ଆଉ ୩୦ ଦିନ, ସ୍ବଦେଶ ଫେରିଯିବାକୁ ରସେଲ୍‌ ବ୍ୟଗ୍ର

କୋଲ୍‌କାତା: ଚଳିତ ଆଇପିଏଲ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଥିବା ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଆନ୍ଦ୍ରେ ରାସେଲ୍‌ ବିଶ୍ବକପ୍‌ ପାଇଁ ସ୍ବଦେଶ ଫେରିଯିବାକୁ ବ୍ୟଗ୍ର ହୋଇପଡ଼ିଲେଣି। ରସେଲ୍‌ ଚଳିତ ଆଇପିଏଲ୍‌ରେ ଏପର୍ଯ୍ୟନ୍ତ ୧୨ ମ୍ୟାଚ୍‌ରୁ ପାଖାପାଖି ୪୫୦ ରନ୍‌ କରି ଦମ୍‌ଦାର ଫର୍ମରେ ରହିଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ ବିଶ୍ବକପ୍‌ ଦଳରେ ସାମିଲ ହୋଇଛନ୍ତି। ତେବେ ୨୦୧୫ ପରେ ସେ ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ମାତ୍ର ଗୋଟିଏ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ଫଳରେ ଜାତୀୟ ଦଳରେ ପ୍ରତିନିଧିତ୍ବ କରିବାର ବ୍ୟଗ୍ରତା ତାଙ୍କଠାରେ ଦେଖିବାକୁ ମିଳିଛି। ୨୦୧୪ ଭାରତ ଗସ୍ତ ଅଧାରୁ ଓହରିଯାଇଥିବା କାରଣରୁ ରସେଲଙ୍କୁ ମୂଲ୍ୟ ଦେବାକୁ ପଡ଼ିଥିଲା। ତଥାପି ନୂଆ ନେତୃତ୍ବ ତାଙ୍କୁ ବିଶ୍ବକପ୍‌ ଦଳରେ ସାମିଲ କରିଥିବାରୁ ଖୁବ୍‌ ଖୁସୀ ଅଛନ୍ତି ରସେଲ୍‌। ତାଙ୍କ ସହିତ ଚଳିତ ଆଇପିଏଲ୍‌ରେ କିଙ୍ଗ୍‌ସ ଇଲେଭେନ୍‌ ପକ୍ଷରୁ ଖେଳୁଥିବା ପୂର୍ବତନ ଅଧିନାୟକ କ୍ରିସ୍‌ ଗେଲ୍‌ ମଧ୍ୟ ଇଣ୍ଡିଜ୍‌ର ୧୫ ଜଣିଆ ବିଶ୍ବକପ୍‌ ଦଳରେ ସ୍ଥାନ ପାଇଛନ୍ତି। ଜାତୀୟ ଦଳରୁ ବାଦ୍‌ ପଡ଼ିବା ପରଠୁ ମୋର ପ୍ରଦର୍ଶନ ପ୍ରଭାବୀ ରହିଛି। ଫଳରେ ମନୋନୟନକର୍ତା ଓ ପ୍ରଶିକ୍ଷକ ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ତେଣୁ ପୁଣି ସୁଯୋଗ ମିଳିଥିବାରୁ ବିଶ୍ବକପ୍‌ରେ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ହେଳା କରିବିନି ବୋଲି ରସେଲ୍‌ କହିଛନ୍ତି। ଆଇପିଏଲ୍‌ ପ୍ରଦର୍ଶନକୁ ନିଶ୍ଚୟ ବିଶ୍ବକପ୍‌ରେ ଦୋହରାଇବି। ସେଥିପାଇଁ ଦଳ ସହ ଯୋଗଦେବାକୁ ଖୁବ୍‌ ବ୍ୟାକୁଳ ହୋଇପଡ଼ିଛି ବୋଲି ରସେଲ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ୧୯୭୪ ଓ ୧୯୭୯ରେ କ୍ରମାଗତ ବିଶ୍ବ ବିଜେତା ହୋଇଥିବା ୱେଷ୍ଟଇଣ୍ଡିଜ୍‌ ଦଳ ଆଗାମୀ ବିଶ୍ବକପ୍‌ରେ ପାକିସ୍ତାନ ସହ ଖେଳି ତା’ର ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର