ସନ୍‌ରାଇଜର୍ସର ଷଷ୍ଠ ବିଜୟ

ହାଇଦ୍ରାବାଦ: ଆଇପିଏଲ୍‌ର ମହତ୍ବପୂର୍ଣ୍ଣ ୪୮ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ୪୫ ରନ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଫଳରେ ଦ୍ବାଦଶ ମ୍ୟାଚ୍‌ରୁ ଷଷ୍ଠ ବିଜୟ ହାସଲ କରି ପ୍ଲେ ଅଫ୍ ଦିଗରେ ଆଉ ଏକ ପାଦ ବଢ଼ାଇଛି। ସେପଟେ ପଞ୍ଜାବ ସେହି ୧୨ ମ୍ୟାଚ୍‌ରୁ ସପ୍ତମ ପରାଜୟ ବରଣ କରିଛି। ଉଭୟଙ୍କ ସ୍ଥାନରେ (ଚତୁର୍ଥ, ଷଷ୍ଠ) କିନ୍ତୁ କୌଣସି ପରିବର୍ତନ ହୋଇ ନାହିଁ। ଘରୋଇ ପରିବେଶରେ ଖେଳିଥିବା ହାଇଦ୍ରାବାଦ ସୋମବାର ୨୧୩ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲା। ଏହାକୁ ପିଛା କରି ପଞ୍ଜାବ ୮ ୱିକେଟ୍ ହରାଇ ୧୬୭ ରନ୍‌ରେ ସୀମିତ ରହି ଯାଇଥିଲା।
ନିର୍ଧାରିତ ୨୦ ଓଭରରେ ୨୧୨ ରନ୍ ବ୍ୟୟ କରିବା ପରେ ପଞ୍ଜାବ ବିଜୟ ଏକ ପ୍ରକାର ଅସମ୍ଭବ ମନେ ହେଉଥିଲା। ଶେଷରେ ତାହା ହିଁ ହୋଇଥିଲା। ହାଇଦ୍ରାବାଦ ଉଭୟ ବ୍ୟାଟ୍ ଏବଂ ବଲ୍‌ରେ ଚିତ୍ତାକର୍ଷକ ପ୍ରଦର୍ଶନ କରି ସହଜ ବିଜୟ ହାସଲ କରିଥିଲା। ପଞ୍ଜାବ ପାଇଁ ସୋମବାର ଲୋକେଶ ରାହୁଲ (୭୯ ରନ୍, ୫୬ ବଲ୍, ୪ ଚୌକା, ୫ ଛକା) ଏକାକି ଲଢ଼ିଥିଲେ। ଯାହା ହାଇଦ୍ରାବାଦକୁ ହରାଇବା ଲାଗି ଆଦୌ ପର୍ଯ୍ୟାପ୍ତ ହୋଇ ନଥିଲା। ତୃତୀୟ ଓଭରରେ ଦୁର୍ଦ୍ଧର୍ଷ କ୍ରିସ୍ ଗେଲ୍ (୪)ଙ୍କୁ ହରାଇବା ହିଁ ପଞ୍ଜାବ ପାଇଁ ସବୁଠାରୁ ବଡ଼ ଝଟ୍‌କା ଥିଲା। ଏହା ପରେ ବଢ଼ି ଚାଲିଥିବା ରନ୍ ହାର ଆଗରେ ମୁଣ୍ଡ ନୁଆଁଇ ଜଣେ ପରେ ଜଣେ ପଞ୍ଜାବ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ ଫେରିଥିଲେ। ରାହୁଲଙ୍କ ସହ ବଡ଼ ଭାଗୀଦାରି କରିବାକୁ କେହି ବି ସକ୍ଷମ ହୋଇ ନଥିଲେ। ମୟଙ୍କ ଅଗ୍ରୱାଲ ୨୭, ନିକୋଲାସ ପୁରନ ୨୧, ଡେଭିଡ୍ ମିଲର ୧୧ ରନ୍‌ରେ ସୀମିତ ରହିଥିଲେ। ଅଧିନାୟକ ଆର ଅଶ୍ବିନ ଖାତା ଖୋଲି ପାରି ନଥିଲେ।
ପୂର୍ବରୁ ହାଇଦ୍ରାବାଦ ତା’ ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତଥା ପ୍ରତିଯୋଗିତାର ଅଗ୍ରଣୀ ରନ୍ ହାସଲକାରୀ ଡେଭିଡ୍ ୱାର୍ନର (୮୧ ରନ୍, ୫୬ ବଲ୍, ୭ ଚୌକା, ୨ ଛକା)ଙ୍କ ଚିତ୍ତାକର୍ଷକ ଅର୍ଧଶତକ ବଳରେ ୬ ୱିକେଟ୍ ହରାଇ ୨୧୨ ରନ୍ କରି ନେଇଥିଲା। ବିଶ୍ବକପ୍ ପାଇଁ ସ୍ବଦେଶ ଫେରିବାକୁ ଯାଉଥିବା ୱାର୍ନର ସୋମବାର ଚଳିତ ଆଇପିଏଲ‌ର ଶେଷ ମ୍ୟାଚ୍ ଖେଳିଥିଲେ। ଏଥିରେ ସେ ନବମ ଥର ପାଇଁ ଅର୍ଧଶତକ ଛୁଇଁଥିଲେ। ଜନି ବେୟାରଷ୍ଟୋଙ୍କ ସ୍ଥାନରେ ପାଳି ଆରମ୍ଭ କରିବାର ସୁଯୋଗ ପାଇଥିବା ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା (୨୮ ରନ୍, ୧୩ ବଲ୍, ୩ ଚୌକା, ୧ ଛକା)ଙ୍କ ସହ ମିଶି ୱାର୍ନର ପାୱାର ପ୍ଲେ’ର ପ୍ରଥମ ୬ ଓଭରରେ ୭୭ ରନ୍ ଅମଳ କରିଥିଲେ। ଋଦ୍ଧିମାନ ସପ୍ତମ ଓଭରରେ ପ୍ୟାଭିଲିୟନ ଫେରି ଯାଇଥିଲେ। ୱାର୍ନର କିନ୍ତୁ ପାଳି ଆଗେଇ ନେଇଥିଲେ। ମନୀଷ ପାଣ୍ଡେ (୩୬ ରନ୍, ୨୫ ବଲ୍, ୩ ଚୌକା, ୧ ଛକା)ଙ୍କୁ ନେଇ ୧୫ ଓଭର ପର୍ଯ୍ୟନ୍ତ ପଞ୍ଜାବକୁ ଦ୍ବିତୀୟ ୱିକେଟ୍ ଦେଇ ନଥିଲେ। ‌ଷୋଡ଼ଶ ଓଭରରେ ପଞ୍ଜାବ ଅଧିନାୟକ ଆର ଅଶ୍ବିନ ଉଭୟ ପାଣ୍ଡେ ଓ ୱାର୍ନରଙ୍କୁ ଶିକାର କରି ହାଇଦ୍ରାବାଦକୁ ଯୁଗଳ ଝଟ୍‌କା ଦେଇଥିଲେ। ତେବେ ସେତେବେଳକୁ ହାଇଦ୍ରାବାଦ ୨୦୦ ରନ୍ ଟପିବା ଲାଗି ଦୃଢ଼ ମୂଳଦୁଆ ପକାଇ ସାରିଥିଲା। ଏହା ପରେ ମହମ୍ମଦ ନବି (୨୦ ରନ୍, ୧୦ ବଲ୍, ୨ ଛକା) ଓ ଅଧିନାୟକ କେନ୍ ୱିଲିୟମସନ୍ (୧୪ ରନ୍, ୭ ବଲ୍, ୧ ଚୌକା, ୧ ଛକା) ଛୋଟ ହେଲେ ଦ୍ରୁତ ପାଳି ଖେଳିବା ପରେ ହାଇଦ୍ରାବାଦ ଏକ ବିଶାଳ ସ୍କୋର କରି ନେଇଥିଲା। ପଞ୍ଜାବର ଆଫ୍‌ଗାନ ସ୍ପିନର ମୁଜିବୁର ରେହମାନ ନିଜ ୪ ଓଭରରେ ୬୬ ରନ୍ ବ୍ୟୟ କରିଥିଲେ। ଯାହା ଚଳିତ ଆଇପିଏଲର ସବୁଠାରୁ ମହଙ୍ଗା ବୋଲିଂ ଚିତ୍ର ଥିଲା। ୱାର୍ନର ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ସଂକ୍ଷିପ୍ତ ସ୍କୋର: ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୧୨/୬ (ଡେଭିଡ୍ ୱାର୍ନର ୮୧, ମନୀଷ ପାଣ୍ଡେ ୩୬, ଋଦ୍ଧିମାନ ସାହା ୨୮, ମହମ୍ମଦ ନବି ୨୦, କେନ୍ ୱିଲିୟମସନ୍ ୧୪, ଆର ଅଶ୍ବିନ ୨/୩୦, ମହମ୍ମଦ ସାମି ୨/୩୬)। କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୬୭/୮ (ଲୋକେଶ ରାହୁଲ ୭୯, ମୟଙ୍କ ଅଗ୍ରୱାଲ ୨୭, ନିକୋଲାସ ପୁରନ୍ ୨୧, ସିମ୍ରନ ସିଂହ ୧୬, ଡେଭିଡ୍ ମିଲର ୧୧, କ୍ରିସ୍ ଗେଲ୍ ୪, ରସିଦ ଖାନ୍ ୩/୨୧, ଖଲିଲ ଅହମ୍ମଦ ୩/୪୦, ସନ୍ଦୀପ ଶର୍ମା ୨/୩୩)।

ସମ୍ବନ୍ଧିତ ଖବର