ଏସୀୟ ବାସ୍କେଟ୍‌ବଲ୍‌ରେ ଅନନ୍ୟା ପରିସଂଖ୍ୟାନବିତ୍‌

ଭୁବନେଶ୍ବର : ବେଙ୍ଗାଲୁରୁଠାରେ ଚାଲିଥିବା ୧୮ ବ‌ର୍ଷରୁ କମ୍‌ ଫିବା ଏସୀୟ ମହିଳା ବାସ୍କେଟ୍‌ବଲ୍ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ଓଡ଼ିଆ ଝିଅ ଅନନ୍ୟା ପଟ୍ଟନାୟକ। ଏହି ପ୍ରତିଯୋଗିତାରେ ଅନ୍ୟତମ ପରିସଂଖ୍ୟାନବିତ୍ (ଷ୍ଟାଟିଷ୍ଟିଆନ୍‌) ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ଏହି ଭୁବନେଶ୍ବର ଖେଳାଳି। ବେଙ୍ଗାଲୁରୁରେ ଅନୁଷ୍ଠିତ ଫିବା ପରିସଂଖ୍ୟାନବିତ୍‌ ପରୀକ୍ଷାରେ ୨୮ ଜଣଙ୍କ ମଧ୍ୟରୁ ୧୧ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦୁଇ ଜଣ ନବାଗତଙ୍କ ମଧ୍ୟରୁ ଅନନ୍ୟା ଅନ୍ୟତମ। ପ୍ରଥମ ଓଡ଼ିଆ ଭାବେ ଏଭଳି ସୁଯୋଗ ହାତେଇଛନ୍ତି ଏହି ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ବାସ୍କେଟ୍‌ବଲ୍ ସଂଘ (କେଡିବିଏ) ଖେଳାଳି। ସମ୍ପ୍ରତି ଜ୍ଞାନଭିତ୍ତିକ ସଂସ୍ଥା କ୍ବୋରାରେ କାର୍ଯ୍ୟରତ ଅନନ୍ୟା ଏହି ପେସାକୁ ସୌଖିନ ଭାବେ ନେଉଥିଲେ ମଧ୍ୟ ଖେଳ ସହ ଜଡ଼ିତ ବ୍ୟାପକ ସୁଯୋଗକୁ ନେଇ ଉଲ୍ଲସିତ ଅଛନ୍ତି।

ସୂଚନାଯୋଗ୍ୟ, କ୍ରିକେଟ୍‌ ସାମ୍ବାଦିକ ତଥା ମହିଳା କ୍ରିକେଟ୍‌ ଇତିହାସ ଉପରେ ଆଧାରିତ ପୁସ୍ତକ ‘ଦ ଫାୟାର ବର୍ଣ୍ଣସ ବ୍ଲୁ’ର ଲେଖକ ସ୍ବର୍ଗତ ସିଦ୍ଧାନ୍ତ ମହାପାତ୍ରଙ୍କ ସାନ ଭଉଣୀ ହେଉଛନ୍ତି ଅନନ୍ୟା। ବିଜେବି ନଗରର ଦିଗନ୍ତ କେଶରୀ ପଟ୍ଟନାୟକ ଓ ଭାଷା ପଟ୍ଟନାୟକଙ୍କ କନ୍ୟା ଅନନ୍ୟା ସବୁବେଳେ ପିତାମାତା ଓ ଜେଜେ ବୀରେନ ଚନ୍ଦ୍ର ପଟ୍ଟନାୟଙ୍କଠାରୁ ଖେଳକୁଦ ଲାଗି ପ୍ରେରଣା ପାଇଥିବା ସ୍ବୀକାର କରିଥିଲେ। କେଡିବିଏ ସମ୍ପାଦକ ପ୍ରଶାନ୍ତ ନାୟକଙ୍କଠାରୁ ମଧ୍ୟ ସବୁବେଳେ ସମର୍ଥନ ପାଉଥିବା କହିଛନ୍ତି ଅନନ୍ୟା। ସ୍କୁଲ ଜୀବନରେ ୧୦୦ ଓ ୨୦୦ ମିଟର୍ ଦୌଡ ସହିତ ଲଙ୍ଗଜମ୍ପ ଓ କବାଡ଼ି ଖେଳୁଥିଲେ। କବାଡ଼ିରେ ମଧ୍ୟ ଅନନ୍ୟା ସ୍କୁଲ୍‌ ଦଳର ଅଧିନାୟିକା ଥିଲେ। ଏବେ ମଧ୍ୟ ଅଫିସ୍ (କ୍ବୋରା) ପାଇଁ ଖେଳୁଛନ୍ତି।

ସମ୍ବନ୍ଧିତ ଖବର