ଆମେ ଲୟକୁ ଫେରିଛୁ :ଏବି ଡି’ଭିଲିୟର୍ସ

ପ୍ରତିପକ୍ଷ ବ୍ୟାଟସମ୍ୟାନ୍‌ଙ୍କୁ ଶେଷ ୫ ଓଭରରେ ବାନ୍ଧି ରଖିବା ଏବଂ ୧୫ ଓଭରରେ ସୀମିତ କରିଦେବା ଭଲ କଥା ଥିଲା। ସୋମବାର ଇନ୍ଦୋରରେ ଖେଳାଯାଇଥିବା ପଞ୍ଜାବ ବିପକ୍ଷ ମ୍ୟାଚ୍‌କୁ ସଂକ୍ଷେପରେ ଏମିତି କହିହେବ। ଏହି ବିଜୟ ମଧ୍ୟ ଆଇପିଏଲ୍‌-୧୧ରେ ଆମ ସ୍ୱପ୍ନକୁ ଜୀବନ୍ତ ରଖିଛି। ବିଗତ କିଛି ସପ୍ତାହରେ ଅନୁଭବ ହେଉଥିଲା ଆମ ପାଇଁ କିଛି ବି ଠିକ୍‌ ହେବ ନାହିଁ। ଏବେ କିନ୍ତୁ ଆମ ପାଇଁ କିଛି ଭୁଲ ହେବାର ନାହିଁ ବୋଲି ବିଶ୍ୱାସ ଆସିଛି। ଆମକୁ ଜଣାଥିଲା ଶେଷ ୪ ମ୍ୟାଚ୍‌ ଜିତିବାର ଥିଲା। ୨ ବିଜୟ ପରେ ତଥାପି ଅନେକ କାମ କରିବାର ଅଛି। ସନ୍‌ରାଇଜର୍ସ ସହିତ ଘରୋଇ ପରିବେଶରେ ଏବଂ ରାଜସ୍ଥାନ ସହିତ ବାହାରେ ଖେଳିବାକୁ ଯିବୁ। ଆମ ନିକଟରେ ଭୁଲ୍‌ ପାଇଁ ଆଉ ଜାଗା ନାହିଁ। ଦୁଇଟି ମ୍ୟାଚ୍‌ ଯାଇଛି ଏବଂ ଦୁଇଟି ଅଛି, ଆମେ ଲଢ଼େଇ ଜାରି ରଖିଛୁ।
ଆମ ବୋଲରମାନେ ପ୍ରତିଯୋଗିତା ସମୟରେ ଅଯୌକ୍ତିକ ଭାବେ ସମାଲୋଚିତ ହୋଇଛନ୍ତି। କିନ୍ତୁ ଆବଶ୍ୟକ ବେଳେ ସେମାନେ ଲାଇନ୍‌ ଓ ଲେନ୍‌ଥରେ ବୋଲିଂ କରିଛନ୍ତି। ଉମେଶ ଯାଦବ ତାଙ୍କ କଚ୍ଚା ଗତି ଜରିଆରେ ପଞ୍ଜାବର ଶୀର୍ଷକ୍ରମକୁ ବିଧ୍ୱସ୍ତ କରିଦେଇଥିଲେ। କ୍ଷେତ୍ରରକ୍ଷକମାନେ ମଧ୍ୟ ଚାପ ସୃଷ୍ଟି କରିଥିଲେ। ତିନୋଟି ରନ୍‌ ଆଉଟ୍‌ ସହିତ ଘରୋଇ ଦଳକୁ ୧୫.୧ ଓଭରରେ ଆଉଟ୍‌ କରି ଦେଇଥିଲେ। ବିରାଟ କୋହଲି ଏବଂ ପାର୍ଥିବ ପଟେଲ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୮.୧ ଓଭରରେ କୌଣସି ଓ୍ଵିକେଟ୍‌ ନ ହରାଇ ବିଜୟ ହାସଲ କରି ନେଇଥିଲେ। ଏହା ମଧ୍ୟ ଦଳର ନେଟ୍‌ ରନ୍‌ ରେଟ୍‌କୁ ଉନ୍ନତ କରିଛି, ପ୍ରତିଯୋଗିତାର ଅବିଶିଷ୍ଟ ଭାଗ ପାଇଁ ସ୍ପଷ୍ଟ ବାର୍ତା ଦେଇଛି।
ଆର୍‌ସିବି ଏବେ ନୀରବ ଯାତ୍ରା କରୁନାହିଁ। ମିଳିତ ଭାବେ ଆମ ମାନସିକତା ଦୃଢ଼ ରହିଛି। ଶନିବାର ଦିଲ୍ଲୀରେ ଖେଳିବା ପରେ ଆମେ ଲମ୍ବା ଯାତ୍ରା କରିଥିଲୁ। ଦିଲ୍ଲୀରେ ଝଡ଼ବର୍ଷା ପାଇଁ ଅଟକିଗଲା ପରେ କୌଣସି ଖେଳାଳି ଅଭିଯୋଗ କରିନଥିଲେ। ଆମକୁ ଯାହା କରିବାର ଅଛି କରିଥିଲୁ, ଇନ୍ଦୋରରେ କେବଳ ରବିବାର ରାତିରେ ପହଞ୍ଚି ସୋମବାର ରାତିରେ ଖେଳିଥିଲୁ। ଦଳ ଯେତେ ପ୍ରତିକୂଳ ପରିସ୍ଥିତିରେ ଗତି କରିଛି ସେତିକି ସୁଦୃଢ଼ ହୋଇଛି। ଖେଳ ହେଉ କି ଅନ୍ୟ କିଛି କ୍ଷେତ୍ର ଯାତ୍ରା ବିଳମ୍ବିତ ହେଲେ ଏହା ବିଭେଦ ଓ ବିଭାଜନର ଆଶଙ୍କା ରଖିଥାଏ, ସମାନ ସମୟରେ ସୌହାର୍ଦ୍ୟ ଓ ସଙ୍କଳ୍ପର ପ୍ରତିଶ୍ରୁତି ମଧ୍ୟ ଦେଇଥାଏ।
ଆମେ ଏବେ ମଧ୍ୟ ଗର୍ତ୍ତରୁ ବାହାରି ପାରିନାହୁଁ। ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍‌ସ ବିପକ୍ଷ ମ୍ୟାଚ୍‌ ଆମ ପାଇଁ କଷ୍ଟକର ହେବ। ପ୍ରତିଯୋଗିତାରେ ଏତେ ସବୁ ବ୍ୟର୍ଥତା ପରେ ଆମେ ଲୟକୁ ଫେରିଛୁ ଏବଂ ଧାରାକୁ ଜାରି ରଖିବାର ଗୁରୁତ୍ୱ ବୁଝିଛୁ। ଇନ୍ଦୋରରେ ବିରାଟ କହିଥିଲେ ‘ଆମେ ଏବେ କିଛି ବି ନ ହରାଇବା ଅଞ୍ଚଳରେ ରହିଛୁ। ଏହା ଆମ ପାଇଁ ଭଲ ଚାଲିଛି।’ ଏହା ଅବ୍ୟାହତ ରହୁ ବୋଲି ବିଶ୍ୱାସ ରଖିଛୁ। (ଟିସିଏମ୍‌)

ସମ୍ବନ୍ଧିତ ଖବର