ଏସିଆ କପ୍‌: ମାଲେସିଆ ସହ ପଏଣ୍ଟ ବାଣ୍ଟିଲା, ଭାରତର ଫାଇନାଲ୍‌ ଆଶା ଜୀବିତ

ଜାକର୍ତ୍ତା: ଭାରତୀୟ ହକି ଦଳର ଏସିଆ କପ୍‌ ଫାଇନାଲ୍‌ ଆଶା ଜୀବିତ ରହିଛି। ରବିବାର ମାଲେସିଆ ବିପକ୍ଷ ରୋମାଞ୍ଚକର ସୁପର-୪ ମ୍ୟାଚ୍‌କୁ ଭାରତ ୩-୩ ଗୋଲ୍‌ରେ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଛି। ଜାକର୍ତ୍ତାର ଜିବିକେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ଦ୍ବାଦଶ ମିନିଟ୍‌ରେ ମାଲେସିଆକୁ ପେନାଲଟି କର୍ଣ୍ଣର ସୁଯୋଗ ଦେଇଥିଲା। ଏହାକୁ ରାଜି ରହିମ ‌ଗୋଲ୍‌ରେ ପରିଣତ କରି ମାଲେସିଆକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହା ପରେ ପରେ ରହିମ (୨୧ ମିନିଟ୍‌) ଆଉ ଏକ ଗୋଲ୍‌ ଦେଇ ଦ୍ବିତୀୟାର୍ଦ୍ଧରେ ଭାରତକୁ ପଛରେ ରଖିଥିଲେ।

ତେବେ ୩୨ତମ ମିନିଟ୍‌ରେ ବିଷ୍ଣୁକାନ୍ତ ସିଂହ ଗୋଟିଏ ଗୋଲ୍‌ ଶୁଝି ସ୍ଥିତି ୧-୨ ‌କରିଥିଲେ। ଏସ୍‌ଭି ସୁନିଲ (୫୩ ମିନିଟ୍‌) ଓ ଓଡ଼ିଆ ତାରକା ନୀଲମ ସଞ୍ଜୀବ ଖେସ (୫୫ ମିନିଟ୍‌)ଙ୍କ ଗୋଲ୍‌ରେ ଭାରତ ୩-୨ରେ ଆଗୁଆ ହୋଇଥିଲେ। ୫୬ତମ ମିନିଟ୍‌ରେ ରହିମ ପୁଣି ଏକ ଗୋଲ୍‌ ଦେଇ ହ୍ୟାଟ୍ରିକ ଅର୍ଜନ କରିବା ସହ ମାଲେସିଆକୁ ପରାଜୟରୁ ରକ୍ଷା କରିଥିଲେ। ଫଳରେ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଭାରତ ପରବର୍ତ୍ତୀ ମ୍ୟାଚ୍‌ କୋରିଆ ବିପକ୍ଷରେ ‌ମଙ୍ଗଳବାର ଖେଳିବ। ଭାରତ ପ୍ରଥମ ମ୍ୟାଚ୍‌ରେ ଜାପାନକୁ ୨-୧ରେ ହରାଇଥିଲା। ସଂପ୍ରତି ଭାରତ ଓ କୋରିଆ ୨ରୁ ୧ ଲେ‌ଖାଏଁ ବିଜୟ ଓ ଅମୀମାଂସିତ ସହ ୪ ପଏଣ୍ଟ୍‌ ପାଇ ଟେବୁଲ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ମାଲେସିଆ ୨ରୁ ୨ ଅମୀମାଂସିତ ରଖି ତୃତୀୟ ଏବଂ ବିଜୟ ଶୂନ୍ୟ ଥିବା ଜାପାନ ଚତୁର୍ଥରେ ରହିଛି।

ସମ୍ବନ୍ଧିତ ଖବର