ମହାନ ମାରାଡୋନାଙ୍କୁ ଅଶ୍ରୁଳ ବିଦାୟ, ଆର୍ଜେଣ୍ଟିନାରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ

ବୁଏନସ ଏୟାରସ୍‌: ଆର୍ଜେଣ୍ଟିନାବାସୀ ଗୁରୁବାର ଦେଶର ସୁଯୋଗ୍ୟ ସନ୍ତାନ, ଫୁଟ୍‌ବଲ୍‌ କିଂବଦନ୍ତି ଡିଏଗୋ ମାରାଡୋନାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି। ବୁଧବାର ୬୦ ବର୍ଷ ବୟସରେ ହୃଦ୍‌ଘାତରେ ମୃତ୍ୟୁ ବରଣ କରିଥିବା ମାରା‌ଡୋନାଙ୍କ ପାର୍ଥୀବ ଶରୀର ଗୁରୁବାର ଏକ କଫିନ୍‌ରେ କାସାରୋସାଡ଼ା ପ୍ରେସିଡେଣ୍ଟାଲ ପ୍ୟାଲେସରେ ପହଞ୍ଚିଛି। ଏଠାରେ ଶନିବାର ପର୍ଯ୍ୟନ୍ତ ତାଙ୍କ କଫିନ ରହିବ ଏବଂ ପ୍ରଶଂସକମାନଙ୍କୁ ଶେଷ ଦର୍ଶନ କରିବାର ସୁଯୋଗ ମିଳିବ। ଅଧିକ ଜନଗହଳି ହେବାର ସମ୍ଭାବନା ଦେଖି ଏହି ୩ ଦିନ ରାଷ୍ଟ୍ରୀୟ ଶୋକ ପାଳନ ଲାଗି ଆର୍ଜେଣ୍ଟିନା ରାଷ୍ଟ୍ରପତି ଅଲ୍‌ବ‌ର୍ଟୋ ଫର୍ନାଣ୍ଡିଜ୍‌ ଘୋଷଣା କରିଛନ୍ତି। ‌ଶାନ୍ତି ଶୃଙ୍ଖଳା ଏବଂ କରୋନା ଭୂତାଣୁ ବଢ଼ିବାର ସମ୍ଭାବନାକୁ ନଜରରେ ରଖି ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛି। କରୋନା କଟକଣା ସତ୍ତ୍ବେ ପ୍ରଥମ ଦିନ ୧୦୦୦ରୁ ଊର୍ଧ୍ବ ପ୍ରଶଂସକ ତାଙ୍କ ମର ଶରୀରକୁ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆର୍ଜେଣ୍ଟିନା ଜନ୍ମିତ କିଂବଦନ୍ତି ଅଥ୍‌ଲେଟ୍‌ ପୋପ୍‌ ଫ୍ରାନସିସ୍‌ ମଧ୍ୟ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଧଳା-ନୀଳ ଜର୍ସିର ସମୁଦ୍ର
ବୁଧବାର ମୃତ୍ୟୁ ଖବର ପ୍ରଚାର ହେବା ପରେ କରୋନା ସତ୍ତ୍ବେ ରାଜଧାନୀ ବ୍ରୁଏନସ ଏୟାରସସ୍ଥିତ ପ୍ଲାଜା ଡି’ମା‌ୟୋଠାରେ ପ୍ରବଳ ଜନଗହଳି ଲାଗିରହିଥିଲା। ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଦଳର ଜର୍ସି ଧରି ଫୁଟ୍‌ବଲ୍‌ପ୍ରେମୀ ମାରାଡୋନାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ। ‌ରାସ୍ତା କଡ଼ ପ୍ରଶଂସକଙ୍କ ହାତରେ ଏହି ଜର୍ସି ଆର୍ଜେଣ୍ଟିନା ଜର୍ସିର ସମୁଦ୍ର ଭଳି ଦେଖାଯାଉଥିଲା ଏବଂ ମାରାଡୋନା ଜୀବନ୍ତ ଥିବା ଅନୁଭବ ହେଉଥିଲା।

ଠିକ୍‌ ରାତି ୧୦ଟାରେ ‌ଷ୍ଟାଡିୟମ୍‌ ଫ୍ଲଡ ଲାଇଟ୍‌ ଲିଭିଲା
ମାରାଡୋନାଙ୍କ ଦେହାନ୍ତରେ ସାରା ବିଶ୍ବ ସ୍ତବ୍ଧ ହୋଇଯାଇଥିଲା। ତାଙ୍କ ଜର୍ସି ନମ୍ବର ୧୦ର ସ୍ମୃତିକୁ ସମ୍ମାନିତ କରିବା ଉଦେଶ୍ୟରେ ବୁଧବାର ସ୍ଥାନୀୟ ସମୟ ରାତି ୧୦ଟାରେ ‌ଆର୍ଜେଣ୍ଟିନାର ସମସ୍ତ ‌ଷ୍ଟାଡିୟମର ଫ୍ଲଡ୍‌ ଲାଇଟ୍‌କୁ ୧ ଘଣ୍ଟା ବନ୍ଦ ରଖାଯାଇଥିଲା। ପ୍ରଶଂସକମାନେ ବୁଏନସ ଏୟାରସ୍‌ରେ ଥିବା ମାରାଡୋନାଙ୍କ ପସନ୍ଦ ଷ୍ଟାଡିୟମ ଲା ବୋମ୍ବୋନେରା, ବୋକା ଜୁନିୟର୍ସକୁ ଆସି କାନ୍ଦୁ ଥିବାର ଦେଖିବାକୁ ମିଳିଥିଲା। ଆର୍ଜେଣ୍ଟିନାଠୁ ୧୦୦୦ ମାଇଲ ଦୂର ଇଟାଲିରେ ମଧ୍ୟ ପ୍ରଶଂସକମାନେ ନାପୋଲିର ସାନ୍‌ ପାଓଲୋ ଷ୍ଟାଡିୟମରେ ଏକାଠି ହୋଇ କ୍ଲବ୍‌ ପାଇଁ ୧୮୮ ମ୍ୟାଚ୍‌ ଖେଳି ୮୧ ଗୋଲ୍‌ କରିଥିବା ଏହି ମହାନ୍‌ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବୁଧବାର ଚାମ୍ପିଅନ୍ସ ଲିଗ୍‌ ମ୍ୟାଚ୍‌ ପୂର୍ବରୁ ମାରାଡୋନାଙ୍କ ସ୍ମୃତିରେ ୧ ମିନିଟ୍‌ର ନିରବ ପ୍ରାର୍ଥନା କରାଯାଇଥିଲା। ଆଗାମୀ ଗୋଟିଏ ସପ୍ତାହ ଅନ୍ୟ ସମସ୍ତ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ନିରବ ପ୍ରାର୍ଥନା କରାଯିବ ବୋଲି ଲିଗ୍‌ ଆୟୋଜକ ପକ୍ଷରୁ କୁହାଯାଇଛି।

ମାରାଡୋନା-ମାଡୋନା ଭ୍ରମ
ବୁଧବାର ରାତିରେ ମହାନ ଫୁଟ୍‌ବଲର୍‌ ଡିଏଗୋ ମାରାଡୋନାଙ୍କର ହୃଦଘାତରେ ପରଲୋକ ହୋଇଯାଇଥିଲା। ସାରା ବିଶ୍ବର ଫୁଟବଲ୍‌ପ୍ରେମୀ ଏହି ହୃଦୟବିଦାରକ ଓ ଦୁଃଖଦ ଖବର ପାଇବା ପରେ ନିଜ ପ୍ରିୟ କ୍ରୀଡ଼ା ତାରକାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୬୦ ବର୍ଷ ବୟସରେ ମାରାଡୋନାଙ୍କ ଅକାଳ ବିୟୋଗ ପରେ କିନ୍ତୁ ଟ୍ବିଟରରେ କିଛି ଲୋକ ପପ୍ ଗାୟିକା ମାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରି ଦେଇଥିଲେ। ଭୁଲବଶତଃ ଓ ଅଜ୍ଞତା ପାଇଁ ସେମାନେ ଏଭଳି କରିଥିଲେ। ମାରାଡୋନାଙ୍କୁ ମାଡୋନା ବୋଲି ଭାବି ନେଇଥିଲେ। ଦ୍ବନ୍ଦ୍ବ ଓ ସଂଶୟ ଭିତରେ ସେମାନେ ମାରାଡୋନାଙ୍କ ପରିବର୍ତ୍ତେ ମାଡୋନାଙ୍କୁ ଟ୍ବିଟ୍ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଫଳରେ ମାତ୍ର କିଛି କ୍ଷଣ ଭିତରେ ‘ଶ୍ରଦ୍ଧାଞ୍ଜଳି ମାଡୋନା’ ଟ୍ରେଣ୍ଡ କରିବା ଆରମ୍ଭ କରି ଦେଇଥିଲେ। ପରେ କିନ୍ତୁ ନିଜ ଭୁଲ ବୁଝିପାରି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ନିଜ ଶୋକବାର୍ତ୍ତା ବଦଳାଇଥିଲେ। ହେଲେ କିଛି ସମୟ ପାଇଁ ମାଡୋନା ସମର୍ଥକ ଓ ପ୍ରଶଂସକଙ୍କ ହୃଦସ୍ପନ୍ଦନ ଯେମିତି ହଠାତ୍ ବନ୍ଦ ହୋଇ ଯାଇଥିଲା। ସୂଚନାଯୋଗ୍ୟ ଯେ ୬୨ ବର୍ଷୀୟା ମାଡୋନା ଜଣେ ଆମେରିକୀୟ ପପ୍ ଗାୟିକା। ତାଙ୍କୁ ପପ୍ ଇତିହାସର ଅନ୍ୟତମ ସଫଳ ମହିଳା ଗାୟିକାର ମାନ୍ୟତା ମିଳେ। ବିଶ୍ବର କୋଣ ଅନୁକୋଣରେ ତାଙ୍କ ପ୍ରଶଂସକ ଅଛନ୍ତି। ସେ ଏକଧାରାରେ ହେଉଛନ୍ତି ଜଣେ ଗାୟିକା, ଲେଖିକା, ଅଭିନେତ୍ରୀ, ସଫଳ ମହିଳା ବ୍ୟବସାୟୀ, ପ୍ରଯୋଜିକା, ନର୍ତ୍ତକୀ, ଚଳଚ୍ଚିତ୍ର ନିର୍ଦ୍ଦେଶିକା, ଲେଖିକା ଏବଂ ସମାଜସେବୀ।

ସମ୍ବନ୍ଧିତ ଖବର