ଏସୀୟ ମୁଷ୍ଟିଯୁଦ୍ଧ:ମେରି କମ୍‌, ସୋନିଆ ଫାଇନାଲ୍‌ରେ

ସରିତା, ଶିଖା ଓ ପ୍ରିୟଙ୍କା କାଂସ୍ୟରେ ସନ୍ତୁଷ୍ଟ

ହୋ ଚି ମିନ୍‌ ସିଟି (ଭିଏତ୍‌ନାମ): ପାଞ୍ଚ ଥର ବିଶ୍ୱ ବିଜୟିନୀ ଏମ୍‌ସି ମେରିକମ୍‌ଙ୍କ ସାଙ୍ଗକୁ ସୋନିଆ ଲାଥେର୍‌ ଏଠାରେ ଚାଲିଥିବା ଏସୀୟ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତିି। ମେରି କମ୍‌ ୪୮ କେଜି ବର୍ଗ ସେମିଫାଇନାଲ୍‌ରେ ଜାପାନର ସୁବାସା କୋମୁରାଙ୍କୁ ୫-୦ରେ ପରାସ୍ତ କରି ପଞ୍ଚମ ଥର ଲାଗି ଫାଇନାଲ୍‌ ପ୍ରବେଶ କରିଛନ୍ତି। ୬ ଥର ଏସୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ମେରି କମ୍‌ ଏଥି ସହିତ ପଞ୍ଚମ ସ୍ୱର୍ଣ୍ଣ ପଦକ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଅବଶ୍ୟ ଏହା ପୂର୍ବରୁ ୫ ବର୍ଷ ଧରି ମେରି କମ୍‌ ୫୧ କେଜି ବର୍ଗରେ ଲଢ଼ିଥିଲା ବେଳେ ଏଥର ଜିତିଲେ ୪୮ କେଜିରେ ପ୍ରଥମ ଏସୀୟ ସ୍ୱର୍ଣ୍ଣ କରାୟତ କରିବେ।

ଆସନ୍ତାକାଲି ଫାଇନାଲ୍‌ରେ ମେରି କମ୍‌ଙ୍କ ଲଢ଼େଇ ଉତ୍ତର କୋରିଆର କିମ୍‌ ହ୍ୟାଙ୍ଗ୍‌ ମି’ଙ୍କ ସହ ହେବ। ଅନ୍ୟ ଭାରତୀୟ ଭାବେ ସୋନିଆ ୫୭ କେଜି ବର୍ଗ ସେମିଫାଇନାଲ୍‌ରେ ଉଜ୍‌ବେକିସ୍ତାନର ୟୋଗୋରୟ ମିର୍ଜଇଭାଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଆସନ୍ତାକାଲି ଫାଇନାଲ୍‌ରେ ତାଙ୍କର ମୁକାବିଲା ଚୀନ୍‌ର ୟିନ୍‌ ଜୁନ୍‌ହୁଆଙ୍କ ସହ ହେବ। ମେରି କମ୍‌ ଓ ସୋନିଆ ଭାରତ ପାଇଁ ସ୍ୱର୍ଣ୍ଣ ଜିତିବାର ସମ୍ଭାବନା ରଖିଥିଲା ବେଳେ ଏଲ୍‌ ସରିତା ଦେବୀ, ପ୍ରିୟଙ୍କା ଚୌଧୁରୀ ଓ ଶିଖା ନିଜ ନିଜର ସେମିଫାଇନାଲ୍‌ ବାଉଟ୍‌ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ସରିତା ଦେବୀ (୬୪ କେଜି) ମଙ୍ଗଳବାର ସେମିରେ ଚୀନ୍‌ର ଡୋଉ ଡାନ୍‌ଙ୍କ ନିକଟରୁ ହାରି ଯାଇଥିଲା ବେଳେ ଶିଖା (୫୪ କେଜି) ଚାଇନିଜ୍‌ ତାଇପେର ପୂର୍ବତନ ଯୁବ ବିଶ୍ୱ ବିଜୟିନୀ ଲିନ୍‌ ୟୁ ଟିଙ୍ଗ୍‌ଙ୍କଠାରୁ ଏବଂ ପ୍ରିୟଙ୍କା (୬୦ କେଜି) କୋରିଆର ଓହ ୟନ୍‌ଜିଙ୍କଠାରୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର