କ୍ବିତୋଭାଙ୍କ ବିଦାୟ: ଫେଡେରର୍‌, ଭେରେଭ୍ ଓ ପ୍ଲିସ୍‌କୋଭାଙ୍କ ବିଜୟ ଅଭିଯାନ

ଲଣ୍ଡନ: ଦଶମ ମାନ୍ୟତାପ୍ରାପ୍ତ ପେଟ୍ରା କ୍ବିତୋଭା ଚଳିତ ୱିମ୍ବଲଡନ୍‌ ଗ୍ରାଣ୍ଡସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତାର ଆରମ୍ଭରୁ ବିଦାୟ ରାସ୍ତା ଦେଖିଛନ୍ତି। ସୋମବ‌ାର ରାତିରେ ଖେଳିଥିବା ମହିଳା ଏକକ ପ୍ରଥମ ରାଉଣ୍ଡ୍‌ ମ୍ୟାଚ୍‌ରେ ଏହି ଚେକ୍‌ ଗଣରାଜ୍ୟ ଖେଳାଳି ସିଧାସଳଖ ୩-୬ ଓ ୪-୬ ସେଟ୍‌ରେ ସ୍ଲୋଆନ୍‌ ଷ୍ଟିଫେନ୍‌ସଙ୍କ ନିକଟରୁ ହାରିଯାଇଛନ୍ତି। ତେବେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି, ଅଷ୍ଟମ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସ୍‌କୋଭା, ପଞ୍ଚଦଶ ମାନ୍ୟତାପ୍ରାପ୍ତ ମାରିଆ ସାକାରି, ତ୍ରୟୋଦଶ ମାନ୍ୟତାପ୍ରାପ୍ତ ଏଲିସେ ମର୍ତେନ୍‌ସ, ଭେନସ୍‌ ୱିଲିୟମ୍‌ସନ୍‌, ଭେରା ଜୋନାରେଭା, ଚତୁର୍ଥ ମାନ୍ୟତାପ୍ରାପ୍ତ ସୋଫିଆ କେନିନ୍‌, ସପ୍ତମ ମାନ୍ୟତାପ୍ରାପ୍ତ ଈଭା ସ୍ବିତେକ୍‌ ଏବଂ ଏଲିନା ରିବାକିନା ପ୍ରମୁଖ ମହିଳା ଏକକ ପ୍ରଥମ ରାଉଣ୍ଡ ପାରି ହୋଇଛନ୍ତି।

ମଙ୍ଗଳବାର ପୁରୁଷ ଏକକରେ ସ୍ବିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ ପ୍ରବଳ ସଂଘର୍ଷ କରିବା ପରେ ୱାକ୍‌ଓଭର ପାଇଁ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଆଡ୍ରିଆନ୍‌ ମାନାରିନୋଙ୍କ ବିପକ୍ଷରେ ୬-୩, ୬-୭, ୩-୬ ଓ ୬-୨ ସେଟ୍‌ରେ ବରାବର ଥିଲା ବେଳେ ମାନାରିନୋ ନିର୍ଣ୍ଣାୟକ ସେଟ୍‌ରୁ ଓହରିଯାଇଥିଲେ। ଅନ୍ୟପକ୍ଷରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଜର୍ମାନି ତାରକା ଆଲେକ୍‌ଜାନ୍ଦ୍ର ଭେରେଭ୍‌ ଏବଂ ୨୨ ମାନ୍ୟତାପ୍ରାପ୍ତ ୟୁକେ ଖେଳାଳି ଡାନ୍‌ ଇଭାନ୍ସ ପୁରୁଷ ଏକକରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାର ପ୍ରଥମ ରାଉଣ୍ଡରେ ଭେରେଭ୍‌ ୬-୩, ୬-୪ ଓ ୬-୧ ସିଧାସଳଖ ସେଟ୍‌ରେ ଟାଲନ୍‌ ଗ୍ରିକ୍‌ସ୍ପୁର୍‌ଙ୍କୁ ଏବଂ ଇଭାନ୍‌ସ ୭-୬, ୬-୨ ଓ ୭-୫ ସିଧାସଳଖ ସେଟ୍‌ରେ ଫେଲିସିଆନୋ ଲୋପେଜ୍‌ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ‌ ସ୍ଥାନ ସୁରକ୍ଷିତ କରିଛନ୍ତି। ‌ନବମ ମାନ୍ୟତାପ୍ରାପ୍ତ ଡିଆଗୋ ସ୍ବାର୍ଜମ୍ୟାନ୍‌, ତ୍ରୟୋଦଶ ମାନ୍ୟତାପ୍ରାପ୍ତ ଗେଲ୍‌ ମୋନ୍‌ଫିଲ୍‌ସ ଓ ବ୍ରିଟେନ୍‌ ତାରକା ଆଣ୍ଡି ମରେ ପ୍ରମୁଖ ପ୍ରଥମ ରାଉଣ୍ଡ ବାଧା ପାରି କରିଛନ୍ତି।

ସମ୍ବନ୍ଧିତ ଖବର