ଆନସ୍‌ଙ୍କୁ ବିଶ୍ବ ଚାମ୍ପିଅନ୍‌ସିପ୍‌ ଯୋଗ୍ୟତା: ୪୦୦ ମିଟରରେ ନୂଆ ଜାତୀୟ କୀର୍ତ୍ତିମାନ

ନୂଆଦିଲ୍ଲୀ: ଚେକ୍‌ ଗଣରାଜ୍ୟରେ ଚାଲିଥିବା କ୍ଲାଡ୍‌ନୋ ଆଥ୍‌‌ଲେଟିକ୍‌ ମିଟ୍‌ରେ ଭାରତୀୟ ଧାବକ ମହମ୍ମଦ ଆନସ୍‌ ପୁରୁଷ ୪୦୦ ମିଟରରେ ନୂଆ ଜାତୀୟ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ କରାୟତ କରି‌ନେଇଛନ୍ତି। ନିଜର ଜାତୀୟ କୀର୍ତ୍ତିମାନକୁ ପଛରେ ପକାଇ ଦେଇଥିବା ୨୪ ବର୍ଷ ବୟସ୍କ ଆନସ୍‌ ୪୫.୨୧ ସେକେଣ୍ଡ୍‌ ସମୟରେ ଦୌଡ଼ ପୂରା କରି ପ୍ରଥମ ସ୍ଥାନ ପାଇବା ସାଙ୍ଗକୁ ଚଳିତ ବର୍ଷ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଦୋହାରେ ଆୟୋଜିତ ହେବାକୁ ଥିବା ବିଶ୍ବ ଚାମ୍ପିଅନ୍‌ସିପ୍‌କୁ ଯୋଗ୍ୟତା ମଧ୍ୟ ହାସଲ କରିନେଇଛନ୍ତି। ପୁରୁଷ ୪୦୦ ମିଟର ଦୌଡ଼ରେ ବିଶ୍ବ ଚାମ୍ପିଅନ୍‌ସିପ୍‌ ପାଇଁ ଯୋଗ୍ୟତା ସମୟ ୪୫.୩୦ ସେକେଣ୍ଡ୍‌ ଧାର୍ଯ୍ୟ ହୋଇଥିଲା। ପୂର୍ବରୁ ଆନସ୍‌ଙ୍କ ଜାତୀୟ କୀର୍ତ୍ତିମାନ ସମୟ ୪୫.୨୪ ସେକେଣ୍ଡ ଥିଲା। ଯାହାକୁ କି ସେ ଗତବର୍ଷ ନିଜ ନାମରେ କରିଥିଲେ। ୪୦୦ ମିଟରରେ ତାଙ୍କ ପଛକୁ ପୋଲାଣ୍ଡ୍‌ର ଓମେଲ୍‌କୋ ରାଫାଲ (୪୬.୧୯ ସେକେଣ୍ଡ) ରୌପ୍ୟ ପଦକ ପାଇଥିଲେ। ତେବେ ମହିଳା ୪୦୦ ମିଟରରେ ଭିକେ ବିସ୍ମୟ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୫୨.୫୪ ସେକେଣ୍ଡ୍‌) ସହ ସ୍ବର୍ଣ୍ଣ ପଦକ ଜିତି ନେଇଥିଲା ବେଳେ ସରିତାବେନ୍‌ ଗାୟକ୍ବାଡ (୫୩.୩୭ ସେକେଣ୍ଡ) କାଂସ୍ୟ ପଦକ ହାସଲ କରିଛନ୍ତି।

