ଏସୀୟ ମୁଷ୍ଟିଯୁଦ୍ଧ: ସ୍ବର୍ଣ୍ଣ ଜିତିଲେ ଅମିତ ଓ ପୂଜା, ୧୩ ପଦକ ସହ ଭାରତର ଅଭିଯାନ ଶେଷ

ବ୍ୟାଙ୍କକ୍‌: ଏଠାରେ ଚାଲିଥିବା ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ୬ ଜଣ ଭାରତୀୟ ଯୋଦ୍ଧା ଫାଇନାଲ୍‌ ପ୍ରବେଶ କରିଥିଲା ବେଳେ ‌ସେମାନଙ୍କ ମଧ୍ୟରୁ ଶୁକ୍ରବାର ପୁରୁଷ ବର୍ଗରେ ଅମିତ ପଂଘଲ (୫୨ କେଜି) ଏବଂ ମହିଳାରେ ପୂଜା ରାଣୀ (୮୧ କେଜି) ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। ଗତବର୍ଷ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ଜିତିଥିବା ଅମିତ ଏଠାରେ କୋରିଆର କିମ୍‌ ଇନ୍‌କ୍ୟୁଙ୍କୁ ଫାଇନାଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ। ଏହା ମଧ୍ୟ ଅମିତ୍‌ଙ୍କର ଚଳିତ ବର୍ଷ କ୍ରମାଗତ ଦ୍ବିତୀୟ ସ୍ବର୍ଣ୍ଣ ଥିଲା। ଏହା ପୂର୍ବରୁ ଗତ ଫେବ୍ରୁଆରିରେ ସେ ବୁଲ୍‌ଗେରିଆରେ ଅନୁଷ୍ଠିତ ଷ୍ଟ୍ରାଞ୍ଜା ସ୍ମାରକୀ ପ୍ରତିଯୋଗିତାରେ ମଧ୍ୟ ସ୍ବର୍ଣ୍ଣ ପଦକ କରାୟତ କରିଥିଲେ। ଅନ୍ୟପକ୍ଷରେ ୨୦୧୨ ସଂସ୍କରଣରେ ରୌପ୍ୟ ଜିତିଥିବା ୨୮ ବର୍ଷ ବୟସ୍କା ପୂଜା ଏଥର ଫାଇନାଲ୍‌ରେ ବିଶ୍ବ ବିଜୟିନୀ ଚୀନ୍‌ର ୱାଙ୍ଗ୍‌ ଲିନାଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ କବ୍‌ଜା କରିନେଇଥିଲେ। ଏହା ପୂର୍ବରୁ ପୂଜା ୨୦୧୪ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିଲେ।

ଅମିତ ଓ ପୂଜା ଭାରତକୁ ସ୍ବର୍ଣ୍ଣ ପଦକ ‌ଭେଟି ଦେଇଥିଲା ବେଳେ ଜାତୀୟ ବିଜେତା ଦିପକ୍‌ ସିଂହ (୪୯ କେଜି), କବିନ୍ଦର ବିସ୍ତ (୫୬ କେଜି) ଏବଂ ଆଶିଷ କୁମାର (୭୫ କେଜି) ପୁରୁଷ ବର୍ଗରେ ଏବଂ ଜାତୀୟ ବିଜୟିନୀ ସିମ୍ରନ୍‌ଜିତ୍‌ କୌର (୬୪ କେଜି) ମହିଳା ବର୍ଗରେ ନିଜ ନିଜ ଫାଇନାଲ୍‌ ଲଢ଼େଇ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଏଥି ସହିତ ପ୍ରଥମ ଥର ଲାଗି ଉଭୟ ପୁରୁଷ ଓ ମହିଳା ବର୍ଗରେ ଆୟୋଜିତ ଏସୀୟ ପ୍ରତିଯୋଗିତାରେ ୧୩ ପଦକ ସହ ଭାରତର ଅଭିଯାନ ଶେଷ ହୋଇଛି। ସେଥିରେ ୨ ସ୍ବର୍ଣ୍ଣ, ୪ ରୌପ୍ୟ ଏବଂ ୭ କାଂସ୍ୟ ପଦକ ସାମିଲ ରହିଛି। ପୁରୁଷ ବର୍ଗରେ ଶିବ ଥାପ୍ପା (୬୦ କେଜି), ଆଶିଷ (୬୯ କେଜି) ଓ ସତୀଶ କୁମାର (+୯୧ କେଜି) ଏବଂ ମହିଳାରେ ଏଲ୍‌ ସରିତା ଦେବୀ (୬୦ କେଜି), ମନୀଷା (୫୪ କେଜି), ନିଖତ୍‌ ଜାରିନ୍‌ (୬୧ କେଜି) ଓ ସୋନିଆ ଚହଲ୍‌ (୫୭ କେଜି) କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଫଳରେ ଏଥର ଭାରତକୁ ପୁରୁଷରେ ୭ (୧ ସ୍ବର୍ଣ୍ଣ, ୩ ଲେଖାଏଁ ରୌପ୍ୟ ଓ କାଂସ୍ୟ) ଏବଂ ମହିଳାରେ ୬ (୧ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୪ କାଂସ୍ୟ) ପଦକ ମିଳିଛି। ପୂର୍ବରୁ ଏସୀୟ ପ୍ରତିଯୋଗିତାରେ ଭାରତୀୟ ପୁରୁଷଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୨୦୦୯ରେ ରହିଥିଲା। ଯେଉଁଥିରେ କି ଭାରତକୁ ୭ (ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ, ୪ କାଂସ୍ୟ) ପଦକ ମିଳିଥିଲା। ସେହିଭଳି ମହିଳାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୨୦୦୫ରେ ରହିଥିଲା। ସେଥର ମହିଳାମାନେ ୭ ସ୍ବର୍ଣ୍ଣ ସହ ମୋଟ ୧୧ ପଦକ ପାଇ ପ୍ରଥମ ସ୍ଥାନ ଅକ୍ତିଆର କରିନେଇଥିଲେ।

ସମ୍ବନ୍ଧିତ ଖବର