ଅଶ୍ବିନ ଖୁବ୍‌ ଶୀଘ୍ର ଦଳ ସହ ଯୋଗଦେବେ: ଦ୍ରାବିଡ, ପନ୍ତ୍ ଓ ଆୟର ଲିସେଷ୍ଟରରେ ପହଞ୍ଚିଲେ

ଦ୍ରାବିଡ, ପନ୍ତ୍ ଓ ଆୟର ଲିସେଷ୍ଟରରେ ପହଞ୍ଚିଲେ

ବାଙ୍ଗାଲୋର: ସ୍ପିନ୍‌ ଅଲ୍‌ରାଉଣ୍ଡର ରବିଚନ୍ଦ୍ରନ୍‌ ଅଶ୍ବିନ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ଫଳରେ ସେ ଟେଷ୍ଟ୍‌ ଦଳ ସହ ଇଂଲଣ୍ଡ ଗସ୍ତ କରିନାହାନ୍ତି ବୋଲି ସୋମବାର ଭାରତୀୟ କ୍ରିକେଟ୍‌ ବୋର୍ଡ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ପରୀକ୍ଷା ରିପୋର୍ଟ କୋଭିଡ ପଜିଟିଭ୍‌ ଆସିବାରୁ ଅଶ୍ବିନ ଏବେ ସଂଗରୋଧରେ ରହିଛନ୍ତି। ତେବେ ଖୁବ୍‌ ଶୀଘ୍ର ସେ ଲିସେଷ୍ଟରସାୟାରରେ ଦଳ ସହ ଯୋଗଦେବେ ବୋଲି ବିସିସିଆଇ କହିଛି। ସମସ୍ତ କୋଭିଡ୍‌ ସଂପର୍କିତ ପ୍ରୋଟୋକଲ ପୂରଣ କରିବା ପରେ ଦୁଇ ଦିନ ମଧ୍ୟରେ ଇଲଣ୍ଡ ଗସ୍ତ କରିବେ। ଭାରତୀୟ ଦଳ ଗତ ୧୬ ତାରିଖରେ ଲଣ୍ଡନ ଗସ୍ତ କରିଥିଲା। ହେଲେ ଦଳ ଯିବାର ଅବ୍ୟବହିତ ପୂର୍ବରୁ ଅଶ୍ବିନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ହେଲେ ଜୁଲାଇ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏଜ୍‌ବାଷ୍ଟନ (ବର୍ମିଙ୍ଗ୍‌ହାମ୍‌) ଟେ‌ଷ୍ଟ୍‌ ପୂର୍ବରୁ ସେ ସୁସ୍ଥ ହୋଇଯିବାର ଆଶା ରଖିଛୁ ବୋଲି ବିସିସିଆଇ କହିଛି। ତେବେ ଅଶ୍ବିନ ଲିସେଷ୍ଟରସାୟାର ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ରହିବେ। ତାଙ୍କ ବ୍ୟତୀତ ଦଳର ଅନ୍ୟ ସମସ୍ତ ଖେଳାଳି ଲିସେଷ୍ଟରରେ ପହଞ୍ଚିସାରି ବୋଲିଂ ପ୍ରଶିକ୍ଷକ ପାରସ ମାହାମ୍ବ୍ରେ ଏବଂ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରଠୋରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଯଦି ଅଶ୍ବିନ ସୁସ୍ଥ ନହୁଅନ୍ତି, ତାହାଲେ ତାଙ୍କ ବଦଳ ଖେଳାଳି ଭାବେ ହରିୟାଣା ସ୍ପିନର ଜୟନ୍ତ ଯାଦବଙ୍କୁ ଷ୍ଟାଣ୍ଡ୍‌ ବାଇ ଭାବେ ରଖାଯାଇଛି। ତାଙ୍କୁ ଇତି ମଧ୍ୟରେ ବାଙ୍ଗାଲୋରର ଏନ୍‌ସିଏକୁ ଡକରା ମିଳିଛି। ଏଠାରେ ସୂଚନାଯୋଗ୍ୟ, ଟେଷ୍ଟ୍‌ ଫର୍ମାଟ୍‌ରେ ଭାରତର ସର୍ବା‌ଧିକ ସଫଳ ସ୍ପିନର ଭାବେ ଅଶ୍ବିନ ୮୬ ମ୍ୟାଚ୍‌ରୁ ୪୪୨ ୱିକେଟ୍‌ ଦଖଲ କରିସାରିଛନ୍ତି।

