ରାହା ଖୋଜୁଛନ୍ତି ରୋନାଲ୍‌ଡୋ: ସ୍ବପ୍ନ ଥିଲା ଫୁଟ୍‌ବଲ୍‌ର ହେବା, ଏବେ ଇଟାଭାଟିରେ କାମ କରୁଛନ୍ତି

ସବ୍ୟ ଦେଇଥିଲେ ସାହସ

ଭୁବନେଶ୍ବର (ଦେବାଶିଷ ସୁନ୍ଦରାୟ): ଇଏ ବି ଜଣେ ରୋନାଲ୍‌ଡୋ। ଅତ୍ୟନ୍ତ ଗରିବ ଓ ଦିନ ମଜୁରିଆ ହୋଇଥିଲେ ମଧ୍ୟ ଫୁଟ୍‌ବଲ୍‌ପ୍ରେମୀ ମାତାପିତା ପର୍ତ୍ତୁଗାଲ୍‌ର ପ୍ରସିଦ୍ଧ ଓ ମହାନ ଫୁଟ୍‌ବଲର୍‌ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କୁ ପ୍ରେରଣା ଭାବେ ନେଇ ପୁଅର ନାମ ରଖିଥିଲେ ରୋନାଲ୍‌ଡୋ। ପୂରା ନାଁ ରୋନାଲ୍‌ଡୋ ହରିଜନ। କ୍ରିଷ୍ଟିଆନୋଙ୍କ ଭଳି ଦିନେ ଫୁଟ୍‌ବଲ୍ ଫିଲ୍ଡରେ କମାଲ କରିବେ ବୋଲି ପିଲାଟି ଦିନରୁ ସ୍ବପ୍ନ ଦେଖି ଆସୁଥିଲେ ଆମର ଏହି ଦେଶୀ ରୋନାଲ୍‌ଡୋ। ଏପରିକି କରୋନା ସଂକ୍ରମଣର ଉଗ୍ରତା ଓ ଭୟାବହତା ଏବଂ ଲକଡାଉନ୍ ତଥା ସଟ୍‌ଡାଉନ୍‌ର ଘୋର ସଙ୍କଟ ବି ତାଙ୍କ ପାଦକୁ ରୋକି ପାରିନଥିଲା। ଟ୍ରାଏଲ୍ ଦେଇ ପ୍ରଶିକ୍ଷକଙ୍କ ମନ ଜିତିବା ସହ ‌କୌଣସି ପ୍ରତିଷ୍ଠିତ ଓ ପେସାଦାର ଫୁଟ୍‌ବଲ୍ ଏକାଡେମି ପାଇଁ ମନୋନୀତ ହେବା ଲକ୍ଷ୍ୟ ନେଇ ସୁଦୂର କୋରାପୁଟର ମୁଣ୍ଡାଗୁଡ଼ା ଗାଁ’ରୁ ଭୁବନେଶ୍ବର ଛୁଟି ଆସିଥିଲେ ରୋନାଲ୍‌ଡୋ। ହଠାତ୍ ହୋଇଥିବା କରୋନା ଲକଡାଉନ୍ ପାଇଁ କିନ୍ତୁ ଏସବୁ ସମ୍ଭବ ହେଲାନି। କଳିଙ୍ଗ ଷ୍ଟାଡିୟମ୍‌ରେ ହେବାକୁ ଥିବା ପ୍ରସ୍ତାବିତ ଚୟନ ଶିବିର ହଠାତ୍ ବାତିଲ ହୋଇଗଲା। ପାଖରେ ଟଙ୍କାଟିଏ ନଥିବାରୁ ନଖାଇ ନପିଇ ଓ ବହୁ ଦୁଃଖ କଷ୍ଟରେ ଭୁବନେଶ୍ବରରେ ଢେର ଦିନ ରହିବା ପରେ କିଛି ସହୃଦୟ ବ୍ୟକ୍ତିଙ୍କ ସହଯୋଗରେ ନିରାଶ ହୋଇ ଘରକୁ ଫେରିଥିଲେ ସେ। ବୋଝ ଉପରେ ନଳିତା ବିଡ଼ା ଭଳି କରୋନା କଟକଣା ପାଇଁ ଜୀବିକା ହରାଇ ବସିଲେ ବୟସ୍କ ପିତାମାତା।

ଫଳରେ ଗୁଜୁରାଣ ମେଣ୍ଟାଇବା ଲାଗି ଗାଁ ସାହୁକାରଠାରୁ ୨୦,୦୦୦ ଟଙ୍କା ଧାର ଆଣିବାକୁ ପଡ଼ିଲା। ଏବେ ସେହି ଟଙ୍କା ଶୁଝିବାକୁ ସାରା ପରିବାର ଘରଠୁ ୬୦ କିଲୋମିଟର ଦୂର ନବରଙ୍ଗପୂରର ଏକ ଇଟାଭାଟିରେ ଖଟୁଛନ୍ତି। ତଥାପି ରୋନାଲ୍‌ଡୋ ହରିଜନ ହାରିନାହାନ୍ତି। ହାଡ଼ଭଙ୍ଗା ଖଟଣୀ ଭିତରେ ଟିକିଏ ସମୟ ପାଇଲେ ଫୁଟ୍‌ବଲ୍‌ ଖେଳରେ ମାତି ଯାଉଛନ୍ତି ‌ସେ। ନିରନ୍ତର ଓ ନିୟମିତ ଭାବେ ଅଭ୍ୟାସ ଜାରି ରଖିଛନ୍ତି। ଋଣ ଶୁଝିବା ପରେ ରୋନାଲ୍‌ଡୋ ପୁଣି ଥରେ ‌ଫୁଟ୍‌ବଲ୍‌କୁ ନେଇ ସୁନେଲି ସ୍ବପ୍ନ ଦେଖିବେ, ତାକୁ ଅନୁସରଣ କରିବେ। ଏହାକୁ ପୂରଣ କରିବା ଲାଗି ପାରୁପର୍ଯ୍ୟନ୍ତ ଚେଷ୍ଟା କରି‌ବେ। କେହି ଜଣେ ସହାୟତାର ହାତ ବଢ଼ାଇଲେ କିନ୍ତୁ ତାଙ୍କ ଚଲାପଥ ଟିକିଏ ସୁଗମ ହୋଇଯା’ନ୍ତା। ଫୁଟ୍‌ବଲ୍ ନିଶା, ପେସାରେ ପରିଣତ ହୁଅନ୍ତା। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୫ ବର୍ଷୀୟ ରୋନାଲ୍‌ଡୋ କେବଳ ଏକ ସୁଯୋଗ ଅପେକ୍ଷାରେ। ତେବେ ଏଠାରେ ପ୍ରଶ୍ନ ଉଠେ ଏହି ବଣ ମଲ୍ଲୀ ବଣରେ ମଉଳିଯିବା ପୂର୍ବରୁ, ତାଙ୍କୁ କ’ଣ ସେହି ଅପେକ୍ଷିତ ସାହାଯ୍ୟ ମିଳିବ। ଯଦି ହଁ, ତାହାଲେ ସେହି ଦେବଦୂତ ଜଣକ କିଏ?

କୋରାପୁଟ ଜିଲ୍ଲା ବରିଗୁମା ବ୍ଲକ୍ ଅନ୍ତର୍ଗତ ମୁଣ୍ଡାଗୁଡ଼ା ଗାଁର ମୂଳ ବାସିନ୍ଦା ରୋନାଲ୍‌ଡୋଙ୍କ ପିତା ରୁଗଦର ହରିଜନ ବି ଏକଦା ଫୁଟ୍‌ବଲ୍ ଖେଳୁଥିଲେ। ଆଜି ସେ ବୃଦ୍ଧ ଓ ଅସହାୟ। ରୁଗଦରଙ୍କୁ ଅବଶ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ମା’ କମଳା ହରିଜନଙ୍କୁ ୬୦ ପୂରିଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ସେ ଏପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହୋଇପାରିନାହାନ୍ତି। ଦୁଇ ଭାଇ, ଗୋଟିଏ ଉଭଣୀ ଆଉ ରୋନାଲ୍‌ଡୋ ହେଉଛନ୍ତି ମଝିଆ। ମା’ ବାପା କଷ୍ଟେମଷ୍ଟେ ବଡ଼ ଭଉଣୀକୁ ବାହା କରି ଦେଇଛନ୍ତି।

ପରିବାରର ଶୋଚନୀୟ ଆର୍ଥିକ ସ୍ଥିତି ପାଇଁ ଅନୁଗୁଳର ବଣିଆସ୍ଥିତ ନିଜ ଜେଜେ ମା’ଙ୍କ ଘରେ ରହି ଅଷ୍ଟମ ଶ୍ରେଣୀ ପାଠ ପଢ଼ୁଥିଲେ ସେ। ହେଲେ କରୋନା ପରିସ୍ଥିତି ପାଇଁ ନିଜ ଘରକୁ ଚାଲି ଆସିବାକୁ ବାଧ୍ୟ ହୋଇଥିଲେ। ଫୁଟ୍‌ବଲ୍ ଖେଳକୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ଏହି ସରଳ ଆଦିବାସୀ ଯୁବକ କୁହନ୍ତି, ‘‘ମୋତେ କୌଣସି ଫୁଟ୍‌ବଲ୍‌ ଏକାଡେମିରେ ସୁଯୋଗ ମିଳିଲେ ମୁଁ ନିଶ୍ଚିତ ଭାବେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିପାରନ୍ତି। ଦୁଇ ଭାଇ ସୁନିଲ ଓ ରଞ୍ଜନ ସୋରେନଙ୍କ ଭଳି ପେସାଦାର ଫୁଟ୍‌ବଲ୍‌ କ୍ଲବ୍‌ରେ ସ୍ଥାନ ପାଇପାରନ୍ତି। ଅତୀତରେ ମୁଁ ଏଥିଲାଗି ବହୁ ଚେଷ୍ଟା କରିଛି। କୌଣସି ପେସାଦାର ତାଲିମ ନେଇ ନଥିଲେ ମଧ୍ୟ ମୋ ପାଖରେ ସେହି ପ୍ରତିଭା ଅଛି। ଗତବର୍ଷ ଜୟଦେବ ମହାପାତ୍ରଙ୍କ ଅର୍ଦୁର ଏକାଡେମି ଲାଗି ଟ୍ରାଏଲ୍ସ ପାଇଁ ମୁଁ ଭୁବନେଶ୍ବର ଯାଇଥିଲି। ହେଲେ କରୋନା କଟକଣା ପାଇଁ ଟ୍ରାଏଲ୍ସ ଦେଇପାରିନଥିଲି। ଆଉ ଥ‌ରେ ୟୁନିଟ୍-୬ ପଡ଼ିଆରେ ଆୟୋଜିତ ଟ୍ରାଏଲ୍ସରେ ଯୋଗ ଦେଇଥିଲି। କିନ୍ତୁ ମନୋନୀତ ହୋଇନଥିଲି। ମୁଁ ଛତିଶଗଡ଼ ଯାଇ ବି ଟ୍ରାଏଲ୍ ଦେଇଛି। ସେଠି ମନୋନୀତ ହୋଇଥିଲି। ହେଲେ ସେମାନେ କହିଲେ ତୁମକୁ ନିଜ ଖର୍ଚ୍ଚରେ ସବୁକିଛି କରିବାକୁ ହେବ। ରହିବା, ଖାଇବା ଆଦି ଲାଗି ନିଜ ପକେଟରୁ ଖର୍ଚ୍ଚ କରିବାକୁ ହେବ। ମୁଁ ଗରିବ ପରିବାରର ପିଲା, ଏତେ ପଇସା ଆଣିବି କୋଉଠୁ। ‌ମୋ ପାଇଁ କୋଉ ଗୋଟାଏ ଏକାଡେମିରେ ପ୍ରଶିକ୍ଷଣ ବ୍ୟବସ୍ଥା ହୋଇପାରିଲେ, ମୁଁ ବହୁତ ଭଲ ଖେଳିପାରନ୍ତି। ମୋତେ କେବଳ ପରୀକ୍ଷା ଦେବାର ସୁଯୋଗ ମିଳୁ। ଏତିକି ମୋ ଅନୁରୋଧ। ମୋ ପାଇଁ କୌଣସି ଏକାଡେମି କିମ୍ବା ସ୍କୁଲ୍‌ରେ ରହିବା ବ୍ୟବସ୍ଥା କରି ଦିଅନ୍ତୁ ସାର୍। ରହିବା ଓ ଖାଇବା ଗଣ୍ଡାଏ ମିଳିଗଲେ ମୁଁ ଆହୁରି ଭଲ ଖେଳିପାରନ୍ତି’’।

