ହକି ପାଇଁ ୧୫୦ ସ୍ବେଚ୍ଛାସେବୀ

ଭୁବନେଶ୍ବର: ଆସନ୍ତ‌ା ମାସ ୬ ତାରିଖରୁ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସ‌ରେ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସରେ ୧୫୦ ସ୍ବେ‌ଚ୍ଛାସେବୀ ନିୟୋଜିତ ହେବେ। ସମସ୍ତ ସ୍ବେଚ୍ଛାସେବୀ ଭୁବନେଶ୍ବର, ସୁନ୍ଦରଗଡ଼ ଓ ରାଉରକେଲା ଛାତ୍ରାବାସର ଅନ୍ତେ‌ବାସୀ। ଏହି ସ୍ବେଚ୍ଛାସେବୀମାନେ ଯୋଗସୂତ୍ର ଅଧିକାରୀ, ବଲ୍‌ ଜଗୁଆଳି, ଗଣମାଧ୍ୟମ ସମନ୍ବୟକାରୀ, ପ୍ରତିଯୋଗିତା ସହଯୋଗୀ ଏବଂ ଅନ୍ୟନ୍ୟ କାର୍ଯ୍ୟରେ ସହଯୋଗ କରିବେ। କିଭଳି ପ୍ରତିଯୋଗିତାରେ ସହଯୋଗ କରିବେ ତା ଉପରେ ସ୍ବେଚ୍ଛାସେବୀମାନଙ୍କୁ ହକି ଇଣ୍ଡିଆ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେମାନେ କ’ଣ କରିବେ କ’ଣ କରିବେ ନାହିଁ, କିଭଳି ଅତିଥିଙ୍କୁ ସମ୍ମାନ ଜଣାଇବେ ତାହା ଉପରେ ଶିକ୍ଷା ଦିଆଯାଉଛି। ‌ଏଥିସହ ସେମାନଙ୍କୁ ନିଜ ନିଜର କର୍ତବ୍ୟ ଓ ଦାୟିତ୍ବ ବିଷୟରେ ବୁଛାଇ ଦିଆଯାଉଛି। କ୍ରୀଡ଼ା ସହିତ ଜଡ଼ିତ ସ୍ବେଚ୍ଛ‌ାସେବୀଙ୍କୁ ବଲ୍‌ ବୟ, ପତାକାଧାରୀ, ଦର୍ଶକଙ୍କୁ ସହଯୋଗ କରିବା, ଅତିଥ୍ୟ ପ୍ରଦାନ ଭଳି ଦାୟିତ୍ବ ଦିଆଯାଇଛି। ପୂରା ପ୍ରତିଯୋଗିତାରେ ଗମନାଗମନ ଏବଂ ଖାଦ୍ୟ ଯୋଗାଣ ଲାଗି ଗାଡ଼ି ଚାଳକ ନିଯୁକ୍ତ କରାଯାଇଛି। ଏଠାକୁ ଖେଳିବାକୁ ଆସୁଥିବା ସମସ୍ତ ଦଳ ଲାଗି ଯୋଗସୂତ୍ର ଅଧିକାରୀ ନିଯୁକ୍ତି କରାଯାଇଛି। ପ୍ରତିଯୋଗିତାକୁ ସଫଳ ପରିଚାଳନା ଲାଗି ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ହକି ଇଣ୍ଡିଆର ଯୁଗ୍ମ ନିର୍ଦେଶକ ବି‌ଏନ୍‌ ଭୂଷଣଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଏହି ସବୁ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ହକି ଇଣ୍ଡିଆର ବରିଷ୍ଠ ପ୍ରବନ୍ଧକ (ପ୍ରତିଯୋଗିତା ଓ ବିକାଶ) ବିକ୍ରମ ପାଲ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର