ଚତୁଷ୍କୋଣୀୟ କ୍ରିକେଟ୍‌: ଭାରତ-ବି ଅପରାଜେୟ

ତିରୁବନ୍ତପୁରମ୍‌: କେରଳରେ ଆୟୋଜିତ ଚତୁଃକୋଣୀୟ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଶୃଙ୍ଖଳାରେ ଭାରତ-ବି ଦଳ ଅପରାଜେୟ ରହିଛି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା‌କୁ ପରାସ୍ତ କରିଥିବା ଭାରତ-ବି ଦଳ ଶନିବାର ଥୁମ୍ବାରେ ଖେଳିଥିବା ନିଜର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଭାରତ-ଏ’କୁ ୩ ୱିକେଟ୍‌ରେ ହରାଇ ଦେଇଛି। ଜୁରେଲଙ୍କ ୪୦ ଓ ଜୟସ୍ବାଲଙ୍କ ୩୦ ରନ୍‌ ସତ୍ତ୍ବେ ଭାରତ-ଏ ୪୦.୩ ଓଭରରେ ୧୨୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଭାରତ-ବି ପକ୍ଷରୁ ଶିବମ୍‌ ଶର୍ମା (୧୦-୪-୧୫-୩) ଓ କରଣ ଲାଲ୍‌ (୧୦-୦-୧୮-୨) ଚମତ୍କାର ବୋଲିଂ ଚିତ୍ର ପାଇଥିଲା ବେଳେ ତ୍ୟାଗୀ ଓ ମୌର୍ଯ୍ୟ ମଧ୍ୟ ୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ସେଠୀ (୫୧)ଙ୍କ ଅର୍ଧଶତକ ସାଙ୍ଗକୁ ଅଙ୍କୋଲେକରଙ୍କ ଅପରାଜିତ ୨୯ ରନ୍‌ ବଳରେ ଭାରତ-ବି ୪୧.୪ ଓଭରରେ ୭ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଭାରତ-ଏ ପକ୍ଷରୁ ସଫଳ ବୋଲର ଭା‌ବେ ହେଗ୍‌ଡେ, ଦୁବେ ଓ ‌ଚୌଧୁରୀ ୨ ଲେଖାଏଁ ୱିକେଟ୍‌ ପାଇଥିଲେ ମଧ୍ୟ ଶିବମ୍‌ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅନ୍ୟପକ୍ଷରେ ତିରୁବନ୍ତପୁରମ୍‌ରେ ଦକ୍ଷିଣ ଆଫ୍ରିକା ୯ ରନ୍‌ରେ ଆଫ୍‌ଗାନିସ୍ତାନକୁ ହରାଇ ଦେଇଛି। ବିଉଫୋର୍ଟ ଓ ପାର୍ସନ୍‌ସଙ୍କ ୪୦ ଲେଖାଏଁ ରନ୍‌ ସାଙ୍ଗକୁ ମଙ୍ଗାକାନେଙ୍କ ୩୮ ଓ ଖୁମାଲୋଙ୍କ ୨୫ ରନ୍‌ ବଳରେ ଦକ୍ଷିଣ ଆଫ୍ରିକା ୪୯.୫ ଓଭରରେ ୨୦୦ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ରିଆଜ୍‌ ହୁସେନ୍‌ ୩, ଗଫାରି, ମହମ୍ମଦି ଓ ଆରିଫ୍ ଖାନ୍‌ ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ଆଫ୍‌ଗାନିସ୍ତାନ ଅଧିନାୟକ ଫର୍‌ହାନ୍‌ ଜାକିଲ (୬୩)ଙ୍କ ଅର୍ଧଶତକ ସାଙ୍ଗକୁ ରିଆଜ୍‌ ହୁସେନ୍‌ଙ୍କ ୩୫, ଇସ୍‌ଲାମ ଜଜାଇଙ୍କ ୨୧ ଓ ଇସାକ୍‌ ଜଜାଇଙ୍କ ୨୦ ରନ୍‌ ସତ୍ତ୍ବେ ୪୮.୩ ଓଭରରେ ୧୯୧ରେ ସମସ୍ତ ୱିକେଟ୍‌ ହରାଇଥିଲା। ଜାନ୍‌ସେନ୍‌ ଦକ୍ଷିଣ ଆଫ୍ରିକାର ସଫଳ ବୋଲର ଭାବେ ୪, କ୍ଲୋଏଟ୍‌ ଓ ପାର୍ସନ୍‌ସ ୨ ଲେଖାଏଁ ୱିକେଟ୍‌ ଦଖଲ କରିଥିଲେ। ବ୍ରାଇସ୍‌ ପାର୍ସନ୍‌ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର