୍ରିଆ ବିମାନରେ ଯାତ୍ରା କରୁଥିବା ସମୟରେ  ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ସେତେବେଳେ ବିମାନଟି ୩୬,୦୦୦ ଫୁଟ ଉଚ୍ଚରେ ଥିଲା। ମହିଳାଙ୍କ ଏଭଳି ଅବସ୍ଥାରେ ବିମାନର କ୍ରୁ ସଦସ୍ୟ ଓ ସାଥୀ ଯାତ୍ରୀମାନେ ତାଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଥିଲେ। ଆଉ ସନ୍ତାନ ଜନ୍ମ ସମୟରେ ତାଙ୍କୁ ସାହାସ ଦେଇଥିଲେ।

ବିମାନରେ ସନ୍ତାନ ଜନ୍ମ ଦେବାର ଅଭିଜ୍ଞତାକୁ ନେଇ କେନଡ୍ରିଆ କହିଛନ୍ତି, ‘ମୁଁ ଆମେରିକା ଏୟାରଲାଇନ୍ସ ବିମାନରେ ଯାତ୍ରା କରୁଥିଲି। ମୁଁ ଜଣେ ସ୍ବାସ୍ଥ୍ୟକର୍ମୀ ଭାବେ କାମ କରେ। ବିମାନ ଉଡ଼ିବାର ୩୪ ମିନିଟ ପରେ ମୋର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। କେବିନ କ୍ରୁ ମୋର ବହୁତ ସାହାଯ୍ୟ କରିଛନ୍ତି। ଶିଶୁ ଜନ୍ମ ପରେ ତାକୁ ୪ଦିନ ଆଇସିୟୁରେ ରଖା ଯାଇଥିଲା। ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି।’

ସମ୍ବନ୍ଧିତ ଖବର