ଏସିଆ ଓସେନିଆ ଟେନିସ୍‌: ସୋହିନୀଙ୍କ ଲଗାତାର ବିଜୟ

ଭୁବନେଶ୍ବର: କନିଷ୍ଠ ଡେଭିସ୍‌ କପ୍‌ ଅନ୍ତର୍ଗତ ଏସିଆ ଓସେନିଆ ପର୍ଯ୍ୟାୟରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ବାଳକ ଦଳର ପ୍ରତିନିଧିତ୍ବ କରି ଦେବାଶିଷ ସାହୁ ବିଜେତା ହୋଇ ବିଶ୍ବ ଗ୍ରୁପ୍‌ ଯୋଗ୍ୟତା ଅର୍ଜନ କରିଥିବାବେଳେ ବାଳିକା ଦଳରେ ଥିବା ସୋହିନୀ ମହାନ୍ତି ଲଗାତାର ବିଜୟ ହାସଲ କରିଛନ୍ତି। ନୂଆଦିଲ୍ଲୀର ଡିଏଲ୍‌ଟିଏ କଂପ୍ଲେକ୍ସରେ ସୋମବାରଠାରୁ ଆରମ୍ଭ ହୋଇଥିବା ୧୪ ବର୍ଷରୁ କମ୍‌ ବାଳିକା ବିଭାଗରେ ଭାରତ ପ୍ରଥମ ରାଉଣ୍ଡରେ ସିଙ୍ଗାପୁରକୁ ୩-୦ରେ ପରାସ୍ତ କରିଥିବା ବେଳେ ମଙ୍ଗଳବାର ହଂକଂକୁ ମଧ୍ୟ ସମାନ ବ୍ୟବଧାନରେ ହରାଇଛି।

ସୋମବାର ସୋହିନୀ ଉଭୟ ଏକକ ଓ ଯୁଗଳରେ ବିଜୟୀ ହୋଇଥିଲେ। ସୋହିନୀ ୬-୨, ୬-୪ରେ ସାଇନା ବୈଦ୍ୟଙ୍କୁ ପରାସ୍ତ କରିବାପରେ ଟି ସାଇ ଜାହ୍ନବୀଙ୍କୁ ସାଥି କରି ଯୁଗଳ ମୁକାବିଲାକୁ ୬-୧, ୬-୨ରେ ମଧ୍ୟ ସିଧାସଳଖ ଭାବେ ଜିତିଥିଲେ। ମଙ୍ଗଳବାର କେବଳ ଯୁଗଳ ମ୍ୟାଚ୍‌ ଖେଳି ସୋହିନୀ ବିଜୟୀ ହୋଇଥିଲେ। ସୋହିନୀ-ଐଶ୍ଚର୍ଯ୍ୟ ଯାଦବ ଯୋଡ଼ି ୬-୦, ୬-୪ରେ ହଂକଂର ଫୁଙ୍ଗ ତକସୁନ୍‌-ସେଲିଷ୍ଟ ୟେଙ୍କୁ ପରାସ୍ତ କରିଥିଲେ। ସୋହିନୀଙ୍କ ଜୟଯାତ୍ରା ପାଇଁ ତାଙ୍କୁ ପ୍ରଶିକ୍ଷକ ଫାରହାନ୍ ଅଲୀ ଏବଂ କିଟ୍‌-କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର