ଆଫଗାନିସ୍ତାନର ଟ୍ବେଣ୍ଟି-୨୦ ବିଶ୍ବ କୀର୍ତ୍ତିମାନ (୨୭୮/୩)

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ରେ ଆଫଗାନିସ୍ତାନ ସର୍ବାଧିକ ଦଳଗତ ସ୍କୋର୍‌’ର ବିଶ୍ବ କୀର୍ତ୍ତିମାନ କରିଛି। ଶନିବାର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହଜରତୁଲ୍ଲା ଜଜାଇ ଓ ଉସ୍‌ମାନ ଘାନିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଆଫଗାନ ଦଳ ନିର୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୭୮ ରନ୍ କରିଥିଲା। ଏହା କରି ଆଫଗାନିସ୍ତାନ ଟ୍ବେଣ୍ଟି-୨୦ରେ ସର୍ବାଧିକ ଦଳଗତ ରନ୍ କରିବାରେ ଶ୍ରୀଲଙ୍କାକୁ ଟପି ଯାଇଥିଲା। ଶ୍ରୀଲଙ୍କା ୨୦୧୬ରେ ପାଲେକେଲଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ୱିକେଟ୍ ହରାଇ ୨୬୩ ରନ୍ କରିଥିଲା। ଯାହା ଆଫଗାନିସ୍ତାନ-ଆୟର୍ଲାଣ୍ଡ ମ୍ୟାଚ୍ ପୂର୍ବରୁ ସର୍ବାଧିକ ଦଳଗତ ସ୍କୋର୍‌’ର ବିଶ୍ବ କୀର୍ତ୍ତିମାନ ହୋଇ ରହିଥିଲା। ଜଜାଇ ଓ ଘାନି ପ୍ରଥମ ୱିକେଟ୍‌ରେ ଟ୍ବେଣ୍ଟି-୨୦ର ସର୍ବୋଚ୍ଚ ଭାଗୀଦାରି (୨୩୬) ମଧ୍ୟ କରିଥିଲେ। ଏହି କ୍ରମରେ ସେମାନେ ଆରୋନ୍ ଫିଞ୍ଚ ଓ ଡାର୍କି ସଟ୍ (୨୨୩ ରନ୍, ବନାମ ଜିମ୍ବାୱେ)ଙ୍କୁ ଟପିଥିଲେ। ଜଜାଇ ମାତ୍ର ୪୨ ବଲ୍‌ରୁ ନିଜ ପ୍ରଥମ ଟ୍ବେଣ୍ଟି-୨୦ ଶତକ ଅର୍ଜନ କରିଥିଲେ। ସେ ତାଙ୍କ ସ୍ମରଣୀୟ ପାଳିରେ ୧୧ ଚୌକା ଏବଂ ୧୬ ଛକା ମାରିଥିଲେ। ଗୋଟିଏ ଟ୍ବେଣ୍ଟି-୨୦ ପାଳିରେ ସର୍ବାଧିକ ଛକା ମାରିବାରେ ଜଜାଇ ମଧ୍ୟ ଫିଞ୍ଚ (୧୪)ଙ୍କୁ ଅତିକ୍ରମ କରିଥିଲେ। ଏହି ୨୦ ବର୍ଷୀୟ ତାରକା ୬୨ ବଲ୍‌ରୁ ୧୬୨ ରନ୍ କରି ଅପରାଜିତ ରହିଥିଲେ। ଘାନି ୪୮ ବଲ୍‌ରୁ ୭୩ ରନ୍ କରିଥିଲେ। ଦଳଗତ ଭାବେ ଆଫଗାନିସ୍ତାନ ତା’ ପାଳିରେ ୨୨ ଛକା ମାରି ଭାରତ ଓ ୱେଷ୍ଟଇଣ୍ଡିଜ (୨୧ ‌ଲେଖାଏଁ ଛକା)କୁ ପଛରେ ପକାଇଥିଲା। ଆଫଗାନିସ୍ତାନ ଶେଷରେ ଏହି ମ୍ୟାଚ୍‌କୁ ୮୪ ରନ୍‌ରେ ଜିତି ନେଇଥିଲା। ପ୍ରତିପକ୍ଷ ଆୟର୍ଲାଣ୍ଡ ମାତ୍ର ୧୯୪/୬ କରି ପାରିଥିଲା।

ସମ୍ବନ୍ଧିତ ଖବର