ଦ୍ରାବିଡ, ପନ୍ତ୍ ଓ ଆୟର ଲିସେଷ୍ଟରରେ ପହଞ୍ଚିଲେ
ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳା ଶେଷ ହେବା ପରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ୱିକେଟ୍‌ରକ୍ଷକ/ବ୍ୟାଟର ଋଷଭ ପନ୍ତ୍‌ ଏବଂ ଶ୍ରେୟସ ଆୟର ଲିସେଷ୍ଟରରେ ଭାରତୀୟ ଦଳ ସହ ଯୋଗଦେଇସାରିଛନ୍ତି। ରବିବାର ପଞ୍ଚମ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପରେ ସୋମବାର ଏହି ତିନି ଜଣ ବାଙ୍ଗାଲୋରରୁ ଲଣ୍ଡନ ଯାତ୍ରା କରିଥିଲେ।

ଆୟର୍ଲାଣ୍ଡ୍‌ ଯାଇଥିବା ଦଳ ଇଂଲଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ
ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟାଙ୍କ ନେତୃତ୍ବରେ ଆୟର୍ଲାଣ୍ଡ୍‌ ଗସ୍ତ କରିଥିବା ଭାରତୀୟ ଟ୍ବେଣ୍ଟି-୨୦ ଦଳ ସେଠାରେ ଦୁଇଟି ମ୍ୟାଚ୍‌ ଖେଳିବ। ଆସନ୍ତା ୨୬ ଓ ୨୮ ତାରିଖରେ ଡବ୍‌ଲିନ୍‌ରେ ଏହି ଦୁଇଟିଯାକ ମ୍ୟାଚ୍‌ ଖେଳାଯିବ। ଏହାପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଧଳାବଲ୍‌ କ୍ରିକେଟ୍‌ ଖେଳିବାର ସୂଚୀ ମଧ୍ୟ ରହିଛି। ଜୁଲାଇ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଏକମାତ୍ର ଟେଷ୍ଟ୍‌ ଖେଳିସାରିବାର ଦୁଇଦିନ ପରେ ତଥା ଜୁଲାଇ ୭ରେ ଭାରତ-ଇଂଲଣ୍ଡ ଶୃଙ୍ଖଳାର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ତେବେ ଟେଷ୍ଟ୍‌ ଖେଳାଳିମାନେ ହଠାତ୍‌ ଲମ୍ବା ଫର୍ମାଟ୍‌ (ଟେଷ୍ଟ୍‌)ରୁ ଫଟାଫଟ ଫର୍ମାଟ୍‌ (ଟ୍ବେଣ୍ଟି-୨୦) ସହ ଖାପଖୁଆଇବା ସହଜ ନୁହେଁ ବୋଲି ବିସିସିଆଇ ଅନୁଭବ କରିଛି। ତେଣୁ ଏଭଳି ସ୍ଥିତିରେ ଆୟର୍ଲାଣ୍ଡ୍‌ ଗସ୍ତରେ ଯାଇଥିବା ଦଳର ଖେଳାଳିମାନେ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିପାରିବେ ବୋଲି ବିସିସିଆଇ ଯୋଜନା କରିଛି। ତେଣୁ ଆ‌ୟର୍ଲାଣ୍ଡ୍‌ ଶୃଙ୍ଖଳା ପରେ ଖେଳାଳିମାନଙ୍କୁ ଇଂଲଣ୍ଡ ଗସ୍ତ କରିବାକୁ ବିସିସିଆଇ କହିଛି। ଟେଷ୍ଟ୍‌ ମ୍ୟାଚ୍‌ ସମୟରେ ସ୍ଥାନୀୟ ଦଳ ସହ ଦୁଇଟି ଟ୍ବେଣ୍ଟି-୨୦ ଅଭ୍ୟାସ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଆୟର୍ଲାଣ୍ଡ୍‌ ଗସ୍ତରୁ ଫେରିଥିବା ଦଳ ସେହି ମ୍ୟାଚ୍‌ ଖେଳିବ। ଅବଶ୍ୟ ବିସିସିଆଇର ମନୋନୟନ କମିଟି ଏପର୍ଯ୍ୟନ୍ତ ଇଂଲଣ୍ଡ ଗସ୍ତ ପାଇଁ ଧଳାବଲ୍‌ ଶୃଙ୍ଖଳାର ଦଳ ଘୋଷଣା କରିନି।

ସମ୍ବନ୍ଧିତ ଖବର