କୃଷି କ୍ଷେତ୍ର ପାଇଁ ଆସିବ ତିନିଟି ଅଧ୍ୟାଦେଶ, କୋଭିଡ଼ ସ୍ବେଚ୍ଛାସେବୀଙ୍କ ପାଇଁ ସାର୍ଟିଫିକେଟ୍ କୋର୍ସ

୬ଟି ଜିଲ୍ଲାରେ କୋଭିଡ୍‌ ହସପିଟାଲ ଶଯ୍ୟା ବଢ଼ିବ, ଗାଁ ଅର୍ଥନୀତି ସୁଧାର ପାଇଁ ଅଧିକ ପାଣ୍ଠି ଦିଆଯିବ

ଭୁବନେଶ୍ବର: ସଙ୍ଗରୋଧରୁ ବାହାରିବା ପରେ କୋଭିଡ୍‌ ସ୍ବେଚ୍ଛାସେବୀଙ୍କ ପାଇଁ ଏକ ସଂକ୍ଷିପ୍ତ ସାର୍ଟିଫିକେଟ୍ କୋର୍ସ କରାଯିବ। କୃଷି କ୍ଷେତ୍ରର ବିକାଶ ଲାଗି ରାଜ୍ୟ ସରକାର ଖୁବ୍ ଶୀଘ୍ର ତିନିଟି ଅଧ୍ୟାଦେଶ ଆଣିବେ। ୬ଟି ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ଓ ରାଜ୍ୟ ଅର୍ଥନୀତିରେ ସୁଧାର ପାଇଁ ରଣନୀତି ନିର୍ଧାରଣ ପରିପ୍ରେକ୍ଷୀରେ ଆଜି ମୁଖ୍ୟଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା ବେଳେ ଏଭଳି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ଲାଗି ଅଧିକ ପାଣ୍ଠି ପ୍ରଦାନ କରାଯିବ। ସେହିଭଳି ମନରେଗା ଓ ମିସନ ଶକ୍ତିକୁ ଅଧିକ ଗୁରୁତ୍ବ ଦିଆଯିବ। ଅଧିକାରୀମାନଙ୍କ ସହିତ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତମାନ ପ୍ରବାସୀ ଓଡ଼ିଆ ବହୁ ସଂଖ୍ୟାରେ ରାଜ୍ୟକୁ ଫେରିବେ। ଏଭଳି ପରିସ୍ଥିତିରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରଗୁଡିକର ଉପଯୁକ୍ତ ପରିଚାଳନା ହେବା ଦରକାର। ଏହାସହିତ ଲୋକମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଅର୍ଥନୀତିକୁ ଚଳଚଞ୍ଚଳ କରାଯିବାର ମଧ୍ୟ ଆବଶ୍ୟକତା ରହିଛି। ମାନବିକତା ଏବଂ ବୃତ୍ତିଗତ ଦକ୍ଷତା ଏହି କଠିନ ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବ।

କୋଭିଡ୍ ମୁକାବିଲା ଏକ ଲମ୍ବା ଯୁଦ୍ଧ ବୋଲି ସୂଚାଇ ନବୀନ କହିଲେ, ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ବର୍ତମାନ ପରିସ୍ଥିତିରେ ଅଧିକ ସଶକ୍ତ କରାଯିବାର ଆବଶ୍ୟକତା ରହିଛି। ସେହିଭଳି ଗଞ୍ଜାମ ଭଳି ଅନ୍ୟ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଅନ୍ତେବାସୀମାନଙ୍କୁ କୋଭିଡ୍‌ ରୋଗ ପରିଚାଳନା ସଂପର୍କରେ ତାଲିମ ଦିଆଯିବା ଦରକାର। ସେମାନେ ସଙ୍ଗରୋଧରୁ ବାହାରିବା ପରେ କୋଭିଡ୍ ସ୍ବେଚ୍ଛାସେବୀ ଭାବେ ସମାଜକୁ ସେବା ଯୋଗାଇ ଦେଇପାରିବେ। ଏଥିପାଇଁ ଏକ ସଂକ୍ଷିପ୍ତ ସାର୍ଟିଫିକେଟ୍ କୋର୍ସ ପ୍ରସ୍ତୁତ କରିବା ଲାଗି ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆସନ୍ତା ୧ ସପ୍ତାହ ମଧ୍ୟରେ ଗଞ୍ଜାମ, ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବଲାଙ୍ଗୀର ଆଦି ଜିଲ୍ଲାମାନଙ୍କରେ କୋଭିଡ୍ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ଦରକାର। ବିଶେଷକରି ଗର୍ଭବତୀ ମହିଳା, ପ୍ରସୂତୀ, ଶିଶୁ, ଭିନ୍ନକ୍ଷମ, ବୟସ୍କ ଲୋକମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ମନରେଗା ଓ ମିସନ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ଦରକାର। ବିଭିନ୍ନ ବିଭାଗମାନେ ସେମାନଙ୍କ ଅଧୀନରେ ଯେପରି ଅଧିକରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଦେଇପାରିବେ, ସେଥିପାଇଁ ଯୋଜନା କରିବା ଲାଗି ମୁଖ୍ୟମନ୍ତ୍ରୀ ବିଭିନ୍ନ ସଚିବଙ୍କୁ ପ୍ରବର୍ତାଇଥିଲେ। ଏକଥା ବି କହିଥିଲେ ଯେ ଗ୍ରାମ୍ୟ ଅର୍ଥନୀତିକୁ ଅଧିକ ସଶକ୍ତ କରିବା ପାଇଁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ। ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପିପିଇ ଓ ଅନ୍ୟ ମେଡିକାଲ ଉପକରଣ ଯୋଗାଣ ବି ସୁନିଶ୍ଚିତ ହେବା ଉଚିତ୍। କୃଷି ଅର୍ଥନୀତିକୁ ଅଧିକ ସୁଦୃଢ କରିବା ଲାଗି ରାଜ୍ୟ ସରକାର ଖୁବ୍ ଶୀଘ୍ର ୩ଟି ଅଧ୍ୟାଦେଶ ଆଣିବେ ବୋଲି ସୂଚନା ଦେଇଥିଲେ। ‌ତେବେ ନିର୍ଦିଷ୍ଟ କି କି ପଦକ୍ଷେପ ନିଆଯିବ ସେ ସଂପର୍କରେ ନିରବ ରହିଥିଲେ। ଅନ୍ୟପକ୍ଷରେ କୃଷି ବିଭାଗ ପକ୍ଷରୁ ବିଭାଗର ସବୁ କାର୍ଯ୍ୟ ଠିକ୍ ଠାକ୍ ଚାଲିଥିବା କୁହାଯାଇଥିଲା। ସ୍ବୟଂ ସହାୟକ ଗୋଷ୍ଠୀ କୋଭିଡ୍ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ବୋଲି ମିସନ ଶକ୍ତି ନିର୍ଦେଶିକା ସୁଜାତା କାର୍ତିକେୟନ୍ ସୂଚନା ଦେଇଥିଲେ। ଏହି ଅବସରରେ ସେ କହିଥିଲେ ମିସନ ଶକ୍ତିର ମହିଳାମାନେ ୫୦ଲକ୍ଷରୁ ଅଧିକ ମାସ୍କ ପ୍ରସ୍ତୁତ କରିଥିବା ବେଳେ ସେଥି୍ରୁ ୪୬ଲକ୍ଷ ପାଖାପାଖି ମାସ୍କ ବଣ୍ଟନ ହୋଇସାରିଛି। ସେହିଭଳି ମାଗଣା ରନ୍ଧା ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ହସ୍ପିଟାଲ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ, ମାଛଚାଷ, କୃଷି ଏବଂ ପରିବାରକୁ ସିଧାସଳଖ ରାସନ ଯୋଗାଣ କାର୍ଯ୍ୟକ୍ରମରେ ମହିଳା ଶକ୍ତି ସାମିଲ ହୋଇଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ମୁକ୍ତ ଋଣ ଦିଆଯାଇଥିବା ନେଇ ସୂଚନା ଦିଆଯାଇଥିଲା।

ଜଳସଂପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ ଓ ଜଙ୍ଗଲ ବିଭାଗ ନିଜ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଆସନ୍ତା ଏକ ମାସରେ ଦିନକୁ ୧ଲକ୍ଷ ଲୋକଙ୍କୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଲକଡାଉନ୍ ସମୟରେ ଆଇନଶୃଙ୍ଖଳା ଭଙ୍ଗକାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଥିଲେ। ଏହି ବୈଠକରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର