ବର୍ଣ୍ଣବୈଷମ୍ୟ ବିରୋଧୀ ଆଇନ, ଘା’ ଉପରେ ପଟି ଲଗାଇବା ଭଳି: ହୋଲ୍ଡିଂ

ବାର୍ବାଡସ୍: ବର୍ଣ୍ଣବୈଷମ୍ୟ ନେଇ ଲାଗି ରହିଥିବା ବିକ୍ଷୋଭ, ବିରୋଧ ଓ ବିତର୍କ ଉପରେ ନଜି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ୱେଷ୍ଟଇଣ୍ଡିଜର କିଂବଦନ୍ତି ଦ୍ରୁତ ବୋଲର ମାଇକେଲ୍ ହୋଲ୍ଡିଂ। ହୋଲ୍ଡିଂ ବିଶ୍ବାସ କରନ୍ତି ଯେ କ୍ରୀଡ଼ାରେ ବର୍ଣ୍ଣବୈଶମ୍ୟକୁ ନିୟନ୍ତ୍ରଣ କରିବା ଲାଗି ଥିବା ନିୟମ କଟା ଘା’ରେ କେବଳ ପଟି ଲଗାଇଲା ଭଳି, ଯେପର୍ଯ୍ୟନ୍ତ ସମାଜ ଏହି ବ୍ୟାଧିକୁ ଦୂର କରିବା ଲାଗି ଏକତ୍ରିତ ହୋଇନି, ସେ ପର୍ଯ୍ୟନ୍ତ ଏହା ପୂର୍ବଭଳି ବଳବତ୍ତର ରହିବ। କେବଳ କଠୋର ନିୟମ କରିଦେଲେ, କ୍ରୀଡ଼ାରୁ ବର୍ଣ୍ଣବୈଷମ୍ୟ ଦୂର ହେବନି। ୧୯୭୫ରୁ ୧୯୮୭ ମଧ୍ୟରେ ୬୦ ଟେଷ୍ଟ୍ ଖେଳି ୨୪୯ ୱି‌କେଟ୍ କରାୟତ କରିଥିବା ହୋଲ୍ଡିଂ, କୌଣସି ଗୋଟିଏ ଖେଳରୁ ବର୍ଣ୍ଣବ‌ୈଷମ୍ୟ ଦୂର ହୋଇଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଭାବିବା ଭୁଲ ବୋଲି ମତ ପ୍ରକାଶ କରିଛନ୍ତି।

‘‘ ଆପଣ ଭେଦବାଦର ଶିକାର ହେବେ, କ୍ରି‌‌କେଟ୍ ପଡ଼ିଆ ହେଉକି ଫୁଟବଲ୍, ଲୋକମାନେ ଆପଣଙ୍କୁ ଏଣୁତେଣୁ କଥା କହିବେ। କୌଣସି ଗୋଟିଏ ଖେଳକୁ ନିୟନ୍ତ୍ରଣ କରି ଆପଣ କେବେବି ବର୍ଣ୍ଣବୈଷମ୍ୟକୁ ଦୂର କରି ପାରିବେ ନାହିଁ। ଆପଣଙ୍କୁ ଏହାକୁ ଏକ ସାମାଜିକ ବ୍ୟାଧି ଭାବେ ବିଚାର କରିବାକୁ ହେବ ଏବଂ ତଦନୁଯାୟୀ ପଦକ୍ଷେପ ନେବାକୁ ହେବ। ବର୍ଣ୍ଣବୈଷମ୍ୟକୁ ସମାଜରୁ ଦୂର କରିବାକୁ ହେବ, କେବଳ କ୍ରୀଡ଼ାରୁ କଲେ ବିଶେଷ ଲାଭ ହେବ ନାହିଁ। ’’ ବୋଲି ୬୬ ବର୍ଷୀୟ ହୋଲ୍ଡିଂ କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଆମେରିକୀୟ ନାଗରିକ ଜର୍ଜ ଫ୍ଲଏଡ୍‌ର ମୃତ୍ୟୁ ପରେ କ୍ରିକେଟ୍‌ରୁ ଜାତିଆଣ ଭେଦଭାବ ଦୂର କରିବାକୁ ୱେଷ୍ଟଇଣ୍ଡିଜର ଦୁଇ ଲୋ‌କପ୍ରିୟ ଖେଳାଳି କ୍ରିସ୍ ଗେଲ ଓ ଡ‌େରେନ୍ ସାମି ଆହ୍ବାନ କରି ସାରିଛନ୍ତି।

ସମ୍ବନ୍ଧିତ ଖବର