ବିସିସିଆଇ ଏଜିଏମ୍‌ରେ ଅନୁମୋଦନ: ‘ଅଲିମ୍ପିକ୍ସରେ କ୍ରିକେଟ୍‌’କୁ ବିସିସିଆଇ ‌ମୋହର

୨୦୨୨ରୁ ଆଇପିଏଲ୍‌ରେ ୧୦ ଦଳ, ଅମ୍ପାୟାର, ରେଫରି, ସ୍କୋରର୍‌ଙ୍କ ବୟସ ୬୦କୁ ବୃଦ୍ଧି

ଅହମ୍ମଦାବାଦ: ଆଗାମୀ ୨୦୨୨ ସଂସ୍କରଣରୁ ଆଇପିଏଲ୍‌ରେ ୧୦ ଦଳ ଖେଳିବେ। ଏଭଳି ଏକ ପ୍ରସ୍ତାବକୁ ଗୁରୁବାର ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଅନୁମୋଦନ ଦେଇଛି। ନବନିର୍ମିତ ମୋଟେରା ଷ୍ଟାଡିୟମ୍‌ରେ ଆୟୋଜିତ ୮୯ତମ ଏଜିଏମ୍‌ (ବାର୍ଷିକ ସାଧାରଣ ବୈଠକ)ରେ ବିସିସିଆଇ ପରିଚାଳନା ପରିଷଦ ଦୁଇଟି ନୂଆ ଫ୍ରାଞ୍ଚାଇଜ୍‌କୁ ସାମିଲ କରିବାର ନିଷ୍ପତ୍ତି ନେବା ପରେ ୨୦୨୨ରୁ ଆଇପିଏଲ୍‌ ୧୦ ଦଳୀୟ ହେବା ନିଶ୍ଚିତ ହୋଇଯାଇଛି। ଆଇପିଏଲ୍‌ରେ ୨ ଦଳ ବୃଦ୍ଧି ପ୍ରସଙ୍ଗ ଅନୁମୋଦନ ପାଇଥିଲା ବେଳେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକ୍ରମେ ବିସିସିଆଇ ମଧ୍ୟ ଆଗାମୀ ୨୦୨୮ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍ସରେ କ୍ରିକେଟ୍‌ର ସାମିଲକୁ ସମର୍ଥନ ଜଣାଇଛି। ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟିଠାରୁ ସ୍ପଷ୍ଟୀକରଣ ପାଇବା ପରେ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲକୁ ବିସିସିଆଇ ସମର୍ଥନ ଦେଇଛି। ସେହିପରି ଏଜିଏମ୍‌ରେ ବୋର୍ଡର ଉପସଭାପତି ପଦରେ ପୁରୁଖ‌ା କଂଗ୍ରେସ ନେତା ରାଜୀବ ଶୁକ୍ଳାଙ୍କ ଆନୁଷ୍ଠାନିକ ନିଯୁକ୍ତି ସଂପର୍କରେ ଘୋଷଣା କରିଛି ବିସିସିଆଇ। ସେ ଉତ୍ତରାଖଣ୍ଡର ମହିମ ବର୍ମାଙ୍କ ସ୍ଥାନ ନେବେ। ଏଥିସହିତ ବିସିସିଆଇରେ ଖାଲି ରହିଥିବା ୩ ପଦ (ଜଣେ ଉପସଭାପତି, ଆଇପିଏଲ୍‌ ପରିଚାଳନା ପରିଷଦର ୨ ସଦସ୍ୟ) ମଧ୍ୟ ଏଜିଏମ୍‌ରେ ପୂରଣ କରାଯାଇଛି। ରାଜୀବ ଶୁକ୍ଳା ଉପସଭାପତି ପଦକୁ ଫେରିଥିଲା ବେଳେ ବ୍ରିଜେଶ ପଟେଲ ଆଇପିଏଲ୍‌ ଅଧ୍ୟକ୍ଷ ପଦ ବଜାୟ ରଖିବେ ବୋଲି ଏଜିଏମ୍‌ରେ ମୋହର ଲାଗିଛି। ସେହିପରି ଆଇପିଏଲ୍‌ ପରିଚାଳନା ପରିଷଦରେ ନବଗଠିତ ଭାରତୀୟ କ୍ରିକେଟର୍ସ ସଂଘ (ଆଇସିଏ)ର ପ୍ରତିନିଧି ଭାବେ ପ୍ରଜ୍ଞାନ ଓଝାଙ୍କୁ ସୁରିନ୍ଦର ଖାନ୍ନାଙ୍କ ସ୍ଥାନରେ ନିଯୁକ୍ତିକୁ ବିସିସିଆଇ ମୋହର ଲାଗିଛି। କେବଳ ସେତିକି ନୁହେଁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇସିସି ବୋର୍ଡରେ ନିର୍ଦେଶକ ପଦ ବଜାୟ ରଖିବେ ବୋଲି ଏଜିଏମ୍‌ରେ ସ୍ଥିର କରାଯାଇଛି। ବିସିସିଆଇ ସଂପାଦକ ଜୟ ଶାହ ବିକଳ୍ପ ନିର୍ଦେଶକ ସାଙ୍ଗକୁ ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଭାରତର ପ୍ରତିନିଧିତ୍ବ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପୁଣି ଏଜିଏମ୍‌ରେ ଅମ୍ପାୟାର, ମ୍ୟାଚ୍‌ ରେଫରି ଏବଂ ସ୍କୋରର୍‌ଙ୍କ ଅବସର ବୟସ ସୀମାକୁ ୬୦ ବର୍ଷକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ବୟସ ସୀମା ୫୫ ବର୍ଷ ରହିଥିଲା।

ଘରୋଇ କ୍ରିକେଟର୍‌ଙ୍କ ପାଇଁ କ୍ଷତିପୂରଣ ପ୍ୟାକେଜ୍‌: ବୀମା ରାଶି ୧୦ ଲକ୍ଷକୁ ବୃଦ୍ଧି
ଆଇପିଏଲ୍‌ରେ ୧୦ ଦଳ ଖେଳିବା ଏବଂ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲକୁ ସମର୍ଥନ ବ୍ୟତୀତ ଗୁରୁବାର ଏଜିଏମ୍‌ରେ ଘରୋଇ କ୍ରିକେଟର୍‌ଙ୍କ ପାଇଁ ବଡ଼ ଖୁସୀ ଖବର ଆଣିଛି ବିସିସିଆଇ। କରୋନା ମହାମାରୀ ଯୋଗୁଁ ଘରୋଇ ଋତୁ ବାଧାପ୍ରାପ୍ତ ହୋଇଥିଲା ବେଳେ ଉଭୟ ପୁରୁଷ ଓ ମହିଳା ପ୍ରଥମ ଶ୍ରେଣୀ କ୍ରିକେଟର୍‌ଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ବିସିସିଆଇ ଏକ ପ୍ୟାକେଜ୍ ପ୍ରସ୍ତୁତ କରିବ। କରୋନା ଯୋଗୁଁ ପ୍ରାୟ ୯ ମାସ ବିଳମ୍ବିତ ପରେ ଏବେ ଘରୋଇ ଋତୁ ଆରମ୍ଭ କରିବାକୁ ବିସିସିଆଇ ଯୋଜନା କରିଛି। ଆସନ୍ତାବର୍ଷ ଜାନୁଆରିରେ ସୟଦ୍‌ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତାରୁ ଏହି ଋତୁ ଆରମ୍ଭ ହେବାର ସୂଚୀ ପ୍ରସ୍ତୁତ ମଧ୍ୟ ହୋଇଛି। ତେବେ କରୋନା ଯୋଗୁଁ ଯଦି ରଣଜୀ ଟ୍ରଫି ହେଉ ବା ବିଜୟ ହଜାରେ ଟ୍ରଫି ଆୟୋଜନ ହୋଇନପାରେ ତାହାଲେ ଖେଳାଳିମାଙ୍କୁ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଥିବା ସଂପାଦକ ଜୟ ଶାହ ସୂଚନା ଦେଇଛନ୍ତି। ଅନ୍ୟ ଏକ ଭଲ ଖବର ହେଲା ବିସିସିଆଇ ମଧ୍ୟ କ୍ରିକେଟର୍‌ଙ୍କ ବୀମା ରାଶି ପରିମାଣକୁ ୫ରୁ ୧୦ ଲକ୍ଷକୁ ବୃଦ୍ଧି କରିଛି।

ଆଇପିଏଲ୍‌ ବେଳେ କନିଷ୍ଠ ଓ ମହିଳା କ୍ରିକେଟ୍‌
କରୋନା ପାଇଁ ଘରୋଇ କ୍ରିକେଟ୍‌ ବାଧାପ୍ରାପ୍ତ ହୋଇଥିବା ବେଳେ କନିଷ୍ଠ ଓ ମହିଳା ବର୍ଗର ପ୍ରତିଯୋଗିତାକୁ ଆଇପିଏଲ୍‌-୧୪ ବେଳେ ଆୟୋଜନ କରାଯିବ। କନିଷ୍ଠ ବର୍ଗର ୧୬, ୧୯ ଓ ୨୩ ବ‌ର୍ଷରୁ କମ୍‌ ବର୍ଗରେ ଅନ୍ୟୁନ ଗୋଟିଏ ଲେଖାଏଁ ପ୍ରତିଯୋଗିତା ଖେଳାଯିବ। ପୂର୍ବ ଘୋଷିତ ସୂଚୀ ଅନୁସାରେ କିନ୍ତୁ ପୁରୁଷଙ୍କ ବରିଷ୍ଠ ବର୍ଗର ସୟଦ ମୁସ୍ତାକ ଅଲୀ ଟ୍ରଫି ଏବଂ ରଣଜୀ ଟ୍ରଫି ଖୁବ୍ ଶୀଘ୍ର ଖେଳାଯିବାକୁ ଯାଉଛି।

ଗାଙ୍ଗୁଲିଙ୍କ ଦ୍ବୈତ ସ୍ବାର୍ଥ ପ୍ରସଙ୍ଗ ଉଠିଲାନି
ବିସିସିଆଇ ପ୍ରାୟୋଜକକୁ ନେଇ ଦ୍ବୈତ ସ୍ବାର୍ଥ ପ୍ରସଙ୍ଗରେ ପଡ଼ିଥିବା ସଭାପତି ସୌରଭ ଗାଙ୍ଗୁଲିଙ୍କ ନାମରେ କିନ୍ତୁ ଗୁରୁବାର ଏଜିଏମ୍‌ରେ କେହି ସ୍ବର ଉଠାଇନଥିଲେ। ବିସିସିଆଇ ସଭାପତି ହେବା ପରେ ଗାଙ୍ଗୁଲି ବହୁ ବିଜ୍ଞାପନରେ ଲିପ୍ତ ହୋଇଥିବା ବେଳେ ସେଥି ମଧ୍ୟରେ କେତେକ ବିସିସିଆଇ ପ୍ରା‌‌ୟୋଜକ ରହିଥିବାରୁ କିଛି ସଦସ୍ୟ ଅସନ୍ତୁଷ୍ଟ ଥିଲେ।

ସମ୍ବନ୍ଧିତ ଖବର