ରଜାକଙ୍କ ଅଭିଯୋଗ : ‘ବିଶ୍ବକପ୍‌ରେ ଭାରତ ଜାଣିଶୁଣି ଇ˚ଲଣ୍ତଠୁ ହାରିଥିଲା’

ନୂଆଦିଲ୍ଲୀ : ଗତବର୍ଷ ବିଶ୍ବକପ୍‌ରେ ଭାରତ ଜାଣିଶୁଣି ଇ˚ଲଣ୍ତଠୁ ପରାସ୍ତ ହୋଇଥିଲା, ଏଥିରେ ସନ୍ଦେହ ନଥିବା ପାକିସ୍ତାନର ପୂର୍ବତନ ଅଲରାଉଣ୍ତର ଅବଦୁଲ ରଜାକ କହିଛନ୍ତି। ଗତ ସପ୍ତାହରେ ବେନ୍‌ ଷ୍ଟୋକ୍ସଙ୍କ ବହି ‘ଅନ୍‌ ଫାୟାର‌୍‌’ରେ ଉକ୍ତ ମ୍ୟାଚ୍‌ ବିଷୟରେ ଉଲ୍ଲେଖ କରାଯାଇଥିବାରୁ ଆଲୋଚକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରଠୁ ପାକିସ୍ତାନୀ ଖେଳାଳିମାନେ ଭାରତ ଉପରେ ଜାଣିଶୁଣି ମ୍ୟାଚ୍‌ ହାରିବା ଉପରେ ଅଭିଯୋଗ କରିଆସୁଛନ୍ତି।

ସେହିପରି ଷ୍ଟୋକ୍ସ ତାଙ୍କ ବହିରେ ଭାରତ ଉଦ୍ଦେଶ୍ୟମୂଳକ ଭାବେ ଇ˚ଲଣ୍ତଠୁ ପରାସ୍ତ ହୋଇଥିଲା ବୋଲି ପୂର୍ବତନ ପାକିସ୍ତାନୀ ବୋଲର ସିକନ୍ଦର ବକ୍ତ ଟ୍ବିଟର୍‌ରେ ଲେଖିଥିଲେ। କିନ୍ତୁ ଷ୍ଟୋକ୍ସ ଏହାକୁ ଖଣ୍ତନ କରିଥିଲେ। ଅନ୍ୟପକ୍ଷରେ ଭାରତ ତାହାର ସାମର୍ଥ୍ୟ ଅନୁଯାୟୀ ଖେଳିନଥିବା ରଜାକ କହିଛନ୍ତି। ପାକିସ୍ତାନର ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ ରଜାକ କହିଛନ୍ତି ଯେ, ଆମେ ସମସ୍ତେ ମ୍ୟାଚ୍‌ ଦେଖୁଥିଲୁ। ଭାରତର ଉଦ୍ଦେଶ୍ୟମୂଳକ ରଣନୀତି ସଫାସଫା ଜଣା ପଡ଼ୁଥିଲା। ତେଣୁ ଆଇସିସି ଏହା ଉପରେ ଜରିମାନା କରିବା ଉଚିତ। ଯଦି ଏକ ଦଳ ଉଦ୍ଦେଶ୍ୟମୂଳକ ଭାବେ ପରାସ୍ତ ହୋଇ ଅନ୍ୟ ଏକ ଦଳକୁ ଯୋଗ୍ୟତା ଅର୍ଜନ କରିବାରୁ ବଞ୍ଚିତ କରିଥାଏ, ତାହେଲେ ସେହି ଦଳକୁ ଜରିମାନା ହେବା ଉଚିତ୍‌। ଯଦି ଜଣେ ଦକ୍ଷ ବୋଲର ତାହାର ଦକ୍ଷତା ଅନୁଯାୟୀ ବୋଲି˚ କରିନଥାଏ ଓ ଠିକ୍‌ ସ୍ଥାନରେ ଜାଣିଶୁଣି ବଲ୍‌ ନପକାଇ ରନ୍‌ ବ୍ୟୟ କରିଥାଏ, ତାହେଲେ ଏହା ସମସ୍ତଙ୍କ ନଜରକୁ ଆସିଥାଏ। ସେହିପରି ଜଣେ ଖେଳାଳି ଯିଏ ଛକା କିମ୍ବା ଚୌକା ମାରିବାର କ୍ଷମତା ରଖୁଛି, କିନ୍ତୁ ସେଠାରେ ବଲ୍‌କୁ ଡିଫେନ୍ସ କରୁଥାଏ, ଏହା ମଧ୍ୟ ସନ୍ଦେହଜନକ ହୋଇଥାଏ ବୋଲି ରଜାକ କହିଛନ୍ତି। ଉକ୍ତ ମ୍ୟାଚ୍‌ରେ ଭାରତ ବିପକ୍ଷରେ ଇ˚ଲଣ୍ତ ୩୩୮ ରନ୍‌ ସ˚ଗ୍ରହ କରିଥିଲାବେଳେ ରୋହିତ ଶର୍ମାଙ୍କ ଶତକ ସତ୍ତ୍ବେ ଭାରତ ନିର୍ଧାରିତ ଓଭର ସୁଦ୍ଧା ୫ ଵିକେଟ୍‌ ବିନିମୟରେ ୩୦୬ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଗତବର୍ଷ ୱେଷ୍ଟଇଣ୍ତିଜ ଦଳ ସହ ଜଡ଼ିତ ଥିବା ପୂର୍ବତନ ପାକିସ୍ତାନୀ ସ୍ପିନର ମୁସ୍ତାକ ଅହମ୍ମଦ ମଧ୍ୟ ଏକ ସାକ୍ଷାତକାରରେ ଭାରତ ଉପରେ ଅଭିଯୋଗ ଆଣିଥିଲାବେଳେ ଜାସନ ହୋଲ୍ଡର, କ୍ରିସ୍‌ ଗେଲ୍‌ ଓ ଆନ୍ଦ୍ରେ ରସେଲ୍‌ ପାକିସ୍ତାନକୁ ସେମିଫାଇନାଲ୍‌ ଦୌଡ଼ରୁ ହଟାଇବା ପାଇଁ ଭାରତ ଜାଣିଶୁଣି ପରାସ୍ତ ହୋଇଥିବା କହିଥିଲେ ବୋଲି ସାକ୍ଷାତକାରରେ ପ୍ରତିକ୍ରିୟା ରଖିଥିଲେ।

ସମ୍ବନ୍ଧିତ ଖବର