ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ ପାଇଁ ୧୯ ଜଣିଆ ସମିତି

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ପରିଚାଳନା ପାଇଁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ ୧୯ଟି ସମିତି ଗଠନ କରାଯାଇଛି। ପୂର୍ବରୁ ୧୮ ସମିତି ଗଠନ ହେଉଥିବା ବେଳେ ଏଥର ପୂର୍ବତନ କର୍ମକର୍ତ୍ତାଙ୍କୁ ନେଇ ପରାମର୍ଶଦାତା ସମିତି କରାରାଇଛି। ଏହି ସମିତିରେ ପୂର୍ବତନ ସଭାପତି ରଂଜୀବ ବିଶ୍ୱାଳ, ଆଶୀର୍ବାଦ ବେହେରା, ସତ୍ୟ ମହାନ୍ତି, ସଂଜୀବ ଦତ୍ତ, ଶିବପ୍ରସାଦ ତ୍ରିପାଠୀ ସଦସ୍ୟ ଅଛନ୍ତି। ଏହାବ୍ୟତୀତ ଫୁଡ୍‌, ରିସିଭିଂ, ଇଲେକ୍ଟ୍ରି, ଗେଟ୍‌, ମିଡ଼ିଆ, ଆନାଉନ୍ସ ଇତ୍ୟାଦି ସମିତି ଗଠନ କରାଯାଇଛି। ପ୍ରାୟ ୧୦୫ ସଦସ୍ୟଙ୍କୁ ଏହି ସମିତିରେ ସ୍ଥାନ ମିଳିଛି। ଆଗକୁ ଆହୁରି ଅଧିକ ସଦସ୍ୟଙ୍କୁ ସମିତିରେ ସାମିଲ କରାଯିବାକୁ ଯୋଜନା ରହିଥିବା ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି। ପରାମର୍ଶଦାତା ସମିତିିରେ ପୂର୍ବତନ ସଦସ୍ୟଙ୍କୁ ସାମିଲ କରାଯାଇ ସେମାନଙ୍କଠୁ ମ୍ୟାଚ୍‌ ଆୟୋଜନ ସମ୍ପର୍କରେ ପରାମର୍ଶ ନିଆଯିବ। ବର୍ତ୍ତମାନର ପରିଚାଳନା ସମିତି ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ସଂପୂର୍ଣ୍ଣ ନୂଆ। ତେଣୁ ପୂର୍ବତନ କର୍ମକର୍ତ୍ତାଙ୍କ ଦିଗ୍‌ଦର୍ଶନରେ ମ୍ୟାଚ୍‌କୁ ସୁରୁଖୁରୁରେ ପରିଚାଳନା କରିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ପଲେଇ କହିଛନ୍ତି।

ସମ୍ବନ୍ଧିତ ଖବର