କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, କ୍ରିକେଟର୍ କହିଲେ ‘ମାଇଲଖୁଣ୍ଟ’

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଥିବା ପ୍ରଚଳିତ ୩୭୦ ଧାରାକୁ ‌କେନ୍ଦ୍ର ସରକାର ଉଚ୍ଛେଦ କରିବା ସହିତ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପୁନର୍ଗଠନ ପ୍ରସ୍ତାବକୁ ଭାରତୀୟ କ୍ରୀଡ଼ା ଦୁନିଆ ମଧ୍ୟ ସ୍ବାଗତ କରିଛି। ବିଶେଷ କରି ସାମାଜିକ ଗଣମାଧ୍ୟମରେ କ୍ରିକେଟର୍‌ମାନେ ଭୂ୍ୟସୀ ପ୍ରଶଂସା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ଖେଳାଳିମାନେ ଐତିହାସିକ ଏବଂ ମାଇଲଖୁଣ୍ଟ ଆଖ୍ୟା ଦେଇଛନ୍ତି। ସୁରେଶ ରାଇନା ଏହାକୁ ‘ଜୟ ହିନ୍ଦ’ କହି ସ୍ବାଗତ କରିବା ସହ ଆଗକୁ ଭଲ ସମୟ ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି। ଜାତୀୟତାବାଦୀ ମନୋଭାବ ପାଇଁ ପରିଚିତ ଗୌତମ ଗମ୍ଭୀର ମଧ୍ୟ ମୋଦି ସରକାରଙ୍କ ନିଷ୍ପତ୍ତିକୁ ଯୁଗାନ୍ତକାରୀ ଦର୍ଶାଇଛନ୍ତି। କ୍ରିକେଟ ଖେଳାଳିରୁ ଭାଜପା ଲୋକସଭା ସାଂସଦ ନିର୍ବାଚିତ‌ ହୋଇଥିବା ଗମ୍ଭୀର‌ ଲେଖିଛନ୍ତି ‘ଯାହା ଅନ୍ୟ କେହି କରିପାରିନଥିଲେ ଆମେ କରି ଦେଖାଇଲୁ’। ଜମ୍ମୁ ଓ କଶ୍ମୀର ରଣଜୀ ଦଳର ଖେଳାଳି ତଥା ମାର୍ଗଦର୍ଶକ ଥିବା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ଇରଫାନ୍ ପଠାନ୍ କିନ୍ତୁ ଅସେନ୍ତାଷ ପ୍ରକାଶ କରିଛନ୍ତି। ଜମ୍ମୁ ଓ କଶ୍ମୀରରୁ ଲୋକଙ୍କୁ ଫେରିଯିବାକୁ କହିବା ଦ୍ବାରା ସରକାର କି ଉଦ୍ଦେଶ୍ୟ ରଖିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ମୋ ମନ ଓ ହୃଦୟ ଏବେ ଭାରତୀୟ ସେନା ଓ କଶ୍ମୀର ଭାଇ ଭଉଣୀଙ୍କ ସହିତ ରହିଛି ବୋଲି ଇରଫାନ୍ କହିଛନ୍ତି। ସୂଚନାଯୋଗ୍ୟ, ଇରଫାନ୍‌ଙ୍କ ସହିତ ୧୦୦ କ୍ରିକେଟରଙ୍କୁ କଶ୍ମୀର ଛାଡ଼ିବାକୁ ରବିବାର ନିର୍ଦେଶ ଦିଆଯାଇଥିଲା। ସୁରକ୍ଷା‌କୁ ଦୃଷ୍ଟିରେ ରଖି ଏଭଳି କରାଯାଉଥିଲେ ମଧ୍ୟ ପଠାନ୍ ଗ୍ରହଣ କରିପାରିନାହାନ୍ତି। ‘ଆପଣ ଖରାପ ଚିନ୍ତାକୁ ବଦଳାଅ, ସବୁ କଥାରେ ଧର୍ମକୁ ସାମିଲ କର ନାହିଁ। ସବୁ କଥା ଲାଗି ପ୍ରମାଣ ମାଗ ନାହିଁ’ ବୋଲି ଇରଫାନ୍ ଟ୍ବିଟ୍ କରିଛନ୍ତି।

ସମ୍ବନ୍ଧିତ ଖବର