ଲକଡାଉନ୍ ବେଳେ ଭୁବନେଶ୍ବରରେ ଫସି ରହିଥିବା ରୋନାଲ୍‌ଡୋଙ୍କ ସହ ତାଙ୍କ ବନ୍ଧୁ ସନ୍ତୋଷ ଫିଲିପ୍‌ ଓ ସୁଜିତ ସେଠିଆଙ୍କୁ ଅଭିନେତା ସବ୍ୟସାଚୀ ମିଶ୍ର ଓ ସପ୍ତମ ବାଟାଲିୟନର ପୁଲିସ୍ କନେଷ୍ଟବଳ ଚିତ୍ତରଞ୍ଜନ ମିଶ୍ର ଢେର ସାହାଯ୍ୟ ସହଯୋଗ କରିଥିଲେ। ଖାଇବା ପିଇବା ସହ କୋରାପୁଟ ଫେରିବାର ବ୍ୟବସ୍ଥା ବି କରାଇ ଦେଇଥିଲେ। ହେଲେ ରୋନାଲ୍‌ଡୋ ଓ ଫିଲିପ ଫୁଟ୍‌ବଲ୍ ଖେଳାଳି ବୋଲି ଶେଷ ମୁହୂର୍ତ୍ତରେ ହିଁ ଜାଣିଥିଲେ। ତଥାପି ଫୁଟ୍‌ବଲ୍ ସ୍ବପ୍ନ ପୂରଣ କରିବା ଲାଗି ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ସବ୍ୟ ପ୍ରତିଶ୍ରୁତି ଦେଇଥିଲେ। ନିରନ୍ତର ପ୍ରୟାସ ଜାରି ରଖିଲେ ଦିନେ ନା ଦିନେ ତାଙ୍କ ସ୍ବପ୍ନ ପୂରଣ ହେବ ବୋଲି ସାହସ ଦେଇଥିଲେ। ଏବେ କରୋନା କଟକଣା କୋହଳ ହୋଇଥିବାରୁ ଆଗାମୀ ମାସରେ ଋଣ ଶୁଝିଯିବା ପରେ ପୁଣି ଥରେ ବିଭିନ୍ନ ସ୍ଥାନକୁ ଯାଇ ଟ୍ରାଏଲ୍ସ ଦେବାକୁ ରୋନାଲ୍‌ଡୋ ଯୋଜନା ରଖିଛନ୍ତି। ହେଲେ ଏଥିଲାଗି ପଇସା ପତ୍ର କେମିତି ଯୋଗାଡ଼ କରିବେ ସେଥିନେଇ ଚିନ୍ତିତ ଅଛନ୍ତି। କିସ୍ ବିଦ୍ୟାଳୟରେ ବହୁତ ଗରିବ ପିଲା ମାଗଣାରେ ପାଠ ପଢ଼ିବା ସହ ଖେଳାଖେଳି କରୁଛନ୍ତି। ମୋତେ ବି ସେଠାରେ ସୁଯୋଗ ଦେବାକୁ ମୁଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନୁରୋଧ କରୁଛି ବୋଲି ‘ସମ୍ବାଦ’କୁ କହିଛନ୍ତି ରୋନାଲ୍‌ଡୋ। ରାଜ୍ୟର ଅଗ୍ରଣୀ ଫୁଟ୍‌ବଲ୍ ପ୍ରଶିକ୍ଷକ ଜୟଦେବ ମହାପାତ୍ରଙ୍କୁ ମଧ୍ୟ ତାଙ୍କୁ ଟ୍ରାଏଲ୍ସ ଦେବାର ସୁଯୋଗ ଦେବା ଲାଗି କାକୁତି ମିନତି ହୋଇଛନ୍ତି ରୋନାଲ୍‌ଡୋ।

 

ସମ୍ବନ୍ଧିତ ଖବର