ଅର୍ଜୁନ ପୁରସ୍କାର ପାଇଁ ଝିଙ୍ଗାନ ଓ ବାଲାଙ୍କ ନାଁ ସୁପାରିସ କଲା ଏଆଇଏଫ୍‌ଏଫ୍

ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ୍) ଦେଶର ପ୍ରଥମ ମହିଳା ପେସାଦାର ଫୁଟ୍‌ବଲର୍‌ ବାଲା ଦେବୀ ଓ ଜାତୀୟ ପୁରୁଷ ଦଳର ନିର୍ଭରଯୋଗ୍ୟ ତାରକା ସନ୍ଦେଶ ଝିଙ୍ଗାନଙ୍କ ନାଁ ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରିଛି। କିଛି ଦିନ ତଳେ କ୍ରୀଡ଼ା ମନ୍ତ୍ରାଳୟ ଅର୍ଜୁନ ପୁରସ୍କାର ଲାଗି ପସନ୍ଦର ଖେଳାଳିଙ୍କ ନାଁ ସୁପାରିସ କରିବାକୁ ବିଭିନ୍ନ ଜାତୀୟ କ୍ରୀଡ଼ା ସଂଗଠନକୁ ନିର୍ଦ୍ଦେଶ ଦେଇଥିଲା। ୨୬ ବର୍ଷୀୟ ଝିଙ୍ଗାନ ନିଜ ଖେଳ ଜୀବନର ଅଧିକାଂଶ ସମୟ ମହାନ ଫୁଟବଲର ବାଇଚୁଙ୍ଗ ଭୂତିଆ ଓ ରେନେଡି ସିଂହଙ୍କ ସହ କଟାଇଛନ୍ତି। ହେଲେ ବିଗତ କିଛି ବର୍ଷ ହେବ ସୁନିଲ ଛେତ୍ରୀଙ୍କ ସହ ଭାରତୀୟ ଫୁଟବଲ୍ ଦଳର ମେରୁଦଣ୍ଡ ପାଲଟିଛନ୍ତି।

ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ପ୍ରଶିକ୍ଷକ ଷ୍ଟିଫେନ କନଷ୍ଟାଣ୍ଟାଇନଙ୍କୁ ତାଙ୍କ ଖେଳ ଏତେ ପସନ୍ଦ ଆସିଥିଲା ଯେ ଛେତ୍ରୀ ଆଘାତ ପ୍ରାପ୍ତ ହୋଇ ଦଳରେ ନଥିବା ବେଳେ ଝିଙ୍ଗାନଙ୍କୁ ସେ ଅଧିନାୟକ ଭାର ପ୍ରଦାନ କରିଥିଲେ। ଶାରୀରିକ ଶକ୍ତି, ବଲ୍ ନିୟନ୍ତ୍ରଣର ଅସାଧାରଣ ଦକ୍ଷତା ସହ ଜଣେ କୁଶଳୀ ଖେଳାଳି ଭାବେ ସେ ନିଜକୁ ସ୍ଥାପିତ କରି ପାରିଛନ୍ତି। ଅନ୍ୟ ପକ୍ଷରେ ୩୦ ବର୍ଷୀୟା ମଣିପୁରୀ ଝିଅ ବାଲା ଦେବୀ ସ୍କଟିସ୍ ମହିଳା ପ୍ରିମିୟର ଲିଗ୍ ରେଙ୍ଗସର୍ ଏଫସି ସହ ୧୮ ମାସିଆ ଚୁକ୍ତି କରି ଚହଳ ସୃଷ୍ଟି କରିଥିଲେ। ଦେଶ ବାହାରେ କୌଣସି ପେସାଦାର ଲିଗ୍ ଖେଳିବାରେ ସେ ପ୍ରଥମ ଭାରତୀୟ ମହିଳା ଫୁଟବଲର ହୋଇଥିଲେ। ଚଳିତ ମଧ୍ୟ ସେ ମଧ୍ୟ କେତେକ ୟୁରୋପୀୟ ଲିଗ୍ ଖେଳିବାର ଥିଲା। ହେଲେ କରୋନା ଆତଙ୍କ ପାଇଁ ଦୁର୍ଭାଗ୍ୟଜନକ ଭାବେ ଏଗୁଡ଼ିକ ସ୍ଥଗିତ ହୋଇ ଯାଇଛି।

ସମ୍ବନ୍ଧିତ ଖବର