ହୀମାଙ୍କୁ ତୃତୀୟ ସ୍ବର୍ଣ୍ଣ
ଚେକ୍‌ ଗଣରାଜ୍ୟରେ ଚାଲିଥିବା ଏହି ପ୍ରତିଯୋଗିତାର ୧୧ ଦିନ ମଧ୍ୟରେ ଭାରତୀୟ ତାରକା ହୀମା ଦାସ ମହିଳା ୨୦୦ ମିଟର ରେସ୍‌ରେ ବ୍ୟକ୍ତିଗତ ତୃତୀୟ ସ୍ବର୍ଣ୍ଣ ପଦକ କରାୟତ କରିଛନ୍ତି। ଚଳିତ ମାସ ୨ ତାରିଖରେ ପୋଲାଣ୍ଡ୍‌ରେ ଆୟୋଜିତ ପୋଜ୍‌ନାନ୍‌ ଆଥ୍‌ଲେଟିକ୍‌ ଗ୍ରାଁ ପ୍ରିରେ ୨୦୦ ମିଟର ସ୍ବର୍ଣ୍ଣ ଜିତିଥିବା ହୀମା ଗତ ରବିବାର ସେହି ପୋଲାଣ୍ଡ୍‌ରେ ଆୟୋଜିତ କୁତ୍‌ନୋ ଆଥ୍‌ଲେଟିକ୍‌ ମିଟ୍‌ରେ ୨୩.୯୭ ସେକେଣ୍ଡ ସମୟ ନେଇ ୨୦୦ ମିଟରରେ ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏବେ ଚେକ୍‌ ଗଣରାଜ୍ୟରେ ଚାଲିଥିବା କ୍ଲାଡ୍‌ନୋ ଆଥ୍‌‌ଲେଟିକ୍‌ ମିଟ୍‌ରେ ଶନିବାର ୨୦୦ ମିଟର ଦୁରତାକୁ ୨୩.୬୫ ସେକେଣ୍ଡ୍‌ ସମୟରେ ଦୌଡ଼ି ହୀମା ୧୧ ଦିନ ମଧ୍ୟରେ ତୃତୀୟ ଆନ୍ତର୍ଜାତିକ ସ୍ବର୍ଣ୍ଣ କବ୍‌ଜା କରିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ବିପିନ କାସାନା, ଅଭିଷେକ ସିଂହ ଓ ଦେବିନ୍ଦର ସିଂହ କାଙ୍ଗ୍‌ ପୁରୁଷ ଜାଭ୍‌ଲିନ୍‌ ଥ୍ରୋ’ରେ ସବୁ ପଦକ ପୋଛି ନେଇଛନ୍ତି। ବିପିନ, ଅଭିଷେକ ଓ ଦେବିନ୍ଦର ଯଥାକ୍ରମେ ୮୨.୫୧ ମିଟର, ୭୭.୩୨ ମିଟର ଓ ୭୬.୫୮ ମିଟର ଦୂରତା ସହ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ହାତେଇଛନ୍ତି। ପୁରୁଷ ସଟ୍‌ପୁଟ୍‌ରେ ଜାତୀୟ କୀର୍ତ୍ତିମାନଧାରୀ ତେଜିନ୍ଦର ପାଲ୍‌ ସିଂହ ତୁର୍‌ ୨୦.୩୬ ମିଟର ଦୂରକୁ ଫିଙ୍ଗି କାଂସ୍ୟ ପଦକ ଜିତିଛନ୍ତି।

କିର୍ଗିଜସ୍ତାନରେ ଭାରତକୁ ୧୦ ପଦକ
ଅନ୍ୟପକ୍ଷରେ କିର୍ଗିଜ୍‌ସ୍ତାନର ବିସ୍‌କେକ୍‌ରେ ଆୟୋଜିତ ୨୨ତମ ଆନ୍ତର୍ଜାତିକ ସ୍ମାରକୀ ପ୍ରତିଯୋଗିତାରେ ଭାରତ ମୋଟ ୧୦ (୬ ସ୍ବର୍ଣ୍ଣ, ୩ ‌ରୌପ୍ୟ ଓ ଗୋଟିଏ କାଂସ୍ୟ) ପଦକ ଜିତିନେଇଛି। ଜାତୀୟ କୀର୍ତ୍ତିମାନଧାରୀ ଏମ୍‌ ଶ୍ରୀଶଙ୍କର ଲଙ୍ଗ୍‌ ଜମ୍ପ୍‌ (୭.୯୭ ମିଟର) ସ୍ବର୍ଣ୍ଣ ଜିତିଥିଲା ବେଳେ ୧୦୦ ମିଟରରେ ଅର୍ଚ୍ଚନା (୧୧.୭୪ ସେକେଣ୍ଡ୍‌), ୪୦୦ ମିଟରରେ ହର୍ଷ କୁମାର (୪୬.୭୬ ସେକେଣ୍ଡ୍‌), ୧୫୦୦ ମିଟରରେ ଲିଲି ଦାସ (୪:୧୯.୦୫), ଜାଭେଲିନ୍‌ ଥ୍ରୋ‌’ରେ ସାହିଲ ସିଲ୍‌ୱାଲ୍‌ (୭୮.୫୦ ମିଟର) ଏବଂ ମହିଳା ୪ ଗୁଣା ୧୦୦ ରିଲେ (୪୫.୮୧ ସେକେଣ୍ଡ)ରେ ଭାରତକୁ ସ୍ବର୍ଣ୍ଣ ମିଳିଛି। ୧୫୦୦ ମିଟରରେ ରାହୁଲ୍‌ (୩:୫୦.୬୯), ୪୦୦ ମିଟରରେ ଜିସ୍ନା ମାଥ୍ୟୁ (୫୩.୭୬) ଏବଂ ୪୦୦ ମିଟରରେ ଗଜାନନ୍ଦ ମିସ୍ତ୍ରୀ (୪୭.୨୩) ରୌପ୍ୟ ଏବଂ ଜାଭେଲିନ୍‌ ଥ୍ରୋ’ରେ ରୋହିତ ଯାଦବ (୭୩.୩୩ ମିଟର) କାଂସ୍ୟ ପଦକ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର