୧୨ ମ୍ୟାଚ୍‌ରୁ ୯ ଥର ଟସ୍ ହାରିଥିଲୁ

-ଏବି ଡି’ଭିଲିୟର୍ସ-

କ୍ରିକେଟର୍‌ଙ୍କ ମଧ୍ୟରେ ଏକ ଅଲିଖିତ ନିୟମ ରହିଛି ଯେ ଟସ୍ ହାରିଲେ କୌଣସି ଅଭିଯୋଗ କରାଯାଇ ପାରିବ ନାହିଁ। କେବଳ କାମଟି କରାଯାଇ ପାରି ନାହିଁ ବୋଲି ଧରିନେବାକୁ ପଡ଼ିବ। ଟସ୍ ଖେଳର ଏକ ଅଂଶବି‌ଶେଷ, କ୍ଷମା‌ ନେବା ଲାଗି ଏହା ବୈଧ ମାଧ୍ୟମ ନୁହେଁ। କିଛି ମ୍ୟାଚ୍‌ରେ ମଧ୍ୟ ଟସ୍ ବିଶେଷ ଫରକ ପକାଇନଥାଏ। ଅନ୍ୟ କିଛି ଅବସରରେ ମଧ୍ୟ ଟସ୍ ହାରିଗଲେ ଆଶ୍ବସ୍ତି ମିଳେ। କାରଣ ପ୍ରଥମେ ବ୍ୟାଟିଂ କି ବୋଲିଂ କରିବା ନେଇ ଦ୍ବନ୍ଦ୍ବ ଥାଏ। ତଥାପି ଟସ୍ ଅନ୍ୟ କିଛି ମ୍ୟାଚ୍‌ରେ ଫଳାଫଳ ନିର୍ଣ୍ଣୟ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ରବିବାର ଫିରୋଜ ସାହା କୋଟଲାରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ଆମ ମ୍ୟାଚ୍‌ଟି ନିଶ୍ଚିତ ଶେଷ କଥାଟି ଅନ୍ତର୍ଭୁକ୍ତ ରହିବ।
ମନ୍ଥର ଓ ଅସମତଳ ପିଚ୍‌ରେ ଉଭୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲେ। ଅପରାହ୍ନ ମ୍ୟାଚ୍‌ ଥିବାରୁ ଖରା ପରେ ପିଚ୍‌ ନିଶ୍ଚିତ ଖରା‌ପ ହୋଇଯିବ ଏବଂ ପଶ୍ଚାତଧାବନ କରୁଥିବା ଦଳ ପାଇଁ ଏହା ଅସୁବିଧା ସୃଷ୍ଟି କରିବାର ଆଶଙ୍କା ଥିଲା। ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ସହିତ ଦଳ ଅଲରାଉଣ୍ଡ୍ ପ୍ରଦର୍ଶନ ଦେଖାଇ ୧୬ ରନ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ସାତ ବର୍ଷରେ ପ୍ରଥମ ଥର ପାଇଁ ପ୍ଲେ ଅଫ୍‌ ଖେଳିବା ଯୋଗ୍ୟତା ମଧ୍ୟ ଅର୍ଜନ କରି ନେଲା। ଏହା ମଧ୍ୟ ଆମ ଆଶାରେ ପାଣି ଭରି‌ ଦେଇଥିଲା।
ଏହା ଏକ କ୍ଷମାଭିକ୍ଷା ନ ଥିଲେ ବି ଏକ ମୂଲ୍ୟବାନ ପଏଣ୍ଟ୍‌ ରହିଛି। ଆରସିବି ନିଜର ୧୨ ମ୍ୟାଚ୍‌ରୁ ୯ ଥର ଟସ୍ ହାରିଛି। ଆମେ ନିଶ୍ଚତ ଯେ, ଦଳ ଆଶା ମୁତାବକ ପ୍ରଦର୍ଶନ କରିନାହିଁ, କିନ୍ତୁ ଟସ୍ ଭାଗ୍ୟ ବି ଆମ ସପକ୍ଷରେ ରହିନାହିଁ। ଦିଲ୍ଲୀରେ ଆମେ ୨ ପଏଣ୍ଟ୍ ନେବାକୁ ଆଶା ରଖିଥିଲୁ। ପ୍ରଥମ ୬ ମ୍ୟାଚ୍ ହାରିବା ସତ୍ତ୍ବେ ପ୍ଲେ ଅଫ୍‌ ଦୌଡ଼ରେ ରହିବାକୁ ଆଶା ବାନ୍ଧି ଥିଲୁ। ଶେଷ ୧୮ ବଲ୍‌ରୁ ୩୬ ରନ୍ ଆବଶ୍ୟକ ପଡ଼ୁଥିବା ବେଳେ ଭଲ ଖେଳୁଥିବା ଗୁରକିରଟ୍ ସିଂହ କ୍ରିଜ୍‌ରେ ଥିଲେ। ଦୁର୍ଭାଗ୍ୟଜନକ ଭାବେ ‌ସେହି ୧୮ ବଲ୍‌ ମଧ୍ୟରୁ ୧୨ଟି କାଗିସୋ ରାବାଦା ବୋଲିଂ କରିଥିଲେ। ଏହି ଯୁବ ଦକ୍ଷିଣ ଆଫ୍ରିକୀୟ ତାରକା ଦିଲ୍ଲୀର ବିଜେତା ବୋଲର ଏବଂ ଚଳିତ ପ୍ରତିଯୋଗିତାର ଉଲ୍ଲେଖନୀୟ ‌ଖେଳାଳି। ଜଣେ ଅସାଧାରଣ ପ୍ରତିଭା ଏବଂ କଠିନ ପରିଶ୍ରମୀ ଭାବେ କାଗିସୋଙ୍କ ଉତ୍‌ଥାନ ଘଟିଛି। ସମସ୍ତ ୩ ଫର୍ମାଟ୍‌ରେ ସେ ଜଣେ ବିଶ୍ବଶ୍ରେଣୀୟ ଦ୍ରୁତ ବୋଲରଭାବେ ଉଭା ହୋଇଛନ୍ତି। ଟି-୨୦ରେ ସେ ମ୍ୟାଚ୍‌ ବିଜୟୀ ବୋଲର। ରବାଦା ଥିବା ଦିଲ୍ଲୀ ଦଳକୁ ‌ହରାଇବା କଷ୍ଟକର। ବିଶ୍ବକପ୍‌ ପାଇଁ ଦକ୍ଷିଣ ଆଫ୍ରିକା ମଧ୍ୟ ତାଙ୍କ ଭରସାରେ ରହିଛି।

ସମ୍ବନ୍ଧିତ ଖବର