ପଦ ବଜାୟ ରଖିବେ ଅରୁଣ; ଆଶଙ୍କାରେ ବାଙ୍ଗର

ବିସିସିଆଇ ସହକାରୀ ପ୍ରଶିକ୍ଷକ ପରିବର୍ତନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହିତ ସହକାରୀ ପ୍ରଶିକ୍ଷକ ଭାରତ ଅରୁଣ, ଆର୍‌ ଶ୍ରୀଧର ଏବଂ ସଞ୍ଜୟ ବାଙ୍ଗରଙ୍କ କାର୍ଯ୍ୟକାଳ ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳା ପରେ ପରେ ଶେଷ ହୋଇଯିବ। ଏମାନଙ୍କ ପ୍ରକୃତ କାର୍ଯ୍ୟକାଳ ବିଶ୍ବକପ୍‌ ପରେ ଶେଷ ‌ହେଉଥିଲେ ମଧ୍ୟ ବିସିସିଆଇ ଆଉ ୪୫ ଦିନ ବୃଦ୍ଧି କରିଛି। ଏହା ମଧ୍ୟରେ ବିସିସିଆଇ ମଧ୍ୟ ବିଭିନ୍ନ ପ୍ରଶିକ୍ଷକ ପଦ ପାଇଁ ସାନି ଆବେଦନ ଆହ୍ବାନ କରିଛି। ଚଳିତ ମାସ ୩୦ ତାରିଖକୁ ଆବେଦନ ଆହ୍ବାନର ଶେଷ ସମୟ ଭାବେ ଧାର୍ଯ୍ୟ କରାଯାଇଥିଲା ‌ବେଳେ ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ନୂଆ ପ୍ରଶିକ୍ଷକ ନିଯୁକ୍ତ ପ୍ରକ୍ରିୟା ଶେଷ ହେବ ବୋଲି ଗୁରୁବାର ସଂକେତ ‌ଦେଇଛି। ତେବେ ମୁଖ୍ୟ ପ୍ରଶିକ୍ଷକ ଦୌଡ଼ରେ ଶାସ୍ତ୍ରୀ ଆଗରେ ରହିଥିଲା ‌ବେଳେ ତାଙ୍କୁ ପରିବର୍ତନ କରିବା ବିପଜ୍ଜନକ ବୋଲି କେତେକ ମତ ରଖିଛନ୍ତି। ସେହିପରି ଏବର ‌ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ପଦ ବଜାୟ ରଖିବାରେ ପସନ୍ଦ ପାଲଟି ଯାଇଥିଲା ବେଳେ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର୍‌ ଶ୍ରୀଧର ମଧ୍ୟ ପଦ ବଜାୟ ରଖିବା ସମ୍ଭାବନା ରହିଛି। ଯଦିଓ ଦକ୍ଷିଣ ଆଫ୍ରିକୀୟ ତାରକା ଜଣ୍ଟି ରୋଡ୍‌ସ ଏହି ପଦ ପାଇଁ ଆବେଦନ କରିଛନ୍ତି, ତଥାପି ଶ୍ରୀଧର ଦୌଡ଼ରେ ରହି‌ବେ ବୋଲି ଜଣାପଡ଼ିଛି। ହେଲେ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗରଙ୍କୁ ନେଇ ଆଶଙ୍କା ଜାରି ରହିଛି। ସେ ପଦ ବଜାୟ ରଖିବା ସହଜ ହେବନି ବୋଲି କୁହାଯାଉଛି। ବିସିସିଆଇର ନୂଆ ବ୍ୟବସ୍ଥା‌ବଳୀ ଅନୁଯାୟୀ, କପିଳ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ନୂଆ କ୍ରିକେଟ୍‌ ପରାମର୍ଶଦାତା କମିଟି ମୁଖ୍ୟ ପ୍ରଶିକ୍ଷକ ବାଛିବା ଦାୟିତ୍ବ ପାଇଥିଲା ‌ବେଳେ ମନୋନୟନ କମିଟି ଅବଶିଷ୍ଟ ସହକାରୀ ପ୍ରଶିକ୍ଷକମାନଙ୍କୁ ସାକ୍ଷାତକାର ଜରିଆରେ ଚୟନ କରିବ। ଅରୁଣଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ଦଳର ପେସ୍‌ ବୋଲରମାନେ ପ୍ରତ୍ୟେକ ଫର୍ମାଟ୍‌ରେ ଭଲ ପ୍ରଦର୍ଶନ ଦେଇ ଆସିଛନ୍ତି। ଏହି ଦୃଷ୍ଟିରୁ ଅରୁଣ ପଦ ବଜାୟ ରଖିବା ନେଇ ମନୋନୟନ କମିଟିର ପ୍ରଥମ ପସନ୍ଦ ହେବେ ବୋଲି ଜଣାପଡ଼ିଛି। ଗତ ୧୮ରୁ ୨୦ ମାସ ଧରି ଅରୁଣଙ୍କ ପ୍ରଶିକ୍ଷଣରେ ବୋଲରମାନେ ଦମ୍‌ଦାର ପ୍ରଦର୍ଶନ କରିଆସିଛନ୍ତି। ଯେଉଁଥିପାଇଁ କ୍ରିକେଟ୍‌ର ଲମ୍ବା ଫର୍ମାଟ୍‌ରେ ବି ଭାରତୀୟ ବୋଲିଂ ଆକ୍ରମଣକୁ ଶ୍ରେଷ୍ଠ ବୋଲି କୁହାଯାଉଛି। ବିଶେଷକରି ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ସ୍ଥିର ପ୍ରଦର୍ଶନ ପାଇଁ ଶ୍ରେୟ ଅରୁଣଙ୍କୁ ମିଳିଛି। ତେଣୁ ଅରୁଣଙ୍କୁ ପଦରୁ ପରିବର୍ତନ କରିବା ମନୋନୟନକର୍ତାଙ୍କ ପାଇଁ କଷ୍ଟକର ହୋଇପାରେ ବୋଲି ଶୁକ୍ରବାର ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି ସାଂପ୍ରତିକ ଦଳରେ କ୍ଷେତ୍ରରକ୍ଷଣରେ ବିଶେଷ ଦୁର୍ବଳତା ସାମ୍‌ନାକୁ ଆସିନଥିବାରୁ ଶ୍ରୀଧର ଫାଇଦାରେ ରହିବେ। ଅରୁଣଙ୍କ ଭଳି ସେ ମଧ୍ୟ ପଦ ବଜାୟ ରଖିବା ସମ୍ଭାବନା ଅଧିକ। ହେଲେ ବାଙ୍ଗରଙ୍କ କ୍ଷେତ୍ରରେ ସମାନ ସମ୍ଭାବନା ନାହିଁ। ତାଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବାଙ୍ଗର ଦଳର ମଧ୍ୟକ୍ରମ ସଜାଡ଼ିବାରେ ସପୂର୍ଣ୍ଣ ବିଫଳ ହୋଇଛନ୍ତି। ବାଙ୍ଗରଙ୍କ ପଦ ସମ୍ଭାଳିବା ପୂର୍ବରୁ ବିରାଟ କୋହଲି ଓ ରୋହିତ ଶର୍ମା ତ ଭଲ ପ୍ରଦର୍ଶନ ଦେଇ ଆସୁଥିଲେ। ତେଣୁ ସେମାନଙ୍କ ସଫଳତା ପାଇଁ ବାଙ୍ଗରଙ୍କ ‌କୌଣସି ଭୂମିକା ନଥିବା ବିଚାର କରାଯାଉଛି। ବରଂ ମଧ୍ୟକ୍ରମରେ ସନ୍ତୁଳନ ଆଣିବା ତାଙ୍କ ଦାୟିତ୍ବ ଥିଲା। ଯାହାକୁ କି ସେ ସଜାଡ଼ି ପାରିଲେନି। ଫଳରେ ବିଶ୍ବକପ୍‌ରେ ଦଳ ମଧ୍ୟକ୍ରମରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଏବଂ ସେମିଫାଇନାଲ୍‌ ହାରି ବିଦାୟ ନେବା ଏକ କାରଣ ଥିଲା। ପୁଣି ନ୍ୟୁଜିଲାଣ୍ଡ୍‌ ବିପକ୍ଷ ବିଶ୍ବକପ୍‌ ସେମିଫାଇନାଲ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କୁ ୭ ନମ୍ବରରେ ବ୍ୟାଟିଂ ପାଇଁ ପଠାଇବାର ନିଷ୍ପତ୍ତି ବାଙ୍ଗରଙ୍କୁ ସମାଲୋଚନାର ଶିକାର ହେବା ପାଇଁ ଯଥେଷ୍ଟ ଥିଲା। ଏହା ହିଁ ବାଙ୍ଗରଙ୍କ ବିପକ୍ଷରେ ଯିବ ଏବଂ ସେ ପଦ ବଜାୟ ରଖିବା ଆଶଙ୍କା ବଢ଼ିବଢ଼ି ଚାଲିଛି ବୋଲି ବିସିସିଆଇର ସଂପୃକ୍ତ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର