ଅତନୁ-ଦୀପିକାଙ୍କ ବିବାହ ମଙ୍ଗଳବାର

କୋଲକାତା: ଆସନ୍ତା ମଙ୍ଗଳବାର ଦିନ କ୍ରୀଡ଼ା ତାରକା ଅତନୁ ଦାସ ଓ ଦୀପିକା କୁମାରୀ ବିବାହ ବନ୍ଧନରେ ଆବଦ୍ଧ ହେବେ। ଦୁଇ ତୀରନ୍ଦାଜି ତାରକାଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ୨୦୦୮ରେ ସାକ୍ଷାତ ହୋଇଥିଲା ବେଳେ ୨୦୧୮ରେ ନିର୍ବନ୍ଧ ସଂପନ୍ନ ହୋଇଥିଲା। ଏହାପରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପରେ ବିବାହ କରିବେ ବୋଲି ଯୋଜନା ରଖିଥିଲେ। ହେଲେ ସାଂପ୍ରତିକ କରୋନା ମହାମାରୀ ଯୋଗୁଁ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ଏପରିକି ନିକଟ ଭବିଷ୍ୟତରେ କୌଣସି ପ୍ରତିଯୋଗିତା ଆୟୋଜନର ସମ୍ଭାବନା ନାହିଁ। ତେଣୁ ଦୁହେଁ ଏଭଳି ଫାଙ୍କା ସମୟରେ ବିବାହ କରିବାକୁ ସ୍ଥିର କରିଛନ୍ତି। ବିବାହ ପାଇଁ ପୁରୋହିତ ସେମାନଙ୍କୁ ଜୁନ୍‌ ଏବଂ ନଭେମ୍ବରରେ ଗୋଟିଏ ଲେଖାଏଁ ତାରିଖ ପ୍ରସ୍ତାବ ଦେଇଥିଲେ। ତେବେ ଜୁନ୍‌ ୩୦ ତାରିଖ ମଙ୍ଗଳବାର ଦିନକୁ ବିବାହ ଦିନ ଧାର୍ଯ୍ୟ କରିଛନ୍ତି ଅତନୁ ଓ ଦୀପିକା। ଆସନ୍ତା ମଙ୍ଗଳବାର ହିଁ ନୂଆ ଜୀବନ ତଥା ନୂଆ ପାଳି ଆରମ୍ଭ କରିବାର ପ୍ରକୃଷ୍ଟ ଦିନ ବୋଲି ଉଭୟେ ସ୍ଥିର କରିଛନ୍ତି। ଏହି ବିବାହ କାର୍ଯ୍ୟ ରାଞ୍ଚିରେ ହେବ। ସରକାରଙ୍କ କୋଭିଡ୍‌-୧୯ ନିୟମ ଅନୁଯାୟୀ ସୀମିତ ସଂଖ୍ୟକ (ସର୍ବାଧିକ ୫୦) ବନ୍ଧୁ ଓ ସଂପର୍କୀୟଙ୍କ ଗହଣରେ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟ ସଂପନ୍ନ ହେବ ବୋଲି କହିଛନ୍ତି ଦୀପିକା।

ମଙ୍ଗଳବାର ବିବାହ ବନ୍ଧନରେ ଆବଦ୍ଧ ହେବାପରେ ଦୁହେଁ ଦେଶ ପାଇଁ କୌଣସି ଅଲିମ୍ପିକ୍‌ରେ ପ୍ରତିନିଧିତ୍ବ କରିବାରେ କୋଲ୍‌କାତାର ଦ୍ବିତୀୟ ଦମ୍ପତ୍ତି ହେବେ। ଏହା ପୂର୍ବରୁ ଗୋଟିଏ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପ୍ରଥମ କୋଲ୍‌କୋତା ଦମ୍ପତ୍ତି ଥିଲେ ଭେସ୍‌ ପେସ୍‌ ଓ ତାଙ୍କ ପତ୍ନୀ ଜେନିଫର। ଉଭୟେ ଭେସ୍‌ ଓ ଜେନିଫର ୧୯୭୨ ମ୍ୟୁନିକ୍‌ ଅଲିମ୍ପିକ୍ସରେ ଦେଶ ପାଇଁ ପ୍ରତିନିଧିତ୍ବ କରିଥିଲେ। ଭେସ୍‌ ସେତେବେଳେ ଭାରତୀୟ ହକି ଦଳର ମିଡ୍‌ଫିଲ୍‌ଡର ଥିଲା ବେଳେ ଜେନିଫର ବାସ୍କେଟ୍‌ବଲ୍‌ ଦଳର ସଦସ୍ୟା ଥିଲେ। ନୂଆ ଦମ୍ପତ୍ତି ହେବାକୁ ଯାଉଥିବା ୨୮ ବର୍ଷ ବୟସ୍କ ଅତନୁ ଦ୍ବିତୀୟ ଥର ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିବାକୁ ଯାଉଥିଲା ବେଳେ ୨୬ ବର୍ଷ ବୟସ୍କା ଦୀପିକା ତୃତୀୟ ଥର ଅଲିମ୍ପିକ୍ସରେ ଭାଗ ନେବେ। କରୋନା ମହାମାରୀ ଯୋଗୁଁ ସାରା ଦେଶ ମାର୍ଚ୍ଚରେ ଲକ୍‌ଡାଉନ୍‌ ହେବାର କିଛି ଘଣ୍ଟା ପୂର୍ବରୁ ଉଭୟେ ପୁନେ ଜାତୀୟ ଶିବିର ଛାଡ଼ିଦେଇଥିଲେ। ଲକ୍‌ଡାଉନ୍‌ ପୂର୍ବରୁ ଆମେ ନିଜ ଘର କୋଲ୍‌କାତାକୁ ଫେରିଆସିଥିବାରୁ ଭାଗ୍ୟବାନ ମଣିଛନ୍ତି।

ସମ୍ବନ୍ଧିତ ଖବର