ଫିଟ୍‌ନେସ୍‌ ପ୍ରତିଯୋଗିତାରେ ଭାଗ ନେଲେ ୩୫୦ କରାଟେକା, ଅନୁଙ୍କୁ ଦୁଇଟି ପୁରସ୍କାର

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ସମଗ୍ର ଭାରତ ଏବେ ଲକ୍‌ଡାଉନ୍‌ରେ ଥିଲା ବେଳେ କ୍ରୀଡ଼ା ଉପରେ ଏହାର ପ୍ରଭାବ ଅତିମାତ୍ରାରେ ପଡ଼ିଛି। ଖେଳାଳିମାନଙ୍କ ଅଭ୍ୟାସ ଏଥିପାଇଁ ବହୁମାତ୍ରାରେ ପ୍ରଭାବିତ ହୋଇଛି। ପ୍ରାୟ ଦେଢ଼ମାସ ଧରି କରାଟେକାମାନେ ପ୍ରଶିକ୍ଷଣ ଶିବିରରୁ ବଞ୍ଚିତ ହୋଇଛନ୍ତି। ତେବେ ଜାତୀୟ କରାଟେ ସଂଘର ଖେଳାଳିମାନେ କିପରି ଏହି ସମୟରେ ନିଜ ନିଜର ଫିଟ୍‌ନେସ୍ ବଜାୟ ରଖିପାରିବେ ସେନେଇ ଉତ୍କଳ କରାଟେ ସ୍କୁଲ୍‌ ପକ୍ଷରୁ ଏକ ଫିଟ୍‌ନେସ୍‌ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ମୋଟ ୩୫୦ କରାଟେକା ଅଂଶଗ୍ରହଣ କରିଥିଲେ।‌ ପ୍ରଥମ ପର୍ଯ୍ୟାୟରେ ପୁସ୍‌ ‌ଅପ୍‌ ଓ ଜମ୍ପ୍‌ ନି ଟୁ ଚେଷ୍ଟ ଭଳି ଦୁଇ ପ୍ରକାରର ପ୍ରତିଯୋଗିତା ହୋଇଥିଲା। ଏଥିରେ ୪ ବର୍ଗ (ପୁରୁଷ, ମହିଳା, ବାଳକ ଓ ବାଳିକା)ରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ପ୍ରତ୍ୟେକ ବର୍ଗରେ ପ୍ରଥମ ତିନି ସ୍ଥାନ ଦଖଲ କରିଥିବାଙ୍କୁ ଯଥାକ୍ରମେ ୧୦୦୦, ୭୫୦ ଓ ୫୦୦ ଲେଖାଏଁ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଯାହାକି କରାଟେକାଙ୍କୁ ପ୍ରୋତ୍ସାହିତ କରିବା ସାଙ୍ଗକୁ ଫିଟ୍‌ ରଖିବାର ଏକ ଯୋଜନା ଥିଲା ବୋଲି ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ଡ. ହରିପ୍ରସାଦ ପଟ୍ଟନାୟକ କହିଥିଲେ। ‌ଆଗାମୀ ଦିନରେ ବି ଏଭଳି ପ୍ରତିଯୋଗିତା ଚାଲୁ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର