ହେଲାନି ହାଣ୍ଡିଭଙ୍ଗା ଯାତ, ଆଜି ବନ୍ଦ ହେଲା ନୀତି

୫ ବର୍ଷ ହେଲା ଭଙ୍ଗ ହେଉଛି ଶ୍ରୀଲିଙ୍ଗରାଜଙ୍କ ଏହି ପରମ୍ପରା, ଅପରାହ୍‌ଣରୁ ଉପାସ ରହିଲେ ଠାକୁର

ପୁରୁଣା ଭୁବନେଶ୍ୱର: ଦେବୋତ୍ତର ବିଭାଗ ଓ ପ୍ରଶାସନ ସମସ୍ତେ ଫେଲ୍‌ ମାରିଲେ। ଏଥର ବି ହେଲାନି ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ। ଗତ ୫ ବର୍ଷ ହେଲା ଭଙ୍ଗ ହୋଇ ଆସୁଛି ମହାପ୍ରଭୁଙ୍କ ଏହି ପୁରୁଣା ପରମ୍ପରା। ମହାପ୍ରଭୁଙ୍କ ପରମ୍ପରା ବଜାୟ ରଖିବା ବଦଳରେ ପ୍ରଶାସନ ଆରମ୍ଭରୁ ହିଁ ହାତ ଟେକିଦେଇଛି। ଦେବୋତ୍ତର ବିଭାଗ ପକ୍ଷରୁ ମଧ୍ୟ ଏ ନେଇ କୌଣସି ଆଲୋଚନା ହୋଇନି। ଅନ୍ୟପକ୍ଷରେ ଆଜି ଠାକୁରଙ୍କ ନୀତି ମଧ୍ୟ ବନ୍ଦ ରହିଥିଲା। ସବୁଠାରୁ ବଡ଼କଥା ହେଲା ଠାକୁରଙ୍କୁ ବି ଖାଡ଼ା ଉପାସ ରଖାଗଲା। ଏହା ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରିଛି। ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ବନ୍ଦ ରହିବା ନେଇ ଲିଖିତ ଘୋଷଣା ହେବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ପରମ୍ପରା ଭଙ୍ଗକୁ ନେଇ ସେବାୟତମାନେ ପ୍ରଶାସନକୁ ଦାୟୀ କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରିର ଠିକ୍‌ ପର ଶନିବାର ଏହି ପରମ୍ପରା ପାଳନ କରାଯାଏ। ଏଥିରେ ଶ୍ରୀଲିଙ୍ଗରାଜ କପିଳେଶ୍ୱର ମନ୍ଦିରକୁ ଯାତ୍ରା କରନ୍ତି। ମାତ୍ର ଗତ ୪ବର୍ଷ ପୂର୍ବରୁ କପିଳେଶ୍ୱର ମନ୍ଦିରରେ ସେବାୟତଙ୍କ ବିବାଦ ଯୋଗୁଁ ଏହି ଯାତ ବନ୍ଦ ରହିଛି। ଏପରିକି ଶିବବିବାହ ଓ ଶୀତଳଷଷ୍ଠୀ ଯାତ୍ରାରେ ଶ୍ରୀକପିଳନାଥ ଯୋଗ ଦେଇନଥିଲେ। ଦେବୋତ୍ତର ବିଭାଗ ମଧ୍ୟ ଏହି ପରମ୍ପରା ବଜାୟ ରଖିବାରେ ଫେଲ ମାରିଥିଲା। ପରମ୍ପରା ବଜାୟ ରଖିବାକୁ ହାଇକୋର୍ଟ ନିର୍ଦେଶ ଦେବା ପରେ ମଧ୍ୟ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରାରେ ପରମ୍ପରା ବଜାୟ ରହି ନଥିଲା। ପରମ୍ପରା ବଜାୟ ରଖିବା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଜିଲ୍ଲା ନିରୀକ୍ଷକ ତଥା କପିଳେଶ୍ବର ମନ୍ଦିର ଟ୍ରଷ୍ଟି ଓ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀଙ୍କୁ ଡକାଇ ଆଲୋଚନା କରିବେ ବୋଲି କୁହାଯାଇଥିଲା। ମାତ୍ର ଏନେଇ କୌଣସି ଆଲୋଚନା ହୋଇ ନଥିଲା। ଆଜି ହାଣ୍ଡିଭଙ୍ଗା ଯାତ ଥିବା ବେଳେ ଏହା ହେବ କି ନାହିଁ ସେବାୟତମାନେ ସନ୍ଦେହରେ ଥିଲେ। ଫଳରେ ମନ୍ଦିରରେ ନୀତି ଆଗେଇ ପାରୁନଥିଲା। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ‌ାହ୍ନରେ ବିଭିନ୍ନ ନିଯୋଗ ପ୍ରମୁଖଙ୍କୁ ଡକାଇ ଆଲୋଚନା କରିଥିଲେ। ପରେ ମନ୍ଦିରରେ ନୀତି ବନ୍ଦ ରଖାଯିବା ସହ ଆସନ୍ତାକାଲି ସକାଳୁ ନୀତି କରାଯିବ ବୋଲି ମନ୍ଦିର ପ୍ରଶାସନ ସେବାୟତଙ୍କୁ ଜଣାଇଥିଲା। ଆଜି ଅପରାହ୍‌ଣ ୪ଟାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମହାପ୍ରଭୁ ଉପାସ ରହିବା କଥା ପ୍ରଶାସନ ଜାଣି ମଧ୍ୟ ନୀତି ବନ୍ଦ ସମ୍ପର୍କରେ ଲିଖିତ ଘୋଷଣା କରିଥିଲା। ଫଳରେ ଅପରାହ୍‌ଣ ୪ଟାରୁ ମନ୍ଦିରରେ କୌଣସି ନୀତି ନ ହୋଇ ରାତିରେ ପହୁଡ଼ ପଡ଼ିଥିଲା। ତେବେ ଏସବୁ ଅବ୍ୟବସ୍ଥା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ବ୍ରାହ୍ମଣ ନିଯୋଗ ପ୍ରତିନିଧି। ସ୍ଥାନୀୟ ଲୋକ ପ୍ରତିନିଧି, ବିଧାୟକ ଏଥିରେ ହସ୍ତକ୍ଷେପ ନ କରିବାରୁ ଏପରି ପରମ୍ପରା ଭଙ୍ଗ ହେଉଛି ବୋଲି ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୁହନ୍ତି, ବୈଠକରେ ନୀତି ବନ୍ଦ ସମ୍ପର୍କରେ ଜଣାଯାଇଛି। ତେବେ ଦେବୋତ୍ତର ବିଭାଗ କମିସନର ଓ ସ୍ଥାନୀୟ ବିଧାୟକଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ସମ୍ବନ୍ଧିତ ଖବର