ଅଂଶୁମାନ ସ୍ମାରକୀ କ୍ରିକେଟ୍‌: ପୂର୍ବତଟ ରେଳବାଇ ବିଜେତା

ଧର୍ମଶାଳା/ଚଢ଼େଇଧରା: ଧର୍ମଶାଳା ମହୋତ୍ସବ ପଡ଼ିଆରେ ଚାଲିଥିବା ଅଷ୍ଟମ ବାର୍ଷିକ ଅଂଶୁମାନ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍‌କୁ ୪ ଓ୍ଵିକେଟ୍‌ରେ ପରାସ୍ତ କରି ପୂର୍ବତଟ ରେଳବାଇ (ଖୋର୍ଧା) ବିଜେତା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ରାଇଜିଂ ଷ୍ଟୁଡେଣ୍ଟ୍‌ ୨୭.୨ ଓଭରରେ ୧୬୪ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ସୌଭାଗ୍ୟ ମିଶ୍ର ୩୩ ଓ ଦେବପ୍ରିୟ ପଟ୍ଟନାୟକ ୧୯ ରନ୍‌ କରିଥିଲେ। ରେଳବାଇ ଦଳର ତରୁଣ ସାହା ୩ ଓ ପ୍ରୟାସ ସିଂ ଠାକୁର ୨ ଓ୍ଵିକେଟ୍‌ ଦଖଲ କରିଥିଲେ। ଜବାବରେ ରେଳବାଇ ଦଳ ୨୮ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୬୬ ରନ୍‌ କରି ମ୍ୟାଚ୍‌ ଜିତି ଯାଇଥିଲା। ଅଙ୍କିତ ଯାଦବ ଅପରାଜିତ ୬୩ ଓ ରଣଜୀ ଖେଳାଳି ସୁଜିତ ଲେଙ୍କା ଅପରାଜିତ ୪୧ ରନ୍‌ କରିଥିଲେ। ରାଇଜିଂ ଷ୍ଟୁଡେଣ୍ଟ୍‌ ପକ୍ଷରୁ ସିଦ୍ଧାର୍ଥ ସିହ୍ନା ୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ବିଜେତା ଦଳର ଅଙ୍କିତ ଯାଦବ ଫାଇନାଲ୍‌ର ଏବଂ ଉପବିଜେତା ଦଳର ସିଦ୍ଧାର୍ଥ ସିହ୍ନା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଖେଳକୁ ରମେଶ ମହାରଣା ଓ ପ୍ରାଣନାଥ ଜେନା ପରିଚାଳନା କରିଥିବା ବେଳେ ଶୁଭାଶିଷ ଦାସ, ଶୁଭ୍ରଜିତ ଦାସ ଓ ଚିତ୍ତରଞ୍ଜନ ମହାନ୍ତି ସ୍କୋରର୍‌ ରହିଥିଲେ। ବୁବୁ ସିହ୍ନା, ଅବିନାଶ ସାମଲ ଓ ଜ୍ଞାନରଞ୍ଜନ ଘଡ଼େଇ ଧାରା ବିବରଣୀ ପ୍ରଦାନ କରିଥିଲେ।

ଅଂଶୁମାନ ସ୍ମାରକୀ ଟ୍ରଷ୍ଟ୍‌ର ସଭାପତି ବିଜୟ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ବିଜେତା ଦଳକୁ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କା ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଉପବିଜେତା ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ସଂଗୀତ ନିର୍ଦେଶକ ତଥା ଗାୟକ ଅଭିଜିତ୍‌ ମଜୁମ୍‌ଦାର, ଅଭିନେତା ବବି ମିଶ୍ର, ସିନେ ତାରକା ପ୍ରିୟା ଚୌଧୁରୀ, ଶୀତଲ ପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉତ୍ସବରେ ଦେବରାଜ ମିଶ୍ର ବାର୍ଷିକ ବିବରଣୀ, ସଦସ୍ୟ ସବ୍ୟସାଚୀ ସୁନ୍ଦରାୟ ଅତିଥି ପରିଚୟ ଓ ସୌମ୍ୟପ୍ରକାଶ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ। ଫାଇନାଲ୍‌ ମ୍ୟାଚ୍‌ରେ ଓଡ଼ିଶା ସାହିତ୍ୟ ଏକାଡେମି ସଦସ୍ୟ ରମାକାନ୍ତ ଜେନା ଉଭୟ ଦଳର ଖେଳାଳିଙ୍କ ସହ କରମର୍ଦ୍ଦନ କରି ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର