୮ ମାସରେ ୬ ଅଧିନାୟକ; ଯୋଜନା ନଥିଲା, ଅଧିକ ସେନାପତି ସୃଷ୍ଟି କରିଛୁ: ଦ୍ରାବିଡ଼

ବେଙ୍ଗାଲୁରୁ: ଗତ ୮ ମାସ ଭିତରେ ଭିନ୍ନ ଭିନ୍ନ ଫର୍ମାଟ୍‌କୁ ମିଶାଇ ୬ଜଣ ଅଧିନାୟକ ଭାରତୀୟ ଦଳର ନେତୃତ୍ବ ନେଇଛନ୍ତି। ଏଥିନେଇ କିନ୍ତୁ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ବିଶେଷ ଚିନ୍ତିତ ନାହାନ୍ତି। ବରଂ ଏତେ କମ୍ ସମୟ ଭିତରେ ଏତେଜଣ ଅଧିନାୟକ ସୃଷ୍ଟି କରିପାରିଥିବାରୁ ବେଶ୍ ଖୁସି ଅଛନ୍ତି ‌ସେ। ଏହାକୁ ନେଇ ନିଜ ମନର ଭାବନାକୁ ମଧ୍ୟ ଖୋଲି କହିଛନ୍ତି ଦ୍ରାବିଡ଼। ସୋମବାର ଦେଇଥିବା ଏକ ସାକ୍ଷାତକାରରେ ଦ୍ରାବିଡ଼ କହିଛନ୍ତି ଯେ ଏହା ବି ବେଶ୍ ଆହ୍ବାନପୂର୍ଣ୍ଣ ଥିଲା। ଗତ ୮ ମାସ ଭିତରେ ଆମେ ୬ଜଣ ଅଧିନାୟକ ପାଇଛୁ। ସତ କହିବାକୁ ଗଲେ ଏଥିନେଇ ଆମେ କୌଣସି ପ୍ରାକ୍ ଯୋଜନା କରି ନଥିଲୁ। ଆମେ ଯେତେ ସଂଖ୍ୟକ ମ୍ୟାଚ୍ ଖେଳୁଛୁ ଏଭଳି ଘଟଣା ଘଟିବା ସ୍ବାଭାବିକ। ସଂପ୍ରତି ପରିବେଶ ଓ ପରିସ୍ଥିତିକୁ ବୁଝି ତଦନୁଯାୟୀ ନିଷ୍ପତ୍ତି ନେବାର ସମୟ ଆସିଯାଇଛି। କିଛି ପିଲାଙ୍କ ସହ ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିଛି। ତେବେ ସବୁ ପରିସ୍ଥିତିକୁ କିନ୍ତୁ ମୁଁ ମନଭରି ଉପଭୋଗ କରିଛି। ଆମକୁ ଅଧିକରୁ ଅଧିକ ଅଧିନାୟକ ସୃଷ୍ଟି କରିବାର ସୁଯୋଗ ମିଳିଛି।

ଯାହା ଭାରତୀୟ କ୍ରିକେଟ୍ ପାଇଁ ଏକ ସକାରାତ୍ମକ କଥା। ଆମେ ନିୟମିତ ଭାବେ ଭଲ କରିବାକୁ ଚେଷ୍ଟା କରି ଆସୁଛୁ। ଗତ ୮ ମାସ ଭିତରେ ଆମେ ମଧ୍ୟ ଢେର ପରୀକ୍ଷା ନୀରିକ୍ଷା କରିଛୁ। ଧଳାବଲ୍ କ୍ରିକେଟ୍‌ରେ ଆମେ ବହୁତ ଭଲ କରିଛୁ। ଏହା ଆମ ଦଳର ବଳିଷ୍ଠ ଚରିତ୍ରକୁ ଦର୍ଶାଉଛି। ଟେଷ୍ଟ୍ କ୍ରିକେଟ୍ ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଆମକୁ ନିରାଶ ହେବାକୁ ପଡ଼ିଥିଲା। ଅବଶ୍ୟ ବହୁ ଯୁବ ଖେଳାଳିଙ୍କୁ ସେମାନଙ୍କ ପରାକାଷ୍ଠା ଦେଖାଇବା ଲାଗି ପର୍ଯ୍ୟାପ୍ତ ସୁଯୋଗ ମିଳିଥିଲା। ଅଧିକାଂଶ ଏହି ସୁଯୋଗର ପୂରା ଫାଇଦା ଉଠାଇଥିଲେ। ଆମ ପାଖରେ ଏବେ ଅତୁଳନୀୟ କଳା କୌଶଳ ବିଶିଷ୍ଟ ଢେର ଦ୍ରୁତ ବୋଲର ଅଛନ୍ତି। ଭାରତୀୟ କ୍ରିକେଟ୍ ପାଇଁ ଏହା ଗୌରବମୟ ମୁହୂର୍ତ। ସୂଚନାଯୋଗ୍ୟ, ବିଭିନ୍ନ କାରଣରୁ ଗତ ୮ ମାସ ଭିତରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ୍‌, ଶିଖର ଧାୱନ, ଋଷଭ ପନ୍ତ୍‌, ହାର୍ଦିକ ପାଣ୍ଡ୍ୟା ଜାତୀୟ ଦାୟିତ୍ବ ନେବାକୁ ମନୋନୀତ ହୋଇଛନ୍ତି। କେବଳ ପାଣ୍ଡ୍ୟା ଆଗାମୀ ଆୟର୍ଲାଣ୍ଡ୍ ଗସ୍ତରେ ତାଙ୍କ ଦୟିତ୍ବ ତୁଲାଇବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର