ଆଇଜଲ୍‌ କ୍ଲବ୍‌କୁ ୩ ଲକ୍ଷ ଟଙ୍କା ଜରିମାନା

ପ୍ରଶଂସକଙ୍କ ଅଶୋଭନୀୟ ବ୍ୟବହାର, ପ୍ରବନ୍ଧକ ୪ ମ୍ୟାଚ୍‌ରୁ ନିଲମ୍ବିତ

କୋଲ୍‌କାତା: ମ୍ୟାଚ୍‌ ବେଳେ ପ୍ରଶଂସକଙ୍କ ଅଶୋଭନୀୟ ବ୍ୟବହାର ଆଇଜଲ୍‌ ଫୁଟ୍‌ବଲ୍‌ କ୍ଲବ୍‌କୁ ମହଙ୍ଗା ପଡ଼ିଛି। ଗତ ଜାନୁଆରି ୨୫ ତାରିଖରେ ଆଇ ଲିଗ୍‌ରେ ମୋହନ ବାଗାନ୍‌ ବିପକ୍ଷ ଘରୋଇ ମ୍ୟାଚ୍‌ ଖେଳୁଥିଲା ବେଳେ ଆଇଜଲ୍‌ ଏଫ୍‌ସିର ପ୍ରଶଂସକମାନେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା ବେଳେ ରେଫରିଙ୍କ କେତେକ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଆଇଜଲ୍‌ର ସମର୍ଥକମାନେ ଅମାନବିକ ବ୍ୟବହାର ଦେଖାଇଥିଲେ। ଏହାକୁ ନେଇ ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌)ର ଶୃଙ୍ଖଳାଗତ ସମିତି ରବିବାର ବୈଠକରେ ଆଇଜଲ୍‌ ଏଫ୍‌ସିକୁ ୩ ଲକ୍ଷ ଟଙ୍କାର ଜରିମାନା ଦଣ୍ଡ ଦେବାର ନିଷ୍ପତ୍ତି ନେଇଛି। ଉଷାନାଥ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଗଠିତ ଶୃଙ୍ଖଳାଗତ ସମିତିରେ ଅନ୍ୟ ସଦସ୍ୟ ଭାବେ ଆଦିତ୍ୟ ରେଡ୍ଡୀ ଓ କୃଷ୍ଣେନ୍ଦୁ ବାନାର୍ଜୀ ସଦସ୍ୟ ବୈଠକରେ ଉପସ୍ଥିତ ରହିଥିଲା ବେଳେ ଅନ୍ୟତମ ସଦସ୍ୟ ହରିଶ୍‌ ଭୋରାଙ୍କ ସହ ଟେଲିଫୋନ୍‌ ଜରିଆରେ ପରାମର୍ଶ କରାଯାଇଥିଲା। ସମିତିର କହିବା କଥା ହେଲା, ଏଭଳି ଆଚରଣ ପାଇଁ କ୍ଲବ୍‌କୁ ବଡ଼ ଧରଣର ଜରିମାନାର ସାମ୍‌ନା କରିଥାନ୍ତା। ହେଲେ କ୍ଲବ୍‌ର ଅଧ୍ୟକ୍ଷ ରବର୍ଟ ରୋୟେଟେ ଦର୍ଶକ ତଥା ପ୍ରଶଂସକଙ୍କ ଏଭଳି ଆଚରଣ ଭୁଲ୍‌ ଥିଲା ବେଳେ ସ୍ୱୀକାର କରିନେବାରୁ ସହାନୁଭୂତି ପ୍ରଦର୍ଶନ ବଳରେ ସମିତି ଜରିମାନାକୁ କୋହଳ କରିଛି। ଅନ୍ୟପକ୍ଷରେ ଦଳର ପ୍ରଶିକ୍ଷକ ପାଉଲୋ ମେନେଜ୍‌ସ ଏବଂ ସହକାରୀ ପ୍ରଶିକ୍ଷକଙ୍କ ଦ୍ୱାରା ବ୍ୟବହ୍ୟୃତ ଖରାପ ଭାଷାର କୌଣସି ତଥ୍ୟପ୍ରମାଣ ନଥିବାରୁ ସମିତି ବଡ଼ ଧରଣର ଦଣ୍ଡବିଧାନ କରିବା ସପକ୍ଷରେ ନଥିଲା ବୋଲି ଅଧ୍ୟକ୍ଷ ଉଷାନାଥ ବାନାର୍ଜୀ କହିଛନ୍ତି। ତେବେ ଜରିମାନା ଅର୍ଥ ଆଇଜଲ୍‌ ଏଫ୍‌ସି ତା’ର ପରର୍ବତୀ ମ୍ୟାଚ୍‌ (ଫେବ୍ରୁଆରି ୨୩ ତାରିଖ) ଖେଳିବା ପୂର୍ବରୁ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ ୨୩ ତାରିଖରେ ଇଣ୍ଡିଆନ୍‌ ଆରୋଜ୍‌ ବିପକ୍ଷ ମ୍ୟାଚ୍‌ ବେଳେ ରାଜୀବ ଗାନ୍ଧୀ ଷ୍ଟାଡିୟମ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସାଙ୍ଗକୁ ପୂର୍ଣ୍ଣ ନିରାପତ୍ତା ଯୋଗାଇ ଦେବାକୁ ଶୃଙ୍ଖଳାଗତ ସମିତି ଚେତାଇ ଦେଇଛି। ରବିବାର ଶୃଙ୍ଖଳାଗତ ସମିତି ବୈଠକରେ ହାଜର ହୋଇଥିବା ଆଇଜଲ୍‌ ଏଫ୍‌ସି ଅଧ୍ୟକ୍ଷ ରୋୟଟେ ପରବର୍ତୀ ମ୍ୟାଚ୍‌ ବେଳେ ସମସ୍ତ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ପ୍ରତିଶୃତି ରଖିଥିଲେ।
ଅନ୍ୟ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ସ୍ୱରୂପ ଶୃଙ୍ଖଳାଗତ ସମିତି ମଧ୍ୟ ଦଳର ପ୍ରବନ୍ଧକ ହିମିଙ୍ଗ୍‌ଥନ୍‌ ସାଙ୍ଗାଙ୍କୁ ୪ ମ୍ୟାଚ୍‌ରୁ ନିଲମ୍ବିତ କରିଛି। ଏହି ସମୟ ମଧ୍ୟରେ ସେ ଷ୍ଟାଡିୟମ୍‌କୁ ମଧ୍ୟ ପ୍ରବେଶ କରିପାରିବେ ନାହିଁ ବୋଲି ଜଣାଇ ଦିଆଯାଇଛି। ସାଙ୍ଗା ପ୍ରଥମେ ରେଫରିଙ୍କ ନିଷ୍ପତ୍ତି ପ୍ରତି ଅଙ୍ଗୁଳି ନିର୍ଦେଶ କରିବା ସହିତ ପ୍ରଶଂସକଙ୍କୁ ଉତ୍ତେଜିତ ହେବାର ଖୋରାକ ଯୋଗାଇଥିଲେ।

ସମ୍ବନ୍ଧିତ ଖବର