ଆଉ ୧୫ ଦିନ, ପ୍ରଥମ ବିଶ୍ବକପ୍‌ ପୂର୍ବରୁ ଅମିତଙ୍କ ଆତ୍ମବିଶ୍ବାସ

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ଆଉ କାହା ପାଇଁ କିଭଳି ବିତୁ ପଛକେ ଯୁବ ଡିଫେଣ୍ଡର ଅମିତ ରୋହିଦାସଙ୍କ ପାଇଁ ନିଶ୍ଚିତ ସ୍ବତନ୍ତ୍ର ଓ ସ୍ମରଣୀୟ ରହିବ। ଘରୋଇ ଟର୍ଫ ଓ ନିଜ ରାଜ୍ୟ ରାଜଧାନୀରେ ବିଶ୍ବକପ୍ ପଦାର୍ପଣ କରିବାକୁ ଯାଉଛନ୍ତି ଏହି ୨୫ ବର୍ଷୀୟ ସଉନାମୁରା ଯୁବକ। ଯେଉଁ ଗାଁରୁ ବାହାରି ଏକଦା ବିଶ୍ବ ହକିର ଶିଖରରେ ପହଞ୍ଚିଥିଲେ ପଦ୍ମଶ୍ରୀ ଅଲିମ୍ପିଆନ୍‌ ଦିଲୀପ ତିର୍କି (ଏକଦା ୪୧୨ ମ୍ୟାଚ୍ ବିଶ୍ବକୀର୍ତିମାନ ଥିଲା)। ନିଜ ଗାଁର ବଡ଼ ଭାଇ ଦିଲୀପଙ୍କ ପଦାଙ୍କ ଅନୁସରଣ କରିବାରେ ଲାଗିଛନ୍ତି ଅମିତ। ଦିଲୀପଙ୍କ ଅବସର ପରେ ଭାରତୀୟ ହକିକୁ ଆସିଥିବା ଅମିତ ଏବେ ବିଶ୍ବ ହକିର ଶ୍ରେଷ୍ଠ ମଇଦାନରେ ଉପନୀତ ହୋଇସାରିଛନ୍ତି। ଶନିବାର ଭୁବନେଶ୍ବରରେ ସାମ୍ବାଦିକଙ୍କ ସହ ଆଲୋଚନା ଅବସରରେ ଶାନ୍ତ ଓ ସ୍ବଳ୍ପଭାଷୀ ଅମିତ ନିଜ ଆତ୍ମବିଶ୍ବାସର ଝଲକ ଦେଖାଇଥିଲେ। ଘରୋଇ ପରିବେଶରେ ବିଶ୍ବକପ୍ ଖେଳିବାକୁ ଯାଉଥିବାରୁ ମୁଁ ଉତ୍ସାହିତ। ଗତ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଆମେ ଭଲ ଖେଳିଥିଲୁ ଏବଂ ଏହି ଧାରାକୁ ବିଶ୍ବକପ୍‌ରେ ଉପଯୋଗ କରିବାକୁ ଚେଷ୍ଟା ରହିବ। ସମସ୍ତ ପ୍ରତିଦ୍ବନ୍ଦ୍ବୀ ଦଳଗୁଡ଼ିକର ଖେଳ ଭିଡିଓ ଦେଖୁଛୁ ଏବଂ ଏହାକୁ ସମୀକ୍ଷା କରି ଭାରତୀୟ ଦଳ ନିକକୁ ପ୍ରସ୍ତୁତ କରୁଛି। ଆମ‌େ ମଧ୍ୟ ଜୋରଦାର ଅଭ୍ୟାସ କରିଚାଲିଛୁ। ଘୋଷିତ ଭାରତୀୟ ଦଳ ବେଶ ସନ୍ତୁଳିତ ରହିଛି। କେବଳ ପେନାଲଟି କର୍ନର ଏବଂ ଡିଫେନ୍ସରେ ଥିବା ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବୁ। ବିଶ୍ବକପ୍‌ରେ ନିଶ୍ଚିତ ଦଳ ଭଲ କରିବ ବୋଲି ଆତ୍ମବିଶ୍ବାସ ରହିଛି। ପେନାଲଟି କର୍ନର ତଥା ଡ୍ରାଗ୍ ଫ୍ଲିକ ସମୟରେ ମୋର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଉଭୟ କ୍ଷେତ୍ରରେ ପ୍ରତିପକ୍ଷଙ୍କୁ ରୋକିବା ମୋ କାମ ହେବ। ଏଥି ସହିତ ଦଳକୁ ଅଟାକ ଓ ଡିଫେନ୍ସରେ ଭଲ କରିବାକୁ ପଡ଼ିବ ବୋଲି କହିଥିଲେ ଏହି ଯୁବ ତାରକା। କଳିଙ୍ଗ ଷ୍ଟାଡିୟମ ପ୍ରଶଂସକଙ୍କ ଆଗରୁ ମଧ୍ୟ ‌ଢେର ସମର୍ଥନ ଦେଇ ଆସିଛନ୍ତି। ସେମାନଙ୍କ ଅକୁଣ୍ଠ ସମର୍ଥନ ଆମ ଆତ୍ମବିଶ୍ବାସ ବଢ଼ାଇଥାଏ ଏବଂ ଅତିରିକ୍ତ ଶକ୍ତି ଭରିଦିଏ। ଆମେ ମ୍ୟାଚ୍ ପରେ ମ୍ୟାଚ୍ ଯୋଜନାରେ ଖେଳି ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ରହିବୁ ବୋଲି କହିଥିଲେ ଅମିତ।

ସମ୍ବନ୍ଧିତ ଖବର