ପୁଲ୍‌ ‘ଏ’ରେ ଆର୍ଜେଣ୍ଟିନା ଦାବିଦାର

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ଆଉ ମାତ୍ର ୩ ଦିନ ପରେ ଉଦ୍‌ଘାଟିତ ହେବ। ବୁଧବାର ୧୫,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ କଳିଙ୍ଗ ହକି କଂପ୍ଲେକ୍ସରେ ଷ୍ଟିକ୍ ଚାଳନା ଆରମ୍ଭ ହେବା ପୂର୍ବରୁ ଅର୍ଧାଧିକ ଦଳ ଭୁବନେଶ୍ବରରେ ପହଞ୍ଚିସାରିଛନ୍ତି। ଅଂଶଗ୍ରହଣକାରୀ ୧୬ ଦେଶକୁ ୪ ପୁଲ୍‌ରେ ବିଭକ୍ତ କରାଯାଇଛି। କେବଳ ପୁଲ୍ ବିଜେତା ସିଧାସଳଖ ‌କ୍ବାର୍ଟରଫାଇନାଲ୍‌ ଖେଳିବା ବ୍ୟବସ୍ଥା ଥିବାବେଳେ ଚତୁର୍ଥ ତଥା ଶେଷ ସ୍ଥାନ ପାଇବା ଦେଶ ଏହି ପର୍ଯ୍ୟାୟରୁ ସ୍ବଦେଶ ଫେରିବ। ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଦଖଲକାରୀ ଦଳଗୁଡ଼ିକୁ ନେଇ ଅତିରିକ୍ତ କ୍ରସ ଓଭର ତଥା ପ୍ଲେ ଅଫ୍‌ ଖେଳାଯିବ। ଯେଉଁଥିରୁ ଅବଶିଷ୍ଟ ୪ କ୍ବାର୍ଟର ଫାଇନାଲିଷ୍ଟ ବାହାରିବେ। ଫଳରେ ଅଧିକାଂଶ ଦଳ ପାଇଁ ଶେଷ ପର୍ଯ୍ୟନ୍ତ ଦ୍ବାର ଉନ୍ମୁକ୍ତ ରହିବ। ସେହି ଦୃଷ୍ଟିରୁ ପ୍ରତିଟି ମ୍ୟାଚ୍ ରୋମାଞ୍ଚକ ଏବଂ ଗୁରୁତ୍ବବହନ କରିବ। ‘ସମ୍ବାଦ’ ପକ୍ଷରୁ ଗୋଟିଏ ପରେ ଗୋଟିଏ ପୁଲର ସମ୍ଭାବନା ଓ ସାମର୍ଥ୍ୟ ସମ୍ପର୍କରେ ଆଲୋଚନା କରାଯାଉଛି। ପୁଲ ‘ଏ’ରେ ଅଛନ୍ତି ରିଓ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ସହିତ ସ୍ପେନ, ନ୍ୟୁଜିଲାଣ୍ଡ ଏବଂ ଫ୍ରାନ୍ସ। ଏହି ପୁଲ୍‌ରେ ଆର୍ଜେଣ୍ଟିନାକୁ ଦୃଢ଼ ଦାବିଦାର କୁହାଯାଉଛି। ହକି ଦେଶ ଭାବେ ବିଗତ କିଛି ବର୍ଷ ମଧ୍ୟରେ ଉତ୍‌ଥାନ ପଥରେ ରହିଥିବା ଆର୍ଜେଣ୍ଟିନା ରିଓ ଚମକ ପରଠାରୁ ବି ଚମତ୍କାର ଖେଳିଆସୁଛି। ସିଂହ ଭାବେ ପରିଚିତ ଏହି ଲସ୍ ଲିଓନ୍ସ ଦେଶ ମଧ୍ୟ କିଛି ଚମତ୍କାର ଖେଳାଳିଙ୍କୁ ପାଇଛି। ଲୁକାସ ଭିଲା ଶ୍ରେଷ୍ଠ ଆକ୍ରାମକ ଅଗ୍ରଭାଗ ଏବଂ ଗଞ୍ଜାଲୋ ପିଲାଟ ଅନ୍ୟତମ ଉତ୍କୃଷ୍ଟ ପେନାଲଟି କର୍ନର ଡ୍ରାଗ୍ ଫ୍ଲିକର ରହିଛନ୍ତି। କିନ୍ତୁ ଏହି ପୁଲ୍‌ରେ ଥିବା ଅନ୍ୟ ୩ ଦେଶ ମଧ୍ୟ ପାନ୍‌ ଆମେରିକା ବିଜେତା ଆର୍ଜେଣ୍ଟିନାକୁ ଚକ୍‌ମା ଦେବାକୁ ଯୋଜନା କରିଛନ୍ତି।
ସ୍ପେନ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଫ୍ରେଡେରିକ୍ ସୋୟେଜଙ୍କ ମତରେ ପଦକ ଦାବିଦାର ହୋଇ ଆସିଥିବା ଆମ ଦଳର ଖେଳାଳି ଚୟନ ଆଶାକୁ ନିଶ୍ଚିତ ଯଥାର୍ଥତା ସାବ୍ୟସ୍ତ କରିପାରିବ। ୨୦୦ରୁ ଊର୍ଧ୍ବ ମ୍ୟାଚ୍ ଖେଳି ସାରିଥିବା ଗୋଲରକ୍ଷକ କ୍ୟୁକୋ କୋର୍ଟସଙ୍କ ସହିତ ସର୍ଜି ଏନରିକ, ମିଗୁଏଲ୍‌ ଡେଲାସ, ପାଉ କ୍ୟୁମଡ଼ାଙ୍କ ଅଭିଜ୍ଞତା ନିଶ୍ଚିତ ଦଳକୁ ଫାଇଦା ଦେବ। ଈଶ୍ବର ପ୍ରଦତ୍ତ ଯୁବ ଆକ୍ରାମକ ଖେଳାଳି ଏନ୍‌ରିକ ଗଞ୍ଜାଲ୍ସ ନିଶ୍ଚିତ ଯେ‌ କୌଣସି ଦଳ ପାଇଁ ବିପଜ୍ଜନକ ସାବ୍ୟସ୍ତ ‌ହୋଇପାରିବେ। ବ୍ଲାକ୍‌ ଷ୍ଟିକ୍ ଦଳ ନ୍ୟୁଜିଲାଣ୍ଡ ପାଖରେ ନିଶ୍ଚିତ କିଛି ବିଶ୍ବସ୍ତରୀୟ ଖେଳାଳି ରହିଛନ୍ତି। ଅଧିନାୟକ ବ୍ଲେୟାର ଟେରାଣ୍ଟଙ୍କ ନେତୃତ୍ବାଧୀନ ଦଳ ମ୍ୟାଚ୍ ଦିବସରେ କିଛି ବି ଆଶ୍ଚର୍ଯ୍ୟ ସୃଷ୍ଟି କରିବାର ସାମର୍ଥ୍ୟ ରଖିଛି। ଲମ୍ବା ଚେହେରାର ଡିଫେଣ୍ଡର ତଥା ପେନାଲଟି କର୍ନର ବିଶେଷଜ୍ଞ ଭିକ୍ଟର ଚାର୍ଲେଟ ଫ୍ରାନ୍ସର ୨୮ ବର୍ଷ ବିଶ୍ବକପ୍ ପ୍ରତ୍ୟାବର୍ତନକୁ ସ୍ମରଣୀୟ ରଖିବା ଆଶାରେ ଭୁବନେଶ୍ବର ଆସିଛନ୍ତି। ୧୯୭୧ ଏବଂ ୧୯୯୦ରେ ଦୁଇ ଥର ବିଶ୍ବକପ୍ ଖେଳିଥିବା ଫ୍ରାନ୍ସ ଉଭୟ ଥର ସପ୍ତମରେ ରହିଥିଲା।

ସମ୍ବନ୍ଧିତ ଖବର